ଲଣ୍ଡନରୁ ପାଠପଢ଼ି ଆସିଥିବା କମ୍ପ୍ୟୁଟର ଇଞ୍ଜିନିୟର ଲକ୍‌ଡାଉନରେ ୨୨ ହଜାରରୁ ଅଧିକ ମହିଳାଙ୍କୁ ଲଗାଇ ଦେଲ ଚୂନ, ୱେବସାଇଟ ଖୋଲି ଏମିତି ଢ଼ଙ୍ଗରେ କରୁଥିଲେ ଠକେଇ

ଛୋଟ ଛୋଟ ଠକେଇ କରି ଏ ପର୍ଯ୍ୟନ୍ତ ୨୨ ହଜାରରୁ ଅଧିକ ମହିଳାଙ୍କୁ ଠକିଥିବା ଜଣେ ଧୁରନ୍ଧର ଠକ ମୁମ୍ବାଇ ପୋଲିସ ହାତରେ ଧରାପଡ଼ିଛନ୍ତି। ସାଇବର ପୋଲିସ ୩୨ ବର୍ଷୀୟ ଜଣେ ଯୁବକଙ୍କୁ କାବୁ କରିଛି, ଯିଏ ମହିଳାମାନଙ୍କୁ ହଜାର ହଜାର ଟଙ୍କାର ଚୂନ ଲଗାଇ ଦେଇଛନ୍ତି। ଆଶ୍ଚର୍ଯ୍ୟର କଥା, ଗିରଫ ଯୁବକଙ୍କ ନାଁ ଆଶିଷ ଅହୀର, ସେ ପେସାରେ ଜଣେ କମ୍ପ୍ୟୁଟର ଇଞ୍ଜିନିୟର। ଆଶିଷ ଲଣ୍ଡନ ୟୁନିଭର୍ସିଟିରେ ପାଠପଢ଼ା ଶେଷ କରିଛନ୍ତି।

ମୁମ୍ବାଇ ସାଇବର ସେଲ ଡିସିପି ରଶ୍ମୀ କରନ୍ଦୀକରଙ୍କ ମୁତାବକ, ତାଙ୍କ ପାଖକୁ ଜଣେ ମହିଳାଙ୍କ ଅଭିଯୋଗ ଆସିଥିଲା, ଯିଏ ଅନ୍‌ଲାଇନ ଶପିଂରେ ଠକେଇର ଶିକାର ହୋଇଥିଲେ। ଅଭିଯୋଗକୁ ଭିତ୍ତି କରି ମାମଲା ରୁଜୁ ପରେ ତଦନ୍ତ ଆରମ୍ଭ ହୋଇଥିଲା। ଅଭିଯୁକ୍ତଙ୍କୁ ସୁରଟରୁ ଗିରଫ କରାଯାଇଛି। ପଚରାଉଚରା ବେଳେ ସେ କହିଥିଲେ କି, ସେ ଲଣ୍ଡନରେ ପାଠପଢ଼ା ଶେଷ କରିବା ପରେ ସୁରଟରେ କପଡ଼ା କାରବାର ଆରମ୍ଭ କରିଥିଲେ। କିନ୍ତୁ ଲକ୍‌ଡାଉନ ଯୋଗୁ ତାଙ୍କୁ ବହୁତ କ୍ଷତି ସହିବାକୁ ପଡ଼ିଥିଲା। ଏହି କାରଣରୁ ତାଙ୍କ ଉପରେ କରଜର ବୋଝ ବଢ଼ିଯାଇଥିଲା। ଏହାକୁ ଶୁଝିବା ପାଇଁ ସେ ଠକେଇର ରାସ୍ତା ବାଛିଥିଲେ।

ଅଭିଯୁକ୍ତ ଜଣକ ନିଜେ ହିଁ Shopiiee.com ନାମକ େଓ୍ଵବ୍‌ସାଇଟ ବନାଇଥିଲେ। ଏହା ମାଧ୍ୟମରେ ସେ ଭଲ କପଡ଼ାକୁ ଶସ୍ତା ଦାମରେ ବିକିବାକୁ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ। େଓ୍ଵବ୍‌ସାଇଟରେ ସୁନ୍ଦର ଏବଂ ଶସ୍ତା କପଡ଼ା ଦେଇ ମହିଳାମାନେ ଅନ୍‌ଲାଇନ କିଣିବା ଆରମ୍ଭ କରିଥିଲେ। ଅଭିଯୁକ୍ତ କିଛି ମହିଳାଙ୍କୁ କପଡ଼ା ପଠାଇଥିବା ବେଳେ ଅଧିକରୁ ଅଧିକ ମହିଳାଙ୍କୁ କିନ୍ତୁ କପଡ଼ା ପଠାଇ ନ ଥିଲେ। ଠକେଇ ଅଳ୍ପ ଅଳ୍ପ ଟଙ୍କାର ହେଉଥିବାରୁ ପୋଲିସ ପାଖରେ ଅଭିଯୋଗ କରିବାକୁ ଅଧିକାଂଶ ଲୋକ ଯାଉ ନ ଥିଲେ। ତେଣୁ ତାଙ୍କର ଠକେଇ ଦିନକୁ ଦିନ ବଢ଼ି ଚାଲିଥିଲା। ପରବର୍ତ୍ତୀ ସମୟରେ ସାଇବର ସେଲକୁ ଅଭିଯୋଗ ଆସିବା ପରେ ଘଟଣାର ପର୍ଦ୍ଦାଫାଶ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.