ଦିଲ୍ଲୀ ନିର୍ବାଚନ: କଂଗ୍ରେସ ଲଞ୍ଚ୍ କଲା ଦ୍ଵିତୀୟ ଗ୍ୟାରେଣ୍ଟି, ୨୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ପ୍ରତିଶ୍ରୁତି
ଦିଲ୍ଲୀରେ ଆଗାମୀ ମାସ ଅର୍ଥାତ୍ ଫେବୃୟାରୀରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏଣୁ ସମସ୍ତ ରାଜନୈତିକ ଦଳ ନିଜ ନିଜ ସ୍ତରରେ ଭୋଟରଙ୍କୁ ଲୁଭାଇବା ପାଇଁ ନାନା ପ୍ରତିଶ୍ରୁତି ଦେବା ଆରମ୍ଭ କରିଦେଇଛନ୍ତି । ଏବେ କଂଗ୍ରେସ ଦଳ ଦିଲ୍ଲୀବାସୀଙ୍କ ପାଇଁ ‘ଜୀବନ ରକ୍ଷା ଯୋଜନା’ ଲଞ୍ଚ୍ କରିଛି । ଏହା ଅଧୀନରେ ଦିଲ୍ଲୀର ସମସ୍ତ ନାଗରିକଙ୍କୁ ୨୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ମିଳିବ । ଅର୍ଥାତ୍ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସମସ୍ତେ ମାଗଣା ଚିକିତ୍ସା ପାଇପାରିବେ ।
ଏହା ପୂର୍ବରୁ କଂଗ୍ରେସ ମହିଳାମାନଙ୍କ ପାଇଁ ବଡ଼ ଘୋଷଣା କରିଥିଲା । ପାର୍ଟି ମହିଳାମାନଙ୍କ ପାଇଁ ‘ପ୍ୟାରି ଦିଦି ଯୋଜନା’ ଆରମ୍ଭ କରିବା କଥା କହିଥିଲା । ଏହି ଯୋଜନା ଅଧୀନରେ ମହିଳାମାନଙ୍କୁ ପ୍ରତି ମାସରେ ୨୫୦୦ ଟଙ୍କା ଦିଆଯିବ ବୋଲି ଦଳ ପ୍ରତିଶ୍ରୁତି ଦେଇଥିଲା ।
ଦିଲ୍ଲୀରେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହଲୋଟ୍ କହିଛନ୍ତି ଯେ ଦଳର ଏହି ପ୍ରସ୍ତାବିତ ଯୋଜନା ଗେମ୍ ଚେଞ୍ଜର ବୋଲି ପ୍ରମାଣିତ ହେବ । ଦିଲ୍ଲୀରେ ଏଥର କଂଗ୍ରେସ ସରକାର ଗଠନ କରିବାର ସମ୍ଭାବନା ବଢ଼ିଚାଲିଛି । ମୋର କହିବା ହେଲା, ଏହା ଦେଶ ପାଇଁ ମଧ୍ୟ ଜରୁରୀ ।
ତେବେ ଏହା ପୂର୍ବରୁ ‘ପ୍ୟାରି ଦିଦି ଯୋଜନା’ ଘୋଷଣା ସମୟରେ କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର କହିଥିଲେ, ‘ଆଜି ମୁଁ ଏଠାକୁ ‘ପ୍ୟାରୀ ଦିଦି’ ଯୋଜନା ଶୁଭାରମ୍ଭ କରିବାକୁ ଆସିଛି । ମୋର ବିଶ୍ୱାସ ଯେ କଂଗ୍ରେସ ଦିଲ୍ଲୀରେ ସରକାର ଗଠନ କରିବ ଏବଂ ଆମେ ମହିଳାମାନଙ୍କୁ ୨୫୦୦ ଟଙ୍କା ଦେବୁ । କ୍ୟାବିନେଟର ପ୍ରଥମ ବୈଠକରେ ହିଁ ଏହା ଉପରେ ନିଷ୍ପତ୍ତି ନିଆଯିବ । ଏହି ସମାନ ମଡେଲକୁ ଆମେ କର୍ଣ୍ଣାଟକରେ ଲାଗୁ କରିଥିଲୁ’ ବୋଲି ଶିବକୁମାର କହିଥିଲେ ।
ପୂର୍ବରୁ ଦିଲ୍ଲୀରେ ଶାସକ ଆମ୍ ଆଦମୀ ପାର୍ଟି ମଧ୍ୟ ମହିଳାମାନଙ୍କୁ ପ୍ରତି ମାସରେ ୨୧୦୦ ଟଙ୍କା ଦେବାକୁ ଘୋଷଣା କରିସାରିଛି ।