ଉନ୍ନାଓ ଗଣଦୁଷ୍କର୍ମ ପୀଡ଼ିତାଙ୍କ ମା’ଙ୍କୁ କଂଗ୍ରେସ ଦେଲା ଟିକେଟ, ୧୨୫ ପ୍ରାର୍ଥୀଙ୍କ ମଧ୍ୟରୁ ୫୦ ଜଣ କେବଳ ମହିଳା

ୟୁପି ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନିଜର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଦଳର ମହାସଚିବ ତଥା କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସାମ୍ବାଦିକ ସମ୍ମିଳନୀରେ ଦଳର ପ୍ରମୁଖ ପ୍ରାର୍ଥୀମାନଙ୍କ ସୂଚନା ଜାରି କରିଛନ୍ତି। ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, ‘ଆମ ତାଲିକାରେ ଯେଉଁ ମହିଳାମାନେ ଅଛନ୍ତି, ସେମାନଙ୍କ ମଧ୍ୟରୁ କିଛି ଜଣ ସାମ୍ବାଦିକ, ସଂଘର୍ଷଶୀଳ ମହିଳା ଓ ସାମାଜିକ କର୍ମୀ ଅଛନ୍ତି। ଏମିତି ବି ମହିଳା ଅଛନ୍ତି, ଯେଉଁମାନେ ବହୁତ ଅତ୍ୟାଚାରର ଶିକାର ହୋଇଛନ୍ତି। ଏଥିପାଇଁ ଆମେ ଆମର ପ୍ରତିଶ୍ରୁତି ଅନୁସାରେ ମହିଳାମାନଙ୍କୁ ଟିକେଟ୍ ଦେଇଛୁ। ଆମ ପାର୍ଟିରୁ ଉନ୍ନାଓର ପ୍ରତ୍ୟାଶୀ, ଉନ୍ନାଓ ଗଣଦୁଷ୍କର୍ମର ମା’ ଅଛନ୍ତି। ଆମେ ତାଙ୍କୁ ମଉକା ଦେଉଛୁ କି, ସେମାନେ ନିଜ ସଂଗ୍ରାମ ଜାରି ରଖନ୍ତୁ। ଯେଉଁ ଶକ୍ତି ମାଧ୍ୟମରେ ତାଙ୍କ ଝିଅ ସହିତ ଅତ୍ୟାଚାର ହୋଇଥିଲା, ତାଙ୍କ ପରିବାରକୁ ବର୍ବାଦ କରି ଦିଆଯାଇଥିଲା, ଏବେ ସେହି ଶକ୍ତି ସେ ହାସଲ କରନ୍ତୁ’।

‘ମହିଳା ପ୍ରାର୍ଥୀଙ୍କୁ ସବୁ ପ୍ରକାର ସାହାଯ୍ୟ କରିବ ଦଳ’

ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, ‘ଆମେ ସୋନଭଦ୍ର ନରସଂହାରର ପୀଡ଼ିତାଙ୍କ ମଧ୍ୟରୁ ଜଣେ ରାମରାଜ ଗୋଣ୍ଡଙ୍କୁ ମଧ୍ୟ ଟିକେଟ୍ ଦେଇଛୁ। ସେହିଭଳି ଆଶା ଭଉଣୀମାନେ କରୋନାରେ ବହୁତ କାମ କରିଥିଲେ, କିନ୍ତୁ ସେମାନଙ୍କୁ ପିଟା ଯାଇଥିଲା। ସେମାନଙ୍କ ମଧ୍ୟରୁ ପୁନମ୍‌ ପାଣ୍ଡେଙ୍କୁ ମଧ୍ୟ ଆମେ ଟିକେଟ୍ ଦେଇଛୁ। ସେପଟେ ସଦଫ୍‌ ଜାଫର CAA-NRC ସମୟରେ ବହୁତ ସଂଘର୍ଷ କରିଥିଲେ। ସରକାର ତାଙ୍କ ଫଟୋକୁ ପୋଷ୍ଟରରେ ଛପାଇ ତାଙ୍କୁ ପ୍ରତାଡ଼ିତ କରିଥିଲେ। ମୋର ବାର୍ତ୍ତା ହେଉଛି କି, ଯଦି ଅତ୍ୟାଚାର ହୋଇଛି, ତା’ ହେଲେ ନିଜର ଅଧିକାର ପାଇଁ ଲଢ଼ନ୍ତୁ। କଂଗ୍ରେସ ଏପରି ମହିଳାଙ୍କ ସହିତ ଅଛି। ଯେଉଁ ମହିଳାମାନେ ପ୍ରଥମ ଥର ନିର୍ବାଚନ ଲଢ଼ୁଛନ୍ତି, ସେମାନେ ହେଉଛନ୍ତି ସଂଘର୍ଷଶୀଳ ଏବଂ ସାହସୀ ମହିଳା। କଂଗ୍ରେସ ଦଳ ସେମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବ’।

ନକାରାତ୍ମକ ଅଭିଯାନ କରିବୁ ନାହିଁ

ପ୍ରିୟଙ୍କା ଗାନ୍ଧୀ ଏହା ମଧ୍ୟ କହିଥିଲେ ଯେ ‘ଆମର ଲକ୍ଷ୍ୟ ହେଉଛି, ଆମର ଭୂମିକା ବଢ଼ୁ, ଆମ ଦଳ ମଜଭୁତ ହେଉ। ଆମେ ସ୍ଥିର କରିଛୁ, ଆମେ ନକାରାତ୍ମକ ଅଭିଯାନ କରିବୁ ନାହିଁ। ଆମେ ସକାରାତ୍ମକ ପ୍ରସଙ୍ଗରେ ନିର୍ବାଚନ ଲଢ଼ିବୁ। ମହିଳା, ତଫସିଲଭୁକ୍ତ ଜାତି, ଯୁବକମାନଙ୍କ ପ୍ରସଙ୍ଗରେ ନିର୍ବାଚନ ଲଢ଼ିବୁ, ଯେପରି ରାଜ୍ୟ ଆଗକୁ ବଢ଼ି ପାରିବ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.