ମଧ୍ୟପ୍ରଦେଶ କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ଦିଗ୍ବିଜୟ ସିଂଙ୍କୁ କରୋନା । ତାଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଛି । ସେ ନିଜର ‘X’ ଆକାଉଣ୍ଟରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଡାକ୍ତର ତାଙ୍କୁ ୫ ଦିନ ବିଶ୍ରାମ ନେବାକୁ ପରାମର୍ଶ ଦେଇଥିବା ଦିଗ୍ବିଜୟ ସିଂ ତାଙ୍କ ପୋଷ୍ଟରେ ଲେଖିଛନ୍ତି ।
ସେ ଲେଖିଛନ୍ତି ଯେ ‘ମୋର କୋଭିଡ୍ ଟେଷ୍ଟ ପଜିଟିଭ୍ ଆସିଛି । ମୋତେ ୫ ଦିନ ବିଶ୍ରାମ ନେବାକୁ କୁହାଯାଇଛି । ଏଥିପାଇଁ ମୁଁ କିଛି ଦିନ କାହାକୁ ଭେଟି ପାରିବି ନାହିଁ । କ୍ଷମା କରିବେ । ଆପଣ ସମସ୍ତେ ମଧ୍ୟ କୋଭିଡ୍ରୁ ରକ୍ଷା ପାଇବା ପାଇଁ ନିଜର ଯତ୍ନ ନିଅନ୍ତୁ’ ।
ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍ବିଜୟ ସିଂ ପୂର୍ବରୁ ମଧ୍ୟ ୨ ଥର କରୋନା ପଜିଟିଭ୍ର ଶିକାର ହୋଇଥିଲେ । ୨୦୨୧ ଜାନୁୟାରୀ ଏବଂ ଏପ୍ରିଲରେ ସେ ଏହି ଭାଇରସ୍ ସଂସ୍ପର୍ଶରେ ଆସିଥିଲେ ।
ଦିନକ ପୂର୍ବରୁ ଦିଗ୍ବିଜୟ ସିଂ ରାଖୀ ପୂର୍ଣ୍ଣିମା ପାଳିଥିଲେ ଏବଂ ଅନେକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ସାଗର ଜିଲ୍ଲା ଗସ୍ତ କରି ସେ ଖୁରଇର ବରୋଦିଆ ନୋନାଗିର ଗାଁ ଯାଇଥିଲେ । ସେଠାରେ ସେ ମୃତକ ଅଞ୍ଜନା ଓ ନିତିନ ଅହିରଓ୍ଵାଙ୍କ ମା’ଙ୍କ ହାତରୁ ରାଖୀ ବାନ୍ଧିଥିଲେ । ୨୦୨୪ ମେ’ରେ ନିତିନ ଅହିରଓ୍ଵାଙ୍କ ହତ୍ୟା ପରଠାରୁ ଏହି ମାମଲା ଚର୍ଚ୍ଚାରେ ଅଛି ।