ସ୍ତ୍ରୀକୁ ଦୁଇ ଥର ବିବାହ କରି ଫସି ଗଲେ କଂଗ୍ରେସ ନେତା, ୧୫ ଦିନ ପୂର୍ବେ କରିଥିଲେ ଲଭ୍ ମ୍ୟାରେଜ

ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ସାଗରରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ମୁଖ୍ୟମନ୍ତ୍ରୀଙ୍କ କନ୍ୟା ବିବାହ ଯୋଜନାରେ ମିଳୁଥିବା ଫାଇଦାର ଲୋଭରେ ପଡି ଧରା ପଡିଛନ୍ତି ଏନଏସୟୁଆଇର ରାଷ୍ଟ୍ରୀୟ ସମନ୍ଵୟକ ନୈତିକ ଚୌଧୁରୀ। ନୈତିକ ୧୫ ଦିନ ପୂର୍ବେ ପ୍ରେମ ବିବାହ କରିଥିଲେ। ମାତ୍ର ମୁଖମନ୍ତ୍ରୀ କନ୍ୟାଦାନ ଯୋଜନାରେ ଲାଭ ପାଇବାକୁ ପୁନଃ ବିବାହ କରିବାକୁ ଯୋଜନା କରିଥିଲେ । ଏହି ମାମଲାକୁ ନେଇ ବିଜେପି କଂଗ୍ରେସକୁ ଆକ୍ଷେପ କରିଛି। ଘଟଣାଟି ସାଗର ବାଲାଜୀ ମନ୍ଦିର ପରିସରରୁ ଆସିଛି। ଏଠାରେ ୧୩୫ ଯୋଡ଼ା ଦମ୍ପତିଙ୍କ ସାମୁହିକ ବିବାହ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।

ସୂଚନା ଅନୁଯାୟୀ ଏନଏସୟୁଆଇର ରାଷ୍ଟ୍ରୀୟ ସମନ୍ଵୟକ ନୈତିକ ଚୌଧୁରୀ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ମିଳୁଥିବା ଲାଭର ଫାଇଦା ଉଠାଇବାକୁ ଚାହୁଁଥିଲେ। ତେଣୁ ସେ ଯୋଜନା ମୁତାବକ ପତ୍ନୀଙ୍କୁ ନେଇ ପୁନର୍ବାର ବିବାହ କରିବାକୁ ସମାରୋହରେ ପହଞ୍ଚିଥିଲେ। ହେଲେ ପେଣ୍ଡାଲରେ ବସିଥିବା ସମୟରେ କାହାରି ନଜର ତାଙ୍କ ଉପରେ ପଡିଥିଲା ଏବଂ ସେ ଆୟୋଜକଙ୍କୁ ଜଣାଇଥିଲେ। ଆୟୋଜକ ତୁରନ୍ତ ଏହାର ସୂଚନା ପୋଲିସକୁ ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ନୈତିକଙ୍କୁ ଗିରଫ କରି ପଣ୍ଡାଲରୁ ସିଧାସଳଖ ଥାନାକୁ ନେଇ ଯାଇଛି। ତେବେ ଆର୍ଥିକ କ୍ଷେତ୍ରରେ ଅନଗ୍ରସର ଥିବା ପରିବାରକୁ ଲାଗି ୨୦୦୬ରେ ସହାୟତା ଯୋଗାଇଦେବା ଉଦ୍ଦେଶ୍ୟରେ ମୁଖମନ୍ତ୍ରୀ କନ୍ୟାଦାନ ଯୋଜନା ଆରମ୍ଭ କରାଯାଇଥିଲା।

କୁହାଯାଉଛି ଯେ ନୈତିକ ଦୁଇ ସପ୍ତାହ ତଳେ ଧୂମଧାମରେ ବିବାହ କରିଥିଲେ। ହେଲେ ଏବେ ସେ ଲୋଭରେ ପଡି ଏପରି କାର୍ଯ୍ୟ କରିଛନ୍ତି । ପୋଲିସ ତାଙ୍କୁ ନେଉଥିବା ବେଳେ ପତ୍ନୀ ମଧ୍ୟ ତାଙ୍କ ପଛରେ ଦୌଡିଥିଲେ। ପତ୍ନୀ କହିଛନ୍ତି, ଏମିତି କରିବାକୁ ସେ ସ୍ଵାମୀଙ୍କୁ ମନା କରିଥିଲେ। ପୋଲିସ ତାଙ୍କୁ ହେପାଜତରେ ରଖି ପଚରା ଉଚୁରା କରୁଛି। ଏହି ସମଗ୍ର ପ୍ରସଙ୍ଗରେ ବିଜେପି ରାଜ୍ୟ ଗଣମାଧ୍ୟମ ଦାୟିତ୍ୱରେ ଥିବା ଲୋକେନ୍ଦ୍ର ପରାଶର ଟୁଇଟ୍ କରି କହିଛନ୍ତି, ଏହି ଶ୍ରୀମାନ NSUIର ରାଷ୍ଟ୍ରୀୟ ସମନ୍ଵୟକ। ମୁଖ୍ୟମନ୍ତ୍ରୀଙ୍କ କନ୍ୟାଦାନ ଯୋଜନାର ଲାଭ ଉଠାଇବାକୁ ସେ ଦ୍ୱିତୀୟ ଥର ବିବାହ କରିବାକୁ ଯାଇଥିଲେ। ଖବର ପାଇ ପୋଲିସ ତାଙ୍କୁ ଗିରଫ କରିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.