ଲମ୍ବା ବ୍ୟବଧାନ ପରେ ଆଜି କଂଗ୍ରେସ କାର୍ଯ୍ୟକାରୀ ବୈଠକ, ଦଳର ଅଧ୍ୟକ୍ଷ ଚୟନ ହୋଇପାରେ

ନୂଆଦିଲ୍ଲୀ (କେନ୍ୟୁଜ୍) : ଦୁଇ ମାସ ପରେ କଂଗ୍ରେସକୁ ମିଳିବ କି ନୂଆ ଅଧ୍ୟକ୍ଷ। ଆଜି ସୋନିଆ ଗାନ୍ଧିଙ୍କ ବାସଭବନରେ କଂଗ୍ରେସ କାର୍ଯ୍ୟକାରୀ ବୈଠକ ବସିବ। ଏହି ବୈଠକରେ ଦଳର ଅଧ୍ୟକ୍ଷ ଚୟନ ହୋଇପାରେ। ବହୁ ନେତା ଏହି ପଦ ପାଇଁ ରେସ୍ରେ ଅଛନ୍ତି। ସେଥିରୁ ମହାରାଷ୍ଟ୍ରର କଂଗ୍ରେସ ନେତା ମୁକୁଲ ୱାସନିକ୍ ରେସରେ ଆଗରେ ଥିବା କୁହାଯାଉଛି। ସାଧାରଣ ନିର୍ବାଚନରେ ପରାଜୟ ପରେ ଅଧ୍ୟକ୍ଷ ପଦ ଛାଡିଥିଲେ ରାହୁଲ ଗାନ୍ଧି। ଦଳର ବରିଷ୍ଠ ନେତା ରାହୁଲଙ୍କୁ ମନାଇବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। ଫଳରେ ୨ ମାସରୁ ଅଧିକ ସମୟ ହେଲା ଅଧ୍ୟକ୍ଷ ପଦ ଖାଲି ପଡିଛି।

ବର୍ତ୍ତମାନ ଦଳରେ ଯିଏ ଅଧ୍ୟକ୍ଷ ମନୋନୀତ ହେବେ ସେ କଂଗ୍ରେସର ପରବର୍ତ୍ତୀ ସାଂଗଠନିକ ନିର୍ବାଚନ ପର‌୍ୟ୍ୟନ୍ତ ଦାୟିତ୍ୱ ତୁଲାଇବେ। ରେସ୍ରେ ଆଗରେ ଥିବା ୫୯ ବର୍ଷୀୟ ମୁକୁଲ ୱାସନିକ, ପୂର୍ବରୁ କେନ୍ଦ୍ରରେ ମନ୍ତ୍ରୀଭାବେ କାମ କରିଛନ୍ତି। ପିଭି ନରସିଂହ ରାଓ ଓ ମନମୋହନ ସିଂହଙ୍କ ସରକାରରେ କାମ କରିଛନ୍ତି। ତାଙ୍କର ପ୍ରଶାସନିକ ଦକ୍ଷତା ମଧ୍ୟ ରହିଛି। ବର୍ତ୍ତମାନ ଦଳର ମୁଖ୍ୟ କେହି ନଥିବାରୁ ଦିଗହୀନ ଭାବେ ଦଳ କାର୍ଯ୍ୟକରୁଥିବା ନଜରକୁ ଆସୁଛି। ଧାରା ୩୭୦ ଉଚ୍ଛେଦକୁ ନେଇ ଦଳ ଭିତରେ ଭିନ୍ନଭିନ୍ନ ମତ ଦେଖିବାକୁ ମିଳୁଛି। କିଛି ନେତା ସରକାରଙ୍କ ପଦକ୍ଷେପକୁ ବିରୋଧ କରୁଥିବା ବେଳେ ଆଉ କିଛି ସମର୍ଥନ କରୁଛନ୍ତି।