ରାଜରାସ୍ତାରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ: ରାହୁଲ ଗାନ୍ଧୀଙ୍କ ପରେ ପ୍ରିୟଙ୍କାଙ୍କୁ ବି ଉଠାଇନେଲା ପୋଲିସ

ଅଲ୍‌ ଇଣ୍ଡିଆ କଂଗ୍ରେସ ପାର୍ଟି ପକ୍ଷରୁ ଦରଦାମ୍‌ ବୃଦ୍ଧି, ଜିଏସ୍‌ଟି ଓ କେନ୍ଦ୍ର ସରକାରଙ୍କ ମାରଣ ନୀତି ବିରୋଧରେ ଶୁକ୍ରବାର ରାସ୍ତାରେ ସଂସଦ ଯାଏଁ ବିରୋଧ ପ୍ରଦର୍ଶନ ଜାରି ରହିଛି। ଇତି ମଧ୍ୟରେ ରାହୁଲ ଗାନ୍ଧୀଙ୍କ ପରେ ପ୍ରିୟଙ୍କା ଗାନ୍ଧୀଙ୍କୁ ମଧ୍ୟ ଦିଲ୍ଲୀ ପୋଲିସ ଟେକି ନେଇଛି। ସମସ୍ତ କଂଗ୍ରେସ ନେତାଙ୍କ ସହ ରାହୁଲ ଗାନ୍ଧୀ ଦର ଦାମ୍‌ ବୃଦ୍ଧି ପ୍ରତିବାଦରେ ରାଷ୍ଟ୍ରପତି ଭବନ ଆଡ଼କୁ ମାର୍ଚ୍ଚ କରିଯାଉଥିବା ବେଳେ ତାଙ୍କୁ ଦିଲ୍ଲୀ ପୋଲିସ ଅଟକ ରଖିଛି। ରାହୁଲ ଗାନ୍ଧୀଙ୍କ ସମେତ ଶଶୀ ଥରୁର୍‌ଙ୍କୁ ମଧ୍ୟ ପୋଲିସ ଅଟକ ରଖିଛି।

ପ୍ରିୟଙ୍କା ଗାନ୍ଧୀ ବ୍ୟାରିକେଡ୍‌ ଡେଇଁ ରାସ୍ତାରେ ଧାରଣା ଦେବାକୁ ବସିଯାଇଥିଲେ। ପୋଲିସ ସେଠାରୁ ତାଙ୍କୁ ଉଠାଇ ନେଇଛି। ଏ ନେଇ ସବୁ କଂଗ୍ରେସ ନେତା ବିଜୟ ଚୌକ୍‌ରେ ଧାରଣାରେ ବସିଛନ୍ତି। ଏଣୁ ପରିସ୍ଥିତିକୁ ଶାନ୍ତ କରିବାକୁ ଦିଲ୍ଲୀ ପୋଲିସ ପୂରା ଜିଲ୍ଲାରେ ୧୪୪ ଧାରା ଲଗାଇଛି।

ଏ ନେଇ ରାହୁଲ ଗାନ୍ଧୀ କହିଛନ୍ତି, ପୋଲିସ କଂଗ୍ରେସ ସାଂସଦଙ୍କୁ ଘୋଷାଡ଼ି ଘୋଷାଡ଼ି ନେଇଛି। କିଛି ଲୋକଙ୍କୁ ମାଡ଼ ବି ମାରିଛି। ଆପଣ ସମସ୍ତେ ଦେଖିପାରୁଥିବେ କିଭଳି ଭାବେ ଲୋକତନ୍ତ୍ରର ହତ୍ୟା କରାଯାଉଛି। ଏହି ଲୋକମାନେ ଦରଦାମ୍‌ ବୃଦ୍ଧି ପ୍ରତିବାଦରେ ବିରୋଧ ପ୍ରଦର୍ଶନ କରିବାକୁ ଦେବେ ନାହିଁ।

ଅନ୍ୟପଟେ କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କ ବିରୋଧ ପ୍ରଦର୍ଶନକୁ ନେଇ ବିଜେପି ତରଫରୁ ରବିଶଙ୍କର ପ୍ରସାଦ ଟ୍ଵିଟ୍‌ କରି କହିଛନ୍ତି, ରାହୁଲ ଗାନ୍ଧୀ ମିଛ କହୁଛନ୍ତି ଯେ ତାଙ୍କୁ ସମୟ ଦିଆଯାଇନାହିଁ। ସଦନରେ ଦରଦାମ୍‌ ବୃଦ୍ଧି ନେଇ ଚର୍ଚ୍ଚା ହୋଇଛି। ସେତେବେଳେ କଂଗ୍ରେସ ଭାଗ ନେଇଥିଲେ ନା ନାହିଁ? ବହୁତ ତଳସ୍ତରର ଆରୋପ ଲଗାଯାଉଛି। ଦରଦାମ୍‌ ବୃଦ୍ଧି ଓ ବେରୋଜଗାରୀ ଏକ ବାହାନା। ପ୍ରକୃତ କଥା ହେଉଛି ଇଡିକୁ ଡରାଇବା, ଧମକାଇବା ଓ ପରିବାରକୁ ବଞ୍ଚାଇବା।

Also Read: ଚିଡ଼ିଆଖାନାରେ କୁମ୍ଭୀର ଚମଡ଼ାରେ ତିଆରି ହ୍ୟାଣ୍ଡ ବ୍ୟାଗ୍‌, ଭାଇରାଲ ହେଉଛି ଆଶ୍ଚର୍ଯ୍ୟ କରିଦେବା ଭଳି ଫଟୋ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.