ସହମତିରେ ବି ନାବାଳିକା ପତ୍ନୀଙ୍କ ସହ ଯୌନ ସଂପର୍କକୁ ଦୁଷ୍କର୍ମ ଧରାଯିବ । ଏକ ମାମଲାର ବିଚାର କରି ବମ୍ବେ ହାଇକୋର୍ଟଙ୍କ ନାଗପୁର ବେଞ୍ଚ ରାୟ ଦେଇଛନ୍ତି । ଏଥିସହ ଅଭିଯୁକ୍ତ ସ୍ବାମୀଙ୍କୁ ତଳକୋର୍ଟ ଦେଇଥିବା ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶକୁ କାଏମ ରଖିଛନ୍ତି । ଜଷ୍ଟିସ ଜିଏ ସାନାପଙ୍କ ଖଣ୍ଡପୀଠ କହିଛନ୍ତି, ସହମତିରେ ଯୌନ ସଂପର୍କ ପାଇଁ ଯୁବତୀଙ୍କ ବୟସ ୧୮ ବର୍ଷରୁ ଅଧିକ ହେବା ଦରକାର । ତେବେ ବିବାହିତା ବା ଅବିବାହିତା ହୁଅନ୍ତୁ ୧୮ ବର୍ଷ ବୟସରୁ କମ ନାବାଳିକାଙ୍କ ସହ ଯୌନ ସଂପର୍କ ସ୍ଥାପନ ଦୁଷ୍କର୍ମ ।
ଏହି ମାମଲା ଅନୁଯାୟୀ, ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଅଭିଯୁକ୍ତ ଜଣଙ୍କ ତାଙ୍କ ସହ ଶାରୀରିକ ସଂପର୍କ ରଖିଥିଲେ । ଏଥିଯୋଗୁ ନାବାଳିକା ଗର୍ଭବତୀ ହୋଇଥିଲେ । ପରବର୍ତ୍ତୀ ସମୟରେ ଅଭିଯୁକ୍ତ ଜଣକ ନାବାଳିକାଙ୍କୁ ବିବାହ କରିଥିଲେ । ତେବେ ବୈବାହିକ ସଂପର୍କରେ ଝଡ଼ ଉଠିବା ପରେ ମହିଳାଜଣଙ୍କ ତାଙ୍କ ସ୍ବାମୀଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ ।
ମହିଳା ଜଣକ ଅଭିଯୋଗ କରିଥିଲେ ଯେ, ବିବାହ ପୂର୍ବରୁ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ସ୍ଥାପନ ହୋଇଥିଲା। ସେତେବେଳେ ତାଙ୍କ ସ୍ୱାମୀ ଜୋର୍ ଜବରଦସ୍ତ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । ପରବର୍ତ୍ତୀ ସମୟରେ ସେ ଗର୍ଭବତୀ ହେବାରୁ ବାଧ୍ୟବାଧକତାର ସହ ବିବାହ କରିଥିଲେ।