ସଲମାନଙ୍କୁ ହତ୍ୟା ପାଇଁ ୨୫ ଲକ୍ଷର ସୁପାରୀ, ଚାର୍ଜସିଟରେ ହେଲା ଖୁଲାସା

ସଲମାନ ଖାନଙ୍କ ଘର ଉପରେ ଆକ୍ରମଣ ମାମଲାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ସଲମାନ ଖାନଙ୍କ ହତ୍ୟା ଷଡଯନ୍ତ୍ର ରଚିଥିବା ୫ ଜଣଙ୍କୁ ଗିରଫ କରି ଚାର୍ଜସିଟ ଦାଖଲ କରିଛି ନଭି ମୁମ୍ବାଇ ପୋଲିସ । ଏଥିରେ ସଲମାନଙ୍କୁ ହତ୍ୟା ପାଇଁ ୨୫ ଲକ୍ଷ ଟଙ୍କାର ସୁପାରି ଦିଆଯାଇଥିଲା ବୋଲି ଉଲ୍ଲେଖ ରହିଛି । ୨୫ ଲକ୍ଷ ଟଙ୍କା ସୁପାରୀ ଦେଇଥିଲା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ।
ପୋଲିସ ଦାୟର କରିଥିବା ଚାର୍ଜସିଟରେ କୁହାଯାଇଛି କି, ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସଲମାନଙ୍କୁ ହତ୍ୟା କରିବା ପାଇଁ ଆଧୁନିକ ଅସ୍ତ୍ରଶସ୍ତ୍ର ଆଣି ରଖିଥିଲା । ଗତ ଏପ୍ରିଲରେ ସଲମାନଙ୍କ ବାନ୍ଦ୍ରା ସ୍ଥିତ ବାସଭବନ ସାମ୍ନାରେ ଗୁଳିମାଡ଼ ହୋଇଥିଲା । ପାନ୍ ଭେଲ ସ୍ଥିତ ଫାର୍ମହାଉସରେ ହତ୍ୟା ଯୋଜନା କରିଥିଲା । ୫ ଅଭିଯୁକ୍ତ ପାକିସ୍ତାନ ସହ ଯୋଗାଯୋଗରେ ଥିଲେ । ପାକିସ୍ତାନରୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଆଣିବାକୁ ଯୋଜନା କରିଥିଲେ । AK-47, AK-92, M-16, ଜିଗାନା ବନ୍ଧୁକ ଆଣିଥିଲେ । ସଲମାନଙ୍କ ଗତିବିଧିକୁ ଟ୍ରାକ୍ କରୁଥିଲେ ୬୦ରୁ ୭୦ ଅପରାଧୀ । ୨୦୨୩ ଅଗଷ୍ଟରୁ ୨୦୨୪ ଏପ୍ରିଲ ଯାଏଁ ଟ୍ରାକ୍ କରିଥିଲେ ।
ଗତ ଏପ୍ରିଲ ମାସରେ ଘର ଆଗରେ ଗୁଳିମାଡ଼ ଘଟଣାରେ ୫ ଜଣ ଗିରଫ ହୋଇଛନ୍ତି । ଅଭିଯୁକ୍ତ ସୁଖା ପାକିସ୍ତାନୀ ଅସ୍ତ୍ରବେପାରୀଙ୍କ ସହ ଯୋଗାଯୋଗରେ ଥିଲା । ହତ୍ୟା ପରେ କନ୍ୟାକୁମାରୀ ପଳାୟନ ଯୋଜନା କରାଯାଇଥିଲା ।
ତେବେ ଏନସିପି ନେତା ବାବା ସିଦ୍ଦିକିଙ୍କୁ ହତ୍ୟା ପରେ ସଲମାନଙ୍କୁ ଓ୍ୱାଇ ପ୍ଲସ ସୁରକ୍ଷା ଯୋଗାଯାଇଛି । ବାବା ସିଦ୍ଦିକୀଙ୍କୁ ମୁମ୍ବାଇରେ ଗୁଳି କରି ହତ୍ୟା କରାଯାଇଛି । ଏହି ହତ୍ୟା ପାଇଁ ନିଜକୁ ଦାୟୀ କରିଛି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ । ବାବା ସିଦ୍ଦିକୀ, ସଲମାନଙ୍କର ଅତି ଘନିଷ୍ଠ ଥିଲେ । ବିଷ୍ଣୋଇ ଗ୍ୟାଙ୍ଗ୍ର ସଲମାନଙ୍କ ସହ ପୁରୁଣା ଶତ୍ରୁତା ରହିଛି ।
ବଲିଉଡ୍ ଷ୍ଟାର ସଲମାନ ଖାନ ୧୯୯୮ରେ ଫିଲ୍ମ ‘ହମ୍ ସାଥ୍ ସାଥ୍ ହୈ’ର ସୁଟିଂ ସମୟରେ ରାଜସ୍ଥାନରେ କଳା ହରିଣ ଶିକାର କରିଥିଲେ । କଳା ହରିଣକୁ ବିଷ୍ଣୋଇ ସମାଜ ବହୁତ ପବିତ୍ର ବୋଲି ମାନନ୍ତି । ଏହା ପରଠାରୁ ବିଷ୍ଣୋଇ ସମ୍ପ୍ରଦାୟ ସଲମାନ ଖାନଙ୍କୁ ନେଇ କ୍ରୋଧିତ ରହିଛି । ୨୦୧୮ରେ ଯେବେ ସଲମାନ ଯୋଧପୁର କୋର୍ଟରେ ହାଜର ହୋଇଥିଲେ, ସେହି ସମୟରେ ଲରେନ୍ସ ବିଷ୍ଣୋଇ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ।