ସାବଧାନ! କରୋନାର ବୁଷ୍ଟର ଡୋଜ୍‌ ନାଁରେ ଠକୁଛନ୍ତି ହ୍ୟାକର, ଧରାପଡ଼ିଲା ଆକାଉଣ୍ଟ ହ୍ୟାକ୍‌ କରି କୋଟି କୋଟି ଟଙ୍କା ଲୁଟୁଥିବା ଗ୍ୟାଙ୍ଗ୍‌

କରୋନା ମହାମାରୀରେ କେତେ ବେଳେ ଅକ୍ସିଜେନ୍‌ ସିଲିଣ୍ଡର ଅଭାବ ତ ଆଉ କେତେ ବେଳେ ଅକ୍ସିଜେନ୍‌ କନ୍‌ସନ୍‌ଟ୍ରେଟର ଯୋଗୁ ରୋଗୀମାନେ ପ୍ରବଳ ହଇରାଣ ହେଉଛନ୍ତି। ଏବେ ପୁଣିଥରେ ଏଭଳି ଏକ ଠକେଇ ସାମ୍ନାକୁ ଆସିଛି, ଯାହା କରୋନା ରୋଗୀଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଛି। ଏବେ ସାଇବର ଠକମାନେ ବୁଷ୍ଟର ଡୋଜ୍‌ ନାଁରେ ଲୋକଙ୍କୁ ଚୁନା ଲଗାଉଛନ୍ତି। ଦିଲ୍ଲୀ ପୋଲିସର ସ୍ପେଶାଲ ସେଲର ଆଇଏଫ୍‌ଏସ୍‌ଓ ୟୁନିଟ୍‌ ଓମିକ୍ରନ୍‌ ବୁଷ୍ଟର ଡୋଜ୍‌ ନାଁରେ ଠକେଇ କରୁଥିବା ୩ ଜଣଙ୍କୁ ଗିରଫ କରିଛି। ଏହି ମାମଲାରେ ପୋଲିସ ଇତି ମଧ୍ୟରେ ୨୪ ଜଣଙ୍କୁ ଗିରଫ କରିଛି।

ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ବ୍ୟାଙ୍କ ଆକାଉଣ୍ଟକୁ ବି ପୋଲିସ ସିଜ୍‌ କରିଛି। ଏମାନଙ୍କ ନାଁରେ ୮ଟି ବ୍ୟାଙ୍କରେ ଆକାଉଣ୍ଟ ରହିଛି। ଏହି ଆକାଉଣ୍ଟର ଡିଟେଲ୍ସ ଦେଇ ଏହି ଠକମାନେ ଲୋକଙ୍କଠାରୁ ଟଙ୍କା ଆଦାୟ କରୁଥିଲେ। ପୋଲିସ ଏମାନଙ୍କ ନିକଟରୁ ୪ଟି ଡେବିଟ୍‌ କାର୍ଡ, ୧ ଚେକ୍‌ ବୁକ୍‌ ଓ ୬ଟି ମୋବାଇଲ ଜବତ କରିଛି।

Booster Cheat
Image Credit: Twitter

ଦିଲ୍ଲୀ ପୋଲିସ ମୁତାବକ, ଏହି ଗ୍ୟାଙ୍ଗ୍‌ ନିଜକୁ ସରକାରୀ ବିଭାଗର କର୍ମଚାରୀ ପରିଚୟ ଦେଇ ବୁଷ୍ଟର ଡୋଜ୍‌ ନାଁରେ ପ୍ରଥମେ ଲୋକଙ୍କୁ କଲ୍‌ କରିଥାନ୍ତି। ଲୋକଙ୍କ ବିଶ୍ୱାସ ଜିତିବାପରେ ଫୋନ୍‌ରେ କଲ୍‌ କରି ଆପଏଣ୍ଟମେଣ୍ଟ ନେବା ପାଇଁ ହ୍ଵାଟ୍ସ ଆପ୍‌ କନ୍‌ଫରେନ୍ସ କଲ ଜଏନ୍‌ କରିବାକୁ କହିଥାନ୍ତି। ଯଦି କେହି ବ୍ୟକ୍ତି ଏହି କନ୍‌ଫରେନ୍ସ ଜଏନ୍‌ କରେ, ତେବେ ତୁରନ୍ତ ତାଙ୍କ ହ୍ଵାଟ୍ସଆପ୍‌ ଆକାଉଣ୍ଟ ହ୍ୟାକ୍‌ ହୋଇଯାଏ। ଏହା ପରେ ଏହି ଗ୍ୟାଙ୍ଗ୍‌ ଉକ୍ତ ବ୍ୟକ୍ତିଙ୍କ କଣ୍ଟାକ୍ଟରେ ଥିବା ବନ୍ଧୁ ଓ ସମ୍ପର୍କୀୟଙ୍କୁ ମେସେଜ୍‌ କରି ତାଙ୍କୁ ୟୁପିଆଇ ମାଧ୍ୟମରେ ନିଜ ଆକାଉଣ୍ଟରେ ଟଙ୍କା ପଠାଇବାକୁ କହିଥାନ୍ତି।

ଦିଲ୍ଲୀ ପୋଲିସର କହିବାନୁସାରେ , ଏହି ଗ୍ୟାଙ୍ଗ୍‌ ସହରର ଏମିତି ଅନେକ ଲୋକଙ୍କୁ ଠକି ଚାଲିଥିବା ବେଳେ ପୋଲିସ ଏହି ମାମଲାର ଖୁଲାସା ଦିଲ୍ଲୀ ଆରକେ ପୁରମ୍‌ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଅଭିଯୋଗ ପରେ କରିଥିଲା। ତଦନ୍ତ ବେଳେ ଜଣାପଡ଼ିଥିଲା ଯେ ଏହି ଗ୍ୟାଙ୍ଗ୍‌ ଇତି ମଧ୍ୟରେ ଡଜନେରୁ ଅଧିକ ଠକେଇ କରିସାରିଛନ୍ତି। ପୋଲିସ ମୁତାବକ, ମୁଖ୍ୟ ଅଭିଯୁକ୍ତ ମନୀଷ କୁମାର ବର୍ଷେ ତଳେ ୟୁଟ୍ୟୁବ୍‌ରେ ହ୍ଵାଟ୍ସଆପ୍‌ ହ୍ୟାକ୍‌ କରିବା ଉପାୟ ଶିଖିଥିଲା। ଏହା ପରେ ସେ ଏହି ଉପାୟରେ ଚାଟିଂ କରି ଲୋକଙ୍କୁ ଠକି ଆସୁଛି ବୋଲି ପୋଲିସ କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.