ସପ୍ତାହେ ଭିତରେ ୪୧ ପ୍ରତିଶତ ବଢ଼ିଲାଣି କରୋନା ରୋଗୀଙ୍କ ସଂଖ୍ୟା, ନୋଏଡ଼ାରେ ଲାଗୁ ହେଲା ୧୪୪ ଧାରା

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ଲଗାତାର ବଢ଼ିବାରେ ଲାଗିଛି। ଗତ ସପ୍ତାହ ତୁଳନାରେ ଚଳିତ ସପ୍ତାହରେ କରୋନା ମାମଲା ୪୧ ପ୍ରତିଶତ ବୃଦ୍ଧି ପାଇଛି। ଏପ୍ରିଲ ୨୫ରୁ ମେ’ ୧ ମଧ୍ୟରେ ଭାରତରେ କରୋନାର ମୋଟ୍‌ ୨୨,୨୦୦ଟି ନୂଆ ମାମଲା ସାମ୍ନାକୁ ଆସିଛି। ପ୍ରକାଶ ଯେ ପୂର୍ବ ସପ୍ତାହରେ ଏହି ହାର ପାଖାପାଖି ୧୫,୮୦୦ ଥିଲା। ଦିଲ୍ଲୀ, ଉତ୍ତର ପ୍ରଦେଶ ଓ ହରିୟାଣାରେ କରୋନାର ସବୁଠୁ ଅଧିକ ମାମଲା ଦେଖିବାକୁ ମିଳିଛି। ଅନ୍ୟପଟେ କରୋନାର ବର୍ଦ୍ଧିତ ମାମଲାକୁ ଦେଖି ନୋଏଡ଼ାରେ ୧୪୪ ଧାରା ଲାଗୁ ହୋଇଛି।

କରୋନାର ମୋଟ୍‌ ମାମଲା ମଧ୍ୟରୁ ୬୮ ପ୍ରତିଶତ ଦିଲ୍ଲୀ, ହରିୟାଣା ଓ ଉତ୍ତର ପ୍ରଦେଶରୁ ହିଁ ଚିହ୍ନଟ ହୋଇଛନ୍ତି। କିନ୍ତୁ ଆଶ୍ୱସ୍ତିକର କଥା ହେଉଛି, କରୋନା ଯୋଗୁ ମୃତ୍ୟୁ ହାର ବୃଦ୍ଧି ପାଇନାହିଁ। ଗତ ସପ୍ତାହରେ ଦିଲ୍ଲୀରେ କରୋନା ମାମଲାରେ ୫୩ ପ୍ରତିଶତ ବୃଦ୍ଧି ହୋଇଛି। ମୋଟ୍‌ ୨୦ଟି ରାଜ୍ୟରେ କରୋନା ମାମଲା ବୃଦ୍ଧି ପାଇଛି। କିନ୍ତୁ ଅଧିକାଂଶ ରାଜ୍ୟରେ ଗତ ସପ୍ତାହରେ କରୋନାର ପାଖାପାଖି ୧ ହଜାର ମାମଲା ସାମ୍ନାକୁ ଆସିଛି।

ହରିୟାଣାରେ ଗତ ସପ୍ତାହରେ ମୋଟ୍‌ ୩୭୦୦ ନୂଆ ମାମଲା ଆସିଛି, ଯାହା ଗତ ସପ୍ତାହ ତୁଳନାରେ ୬୧ ପ୍ରତିଶତ ଅଧିକ। ସେହିପରି କେରଳରେ ଗତ ସପ୍ତାହରେ ୨୦୦୦, ଉତ୍ତର ପ୍ରଦେଶରେ ମୋଟ୍‌ ୧୭୦୦, ମହାରାଷ୍ଟ୍ରରେ ମୋଟ୍‌ ୧୦୦୦ ନୂଆ କରୋନା ମାମଲା ସାମ୍ନାକୁ ଆସିଛି। କିନ୍ତୁ କେରଳରେ ଗତ ସପ୍ତାହରେ କରୋନାରେ କାହାର ବି ମୃତ୍ୟୁ ହୋଇନାହିଁ, ଯାହା ଟିକେ ଚିନ୍ତା କମାଇଛି।

ନୋଏଡ଼ାରେ ଲାଗୁ ହେଲା ୧୪୪ ଧାରା:

କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନୋଏଡ଼ାରେ ୧୪୪ ଧାରା ଲାଗୁ ହୋଇଛି। କୌଣସି ବ୍ୟକ୍ତିଙ୍କୁ ବିରୋଧ ପ୍ରଦର୍ଶନ କରିବାକୁ କିମ୍ବା ଆନ୍ଦୋଳନ କରିବାକୁ ହେଲେ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଠାରୁ ଅନୁମତି ନେବାକୁ ବାଧ୍ୟତାମୂଳକ କରାଯାଇଛି। ଗୌତମବୁଦ୍ଧନଗରର ପୋଲିସ କମିଶନର କାର୍ଯ୍ୟାଳୟ ପକ୍ଷରୁ ଏକ ବୟାନରେ କୁହାଯାଇଛି ଯେ ସାର୍ବଜନିନ ସ୍ଥାନରେ ପୂଜା ଓ ନମାଜ ପାଠ ପାଇଁ ଅନୁମତି ଦିଆଯିବ ନାହିଁ। ଯଦି କେହି ଆଇନ୍‌ ଉଲ୍ଲଂଘନ କରେ ତେବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଗତ ସପ୍ତାହରେ ପୋଲିସ ପକ୍ଷରୁ କୁହାଯାଇଥିଲା ଯେ ନୋଏଡ଼ା ଓ ଗ୍ରେଟର ନୋଏଡ଼ାରେ ସାର୍ବଜନିନ ସ୍ଥାନକୁ ବିନା ଫେସ୍‌ ମାସ୍କରେ ଯାଇଥିବା ୧ ହଜାରରୁ ଅଧିକ ଲୋକଙ୍କ ଠାରୁ ଜରିମାନା ଆଦାୟ ହୋଇଛି। ସୂଚନାଯୋଗ୍ୟ ଯେ ନୋଏଡ଼ା ପ୍ରଶାସନ ପକ୍ଷରୁ ଫେସ୍‌ ମାସ୍କର ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି।

Also Read: ମେଧାବୀ ଛାତ୍ରଛାତ୍ରୀଙ୍କୁ ମାସିକ ୫୦,୦୦୦ ଟଙ୍କାର ସ୍କଲାରସିପ୍‌ ଦେଉଛି ICAI, ତୁରନ୍ତ କରନ୍ତୁ ଆବେଦନ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.