କରୋନା ଭୟକୁ ଜିତିଗଲା ‘ନିର୍ଭୟା’, ତିହାର ଜେଲ୍‌ ସାମନାରେ ବିନା ମାସ୍କରେ ଏକାଠି ହେଲେ ହଜାର ହଜାର ଲୋକ

ନିର୍ଭୟା ଦୁଷ୍କର୍ମ ମାମଲାରେ ଦୋଷୀଙ୍କୁ ଫାଶୀ ଦଣ୍ଡ ମିଳୁ ଏକଥା ସାରା ଦେଶ ଚାହୁଁଥିଲା । ଦୀର୍ଘ ୭ ବର୍ଷ ଧରି ମାମଲା ତଳ କୋର୍ଟରୁ ସର୍ବୋଚ୍ଚ ନ୍ୟାୟାଳୟ ଯାଏ ଚାଲିଥିଲା ଶୁଣାଣି । ଦୋଷୀଙ୍କ ଓକିଲ ବିଭିନ୍ନ ଚାଲ୍‌ ଚଳାଇ, ଆଇନ୍‌ର ଗଳାବାଟକୁ ସାହାରା କରି ଚାରି ଜଣ ଦୁଷ୍କର୍ମୀଙ୍କୁ ପାଖାପାଖି ତିନି ବର୍ଷ ହେଲା ବଞ୍ଚାଇ ଆସୁଥିଲେ । ହେଲେ ଶେଷରେ ଫାଶୀ ହେଲା ଏବଂ ନ୍ୟାୟର ବିଜୟ ହେଲା । ତେବେ ନିର୍ଭୟା ମାମଲା ଏତେ ସମ୍ବେଦନଶୀଳ ଥିଲା ଯେ ଦେଶର ଅଧିକାଂଶ ଲୋକଙ୍କୁ ଏହି ଘଟଣା ସହ ଅବଗତ ହେବାକୁ ବାଧ୍ୟ କରିଥିଲା । ଆଉ ତାର ଉଦାହରଣ ହେଉଛି ପ୍ରତ୍ୟେକ ଶୁଣାଣି ଏବଂ ରାୟ ପ୍ରକାଶ ବେଳେ ଲୋକଙ୍କ ଭିଡ଼ । ଗଣମାଧ୍ୟମରେ ଗତ ପ୍ରାୟ ବର୍ଷେ ହେବ ଏହି ଖବର ଛାଇ ରହିଥିଲା । ଆଉ ସମସ୍ତେ ଚାହୁଁଥିଲେ ଶୀଘ୍ର ଦୋଷୀଙ୍କୁ ଫାଶୀ ହେଉ ।

people-2
ତେବେ ସବୁଠାରୁ ବଡ଼ କଥା ଥିଲା ଆଜି ଭୋର ସମୟର ଭିଡ଼ । ବର୍ତ୍ତମାନ କରୋନା ଯୋଗୁଁ ସାରା ଦେଶରେ ଆତଙ୍କ ଖେଳି ଯାଇଛି । ସରକାରଙ୍କ ନିର୍ଦ୍ଦେଶ କ୍ରମେ ଭିଡ଼ ଉପରେ କଟକଣା କରାଯାଇଛି । ହେଲେ ଗତକାଲି ରାତିରୁ ଦିଲ୍ଲୀର ତିହାର ଜେଲ୍‌ ସାମନାରେ ଲୋକେ ଅପେକ୍ଷା କରି ରହିଥିଲେ । ଯଦିଓ କେହି ଫାଶୀ ଦେଖି ପାରିବାର ସମ୍ଭାବନା ନଥିଲା ତଥାପି ସମସ୍ତେ ଏକାଠି ହୋଇଥିଲେ କେବଳ ନିର୍ଭୟାଙ୍କୁ ଜେଲ୍‌ ଭିତରେ ନ୍ୟାୟ ମିଳିବ ବୋଲି । ଏହି ସମୟରେ ସମସ୍ତେ ପାଖାପାଖି ଥିଲେ । କାହା ମୁହଁରେ ମାସ୍କ ନଥିଲା । ଏମିତିକି ରୁମାଲ କି ସ୍କାର୍ଫ ମଧ୍ୟ ବାନ୍ଧିନଥିଲେ । କିଏ ହାତରେ ପ୍ଲାକାର୍ଡ଼ ଧରି ବୁଲୁଥିଲା ତ ଆଉ କିଏ ନିର୍ଭୟାକୁ ନ୍ୟାୟ ବୋଲି ନାରା ଦେଉଥିଲା । ଶୁଭୁଥିଲା ‘ନିର୍ଭୟା ଜିନ୍ଦାବାଦ୍‌, ଏ.ପି ସିଂହ ମୁର୍ଦ୍ଦାବାଦ’ । ଏସବୁକୁ ପୋଲିସ୍‌ ଦେଖୁଥିଲା ହେଲେ କିଛି କରିନଥିଲା ।

people-3ଯେମିତି ଘଣ୍ଟାରେ ଠିକ୍‌ ୫ଟା ବାଜି ୩୦ ମିନିଟ୍‌ ହୋଇଛି ସମସ୍ତେ ଖୁସିରେ ଝୁମି ଉଠିଥିଲେ । ଯଦିଓ କେବଳ ଗଣମାଧ୍ୟମ ପ୍ରତିନିଧିଙ୍କ ବ୍ୟତୀତ ଅନ୍ୟ କେହି ଫାଶୀ ହୋଇ ସାରିଥିବାର ଖବର ପାଇନଥିଲେ ତଥାପି ସାଧାରଣ ଲୋକେ ପରସ୍ପର ମଧ୍ୟରେ ମିଠା ଖୁଆଖୁଇ ହେଉଥିଲେ । ନିର୍ଭୟାଙ୍କ ବାପା ମା ଓ ପରିବାର ଲୋକଙ୍କ ପାଖରେ ଭିଡ଼ ଲଗାଇ ଖୁସି ହେଉଥିଲେ । ତା ପରେ ସେହି ଜାଗା ଜନଶୂନ୍ୟ ହୋଇ ଯାଇଥିଲା ।
ତେବେ ଆଶ୍ଚର୍ଯ୍ୟ କଥା ହେଉଛି କରୋନା ଭୟକୁ ଜିତି ଯାଇଥିଲେ ନିର୍ଭୟା । ନଚେତ କରୋନା ଭାରସ୍‌ ଭୟରେ ଘରୁ ବାହାରିବାକୁ ରାଜି ନଥିବା ଲୋକ ରାତି ଅନିଦ୍ରା ହୋଇ ତିହାର ଜେଲ୍‌ ପାଖରେ ଅପେକ୍ଷା କରିଥାନ୍ତେ କାହିଁକି ?

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.