ଚୀନରେ ଭୟଙ୍କର ସ୍ଥିତି, ମହାମାରୀ ବ୍ୟାପିବା ଦିନଠୁ ଦିନକରେ ୩୧ହଜାର ୪୫୪ ସଂଖ୍ୟକ ସଂକ୍ରମିତ ଚିହ୍ନଟ

ଚୀନରେ ମାଡୁଛି କରୋନା । ଦୈନିକ ସଂକ୍ରମଣ ହୁ ହୁ ହୋଇ ବଢୁଛି । ଭୟଙ୍କର ସ୍ଥିତି । ଆଜି ଦିନକରେ ଚିହ୍ନଟ ହୋଇଛନ୍ତି ରେକର୍ଡ ୩୧ହଜାର ୪୫୪ ସଂକ୍ରମିତ । ମହାମାରୀ ବ୍ୟାପିବା ଦିନଠୁ ଚୀନରେ ଦିନକରେ ଏତେ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହୋଇ ନଥିଲେ । ୨୭ ହଜାର ନୂଆ ସଂକ୍ରମିତଙ୍କ ପାଖରେ କୌଣସି ଲକ୍ଷଣ ନାହିଁ । ଏନେଇ ଚୀନର ନ୍ୟାସନାଲ୍ ହେଲ୍ଥ ବ୍ୟୁରୋ ପକ୍ଷରୁ ସୂଚନା ଦିଆଯାଇଛି । ଚୀନର ଜନସଂଖ୍ୟା ତୁଳନାରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବହୁତ କମ୍ । ତଥାପି ମହାମାରୀ କାୟା ମେଲାଉଥିବାରୁ ଚିନ୍ତା ବଢ଼ିଛି ।
ସେପଟେ ସଂକ୍ରମଣରେ ରୋକ ଲଗାଇବାକୁ ଫେରିଛି ଲକଡାଉନ୍ । ସଂକ୍ରମଣ ବ୍ୟାପୁଥିବା ଅଞ୍ଚଳରେ କଟକଣାକୁ କଡ଼ାକଡ଼ି କରାଯାଇଛି । ଗତ ଏପ୍ରିଲରେ ଚୀନରେ ଦୈନିକ ସର୍ବାଧିକ ୨୯ହଜାର ୩୯୦ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଲକଡାଉନ୍ ଘୋଷଣା ପରେ ଗତକାଲି ଚୀନ୍ ଆଇଫୋନ୍ ସିଟିରେ ବ୍ୟାପକ ହିଂସା ହୋଇଛି । ଲକଡାଉନ୍ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଥିଲେ ସାଧାରଣ ଲୋକ । ଝେଙ୍ଗଝୁ ସହରରେ ଥିବା ଫକ୍ସଫନ୍ ଟେକ୍ନୋଲୋଜି ଗ୍ରୁପର ସବୁଠୁ ବଡ଼ ଆଇଫୋନ ପ୍ଲାଣ୍ଟ ଅଞ୍ଚଳରେ ଜୋରଦାର ବିକ୍ଷୋଭ କରିଥିଲେ । ଫକ୍ସଫନ୍ ପ୍ଲାଣ୍ଟ କର୍ମଚାରୀ ମଧ୍ୟ ବିରୋଧ କରିଥିଲେ ।