ଏମାନଙ୍କ ପାଇଁ ଭ୍ୟାକସିନ ମନା, ଚିଠିରେ ରହିଛି ଏହି ସବୁ ନିର୍ଦ୍ଦେଶନାମା

ଜାନୁଆରୀ ୧୬ ଅର୍ଥାତ ଆସନ୍ତା କାଲି ଠାରୁ ଦେଶବ୍ୟାପୀ କରୋନା ଟୀକାକରଣ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଏନେଇ ଦେଶର କେତେକ ପ୍ରମୁଖ ସହର ମାନଙ୍କୁ ବି ଟୀକା ପଠାଯାଇ ସାରିଲାଣି । କିନ୍ତୁ ଗୁରୁବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏନେଇ ଆବଶ୍ୟକ ଦିଶାନିର୍ଦ୍ଦେଶ ଜାରି କରିଛନ୍ତି । ନିର୍ଦ୍ଦେଶନାମା ଅନୁଯାୟୀ ୧୮ ବର୍ଷରୁ ଅଧିକ ବୟସର ଯୁବକଙ୍କୁ ହିଁ ଭ୍ୟାକସିନ ପାଇଁ ଅନୁମତି ମିଳିପାରିବ । ଗର୍ଭବତୀ, ଛୋଟ ଶିଶୁ, ସ୍ତନ୍ୟପାନ କରାଉଥିବା ମହିଳା ମାନେ ଟୀକା ନେଇ ପାରିବେ ନାହିଁ । ଏହା ସହ ଭ୍ୟାକସିନରେ କୌଣସି ପ୍ରକାର ପରିବର୍ତ୍ତନ ପାଇଁ ବି ଅନୁମତି ମିଳିବ ନାହିଁ । କାରଣ ବିଭିନ୍ନ ସ୍ତର ଦେଇ ଭ୍ୟାକସିନ ଟେଷ୍ଟ ହେଉଥିବା ସମୟରେ ଏମାନଙ୍କୁ ସାମିଲ କରାଯାଇ ନଥିଲା । ତେଣୁ ଏମାନଙ୍କ ଶରୀରରେ ଏହା କିପରି ପ୍ରତିକ୍ରିୟା କରିବ ସେନେଇ କୌଣସି ପ୍ରକାର ସ୍ପଷ୍ଟତା ଆସିପାରି ନାହିଁ । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଅତିରିକ୍ତ ସଚିବ ମନୋହର ଅଜନାନୀ ବି ଚିଠିରେ ଭ୍ୟାକସିନରେ କୌଣସି ପ୍ରକାର ପରିବର୍ତ୍ତନ ନକରିବା ନେଇ ସୂଚନା ଦେଇଥିବା ଜଣାଯାଇଛି ।

vaccine

ଆଉ ଏହା ମଧ୍ୟ ଦର୍ଶାଯାଇଛି ବ୍ୟକ୍ତିଙ୍କୁ ପ୍ରଥମ ଡୋଜ ଯେଉଁ ଭ୍ୟାକସିନର ଦିଆଯାଇଛି, ଦ୍ଵିତୀୟ ଡୋଜ ବି ସେହି ଭ୍ୟାକ୍ସିନର ହିଁ ଦିଆଯିବ । ଆଉ ଦୁଇ ଡୋଜ ଭିତରେ ଅତି କମରେ ୧୪ ଦିନର ବ୍ୟବଧାନ ରହିବ । ଚିଠିରେ ଦୁଇ ଭ୍ୟାକସୀନର ବିଶେଷତା ବାବଦରେ ଉଲ୍ଲେଖ କରାଯିବା ସହ ଏହା ପରେ ଘଟୁ ଥିବା ଛୋଟ ଛୋଟ ପରିବର୍ତ୍ତନ ବାବଦରେ ବି ସୂଚାଇ ଦିଆଯାଇଛି ।

ଟୀକା ନେବା ପୂର୍ବରୁ ବ୍ୟକ୍ତିଙ୍କ ମେଡିକାଲ ହିଷ୍ଟ୍ରୀ ଯାଞ୍ଚକୁ ବାଧ୍ୟତାମୂଳକ କରାଯାଇଛି । ପୂର୍ବରୁ କରୋନା ଆକ୍ରାନ୍ତ ଥିଲେ ଅତି କମରେ ସୁସ୍ଥ ହେବାର ୮ ସପ୍ତାହ ପରେ ସେମାନେ ଟୀକା ନେଇପାରିବେ । କୌଣସି ଆଲର୍ଜି ଥିଲେ ସାବଧାନ ରହିବାକୁ କୁହାଯାଇଛି । ଆଉ ଯେଉଁ ମାନେ ପୂର୍ବରୁ କୌଣସି ରୋଗରେ ପୀଡିତ ଥିବେ ବା କରୋନା ଆକ୍ରାନ୍ତ ହୋଇଥିବେ ବା ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିବେ ସେମାନେ ଯଦି ଟୀକା ନେବା ପରେ କୌଣସି ପ୍ରକାର ଅସ୍ଥିରତା ଅନୁଭବ କରନ୍ତି ତେବେ ସେମାନଙ୍କୁ ତୁରନ୍ତ ପାରାସିଟାମଲ ଦେବାକୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.