ପିଲାଙ୍କ ଜୀବନ ସହ ଖେଳ! ଗୋଟିଏ ସିରିଞ୍ଜ୍‌ରେ ୩୦ ପିଲାଙ୍କୁ ଦେଇଦେଲେ କରୋନା ଟିକା; ପଚାରିବାରୁ କହିଲେ, ମୋର ଭୁଲ୍‌ କ’ଣ

ମଧ୍ୟ ପ୍ରଦେଶର ସାଗରରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ସ୍ୱାସ୍ଥ୍ୟକର୍ମୀ ଗୋଟିଏ ହିଁ ସିରିଞ୍ଜରେ ୩୦ ଜଣ ଛାତ୍ରଛାତ୍ରୀଙ୍କୁ କୋଭିଡ୍‌ ଟିକା ଦେଇ ଦେଇଛନ୍ତି। ଏହି ଘଟଣା ଗତକାଲିର। ଟିକା ଦେଇଥିବା ଜିତେନ୍ଦ୍ର ନାମକ ବ୍ୟକ୍ତି ଦାବି କରିଛନ୍ତି ଯେ ଅଧିକାରୀ କେବଳ ଗୋଟିଏ ହିଁ ସିରିଞ୍ଜ ପଠାଇଥିଲେ ଏବଂ ସମସ୍ତ ଛାତ୍ରଛାତ୍ରୀଙ୍କୁ ଏକାଠି ଟିକା ଦେଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

ମାମଲା ଜଣାପଡ଼ିବା ପରେ ଛାତ୍ରଛାତ୍ରୀଙ୍କ ଅଭିଭାବକ ଏକ ଭିଡିଓ ରେକର୍ଡ କରିଥିଲେ। ଏଥିରେ ଜିତେନ୍ଦ୍ର କହିଛନ୍ତି କି, ସେ ସମ୍ପୃକ୍ତ ଅଧିକାରୀଙ୍କ ନାମ ଜାଣି ନାହାନ୍ତି। କହି ରଖୁଛୁ, ଡିସ୍‌ପୋଜେବଲ ସିରିଞ୍ଜ କେବଳ ଗୋଟିଏ ଥର ହିଁ ବ୍ୟବହୃତ ହୋଇଥାଏ। ୧୯୯୦ ଦଶକରୁ ଏଚ୍‌ଆଇଭି ବ୍ୟାପିବା ପରଠୁ ଡିସ୍‌ପୋଜେବଲ ସିରିଞ୍ଜ ବ୍ୟବହାର ହୋଇ ଆସୁଛି। ହେଲେ ସୋସିଆଲ ମିଡିଆରେ ଯେଉଁ ଭିଡିଓ ଏବେ ଭାଇରାଲ ହେଉଛି, ସେଥିରେ ଯୁବକ ଜଣକ କହୁଛନ୍ତି, ‘ଯେଉଁ ବ୍ୟକ୍ତି ସାମଗ୍ରୀ ବିତରଣ କରିଛନ୍ତି, ସେ କେବଳ ଗୋଟିଏ ସିରିଞ୍ଜ ଦେଇଥିଲେ’।

ଏହି ଘଟଣା ସାଗର ସହରରେ ଥିବା ଏକ ଉଚ୍ଚ ମାଧ୍ୟମିକ ସ୍କୁଲରେ କୋଭିଡ୍‌ ଟିକାକରଣ ଶିବିର ସମୟରେ ଘଟିଛି। ପ୍ରାଥମିକ ଯାଞ୍ଚ ପରେ ସ୍ୱାସ୍ଥ୍ୟ ବିଭାଗ ସ୍ଥାନୀୟ ଥାନାରେ ଭ୍ୟାକ୍ସିନେଟରଙ୍କ ବିରୋଧରେ ଏତଲା ଦାୟର କରିଛି। ଏହାସହ ଜିଲ୍ଲା ଟିକାକରଣ ଅଧିକାରୀଙ୍କ ବିରୋଧରେ ବିଭାଗୀୟ ଯାଞ୍ଚ ଆଦେଶ ଦିଆଯାଇଛି।

ସୂଚନା ମୁତାବକ, ଘରୋଇ ନର୍ସିଂ କଲେଜରେ ଅଧ୍ୟୟନରତ ତୃତୀୟ ବର୍ଷର ଛାତ୍ର ଜିତେନ୍ଦ୍ରଙ୍କୁ ଟିକାକରଣ ଡ୍ୟୁଟିରେ ଲଗା ଯାଇଥିଲା। ସେ ଯେତେ ବେଳେ ଗୋଟିଏ ସିରିଞ୍ଜ୍‌ରେ ଛାତ୍ର ଛାତ୍ରୀଙ୍କୁ ଟିକା ଦେଇଥିଲେ, ତ ଏହା ଉପରେ ଜଣେ ଅଭିଭାବକଙ୍କ ନଜର ପଡ଼ିଥିଲା। ତା’ ପରେ ଘଟଣା ସାମ୍ନାକୁ ଆସିଥିଲା।

ଏ ବିଷୟରେ ଜିତେନ୍ଦ୍ରଙ୍କୁ ପ୍ରଶ୍ନ କରାଯିବାରୁ ସେ କହିଥିଲେ, ‘ମୋତେ କଲେଜର ଏଚ୍‌ଓଡି ନେଇକି ଯାଇଥିଲେ। ମୋତେ ଗୋଟିଏ ସିରିଞ୍ଜ୍‌ ଦିଆଯାଇଥିଲା। ମୁଁ ବି ଏହାକୁ ନେଇ ପ୍ରଶ୍ନ ଉଠାଇଥିଲି, ହେଲେ ଅଧିକାରୀଙ୍କ କହିବା ଅନୁସାରେ ମୁଁ ଗୋଟିଏ ସିରିଞ୍ଜ୍‌ରେ ୩୦ ଛାତ୍ରଛାତ୍ରୀଙ୍କୁ କରୋନା ଟିକା ଦେଇଥିଲି। ଏଥିରେ ମୋର କ’ଣ ଭୁଲ୍‌ ଅଛି’?

ଅନ୍ୟ ପକ୍ଷରେ ଘଟଣାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ତଦନ୍ତ ସମୟରେ ଜିତେନ୍ଦ୍ର ଘଟଣାସ୍ଥଳରେ ଉପସ୍ଥିତ ନ ଥିଲେ। ରିପୋର୍ଟ ମୁତାବକ, ଘଟଣା ସାମ୍ନାକୁ ଆସିବା ପରଠୁ ତାଙ୍କ ମୋବାଇଲ ଫୋନ୍‌ ମଧ୍ୟ ସ୍ୱିଚ୍‌ ଅଫ୍‌ ରହିଛି। ଘଟଣାର ତଦନ୍ତ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.