ଏବେ ୨୪ ଘଣ୍ଟା ଉପଲବ୍ଧ ହେବ କରୋନା ଟିକା, ସମୟ ସୀମା ହଟାଇଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ: ଏବେ ୨୪ ଘଣ୍ଟା ଉପଲବ୍ଧ ହେବ କରୋନା ଟିକା । ନିଜ ସୁବିଧା ଅନୁସାରେ ଜଣେ ଯେକୌଣସି ସମୟରେ ଟିକା ନେଇ ପାରିବେ । ସମୟ ସୀମା ହଟାଇଲେ କେନ୍ଦ୍ର ସରକାର । ପୂର୍ବରୁ କୋଭିଡ୍ ଟିକାକରଣ ସମୟ ଥିଲା ସକାଳ ୯ଟାରୁ ଅପରାହ୍ଣ ୫ଟା । ଏହି ସମୟ ଭିତରେ କୋ ଓ୍ଵିନ୍ ପୋର୍ଟାଲରେ ପଞ୍ଜିକରଣ ହୋଇ ପାରୁଥିଲା । ଏବେ ଯେ କୌଣସି ସମୟରେ କରିହେବ । ଜଣେ ଯେକୌଣସି ସମୟରେ ପହଞ୍ଚି ଟିକା ନେଇପାରିବେ ।
ଟିକାକରଣକୁ ତ୍ୱରାନ୍ଵିତ କରିବାକୁ ସମୟ ସୀମାକୁ ହଟାଇ ଦିଆଯାଇଥିବା ଟ୍ଵିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ । ନାଗରିକଙ୍କ ସ୍ୱାସ୍ଥ୍ୟ ଓ ସମୟର ମୂଲ୍ୟକୁ ମୋଦି ବୁଝିଛନ୍ତି ବୋଲି ହର୍ଷବର୍ଦ୍ଧନ କହିଛନ୍ତି । ମାର୍ଚ୍ଚ ୧ରୁ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି । ୬୦ ବର୍ଷରୁ ଅଧିକ ଓ ଜଟିଳ ରୋଗରେ ପୀଡ଼ିତ ଥିବା ୪୫ରୁ ୫୯ ବର୍ଷ ବୟସ୍କଙ୍କୁ ଟିକା ଦିଆଯାଉଛି । ଟିକା ନେବା ପାଇଁ ମେଡିକାଲରେ ଭିଡ ଦେଖିବାକୁ ମିଳୁଛି ।