ଲକ୍ଡାଉନ୍ରେ ଦେବଦୂତ : ରାସ୍ତାରେ ଚାଲି ଚାଲି ଯାଉଥିବା ଶ୍ରମିକଙ୍କୁ ବିନା ପଇସାରେ ଟ୍ରକ୍ରେ ନେଇ ଘରେ ଛାଡ଼ୁଛନ୍ତି ଶିଖ୍ ଭାଇ, ଭିଡ଼ିଓ ଭାଇରଲ୍
ନୂଆଦିଲ୍ଲୀ : କରୋନା ଭାଇରସ୍ ଲକ୍ଡାଉନ୍ ବେଳେ ସବୁଠି ଲୋକେ ସଙ୍କଟରେ । ତେବେ ଏହି ସଙ୍କଟ ସମୟରେ ଜଣେ ଅନ୍ୟ ଜଣକୁ ସାହାଯ୍ୟ ପାଇଁ ଆଗେଇ ଆସୁଛନ୍ତି । ଏହି ଦେବଦୂତମାନଙ୍କ ମଧ୍ୟରେ ଅଛନ୍ତି ଡାକ୍ତର, ପୋଲିସ, ନର୍ସ, ସମାଜସେବୀ ଓ ସାଧାରଣ ନାଗରିକ ।
ସମସ୍ତେ ନିଜ ନିଜର ସାମର୍ଥ୍ୟ ଅନୁସାରେ ସହାୟତା ଜାରି ରଖିଛନ୍ତି । ନିକଟରେ ଦେଶର ବିଭିନ୍ନ ପ୍ରାନ୍ତରେ ଫସି ରହିଥିବା ଶ୍ରମିକମାନେ ଚାଲି ଚାଲି ହଜାର ହଜାର କି.ମି ନିଜ ଗାଁ ଅଭିମୁଖେ ଆସୁଥିବା ଦେଖାଯାଉଛି ।
ସେମାନଙ୍କ ମଧ୍ୟରେ ଅନେକ ବାଟରେ ଚାଲି ଚାଲି ଆସୁଥିବା ବେଳେ ମୃତ୍ୟୁ ମୁଖରେ ପଡ଼ିଛନ୍ତି । ଆଜି ଯାଏ ଏହି ପ୍ରବାସୀ ଶ୍ରମିକମାନଙ୍କ ମଧ୍ୟରୁ ବାଟରେ ଆସୁଥିବା ବେଳେ ଶତାଧିକଙ୍କ ମୃତ୍ୟୁ ହୋଇ ସାରିଲାଣି ।
ଶ୍ରମିକମାନଙ୍କ ଏଭଳି ସଙ୍କଟ ସମୟରେ ଦେବଦୂତ ସାଜିଛନ୍ତି କିଛି ଶିଖ୍ ଭାଇ । ସେମାନେ ନିଜ ଟ୍ରକ୍ରେ ଏହି ପାଦ ଚଲା ଶ୍ରମିକମାନଙ୍କୁ ବିନା ଅର୍ଥରେ ସେମାନଙ୍କର ଗାଁରେ ପହଁଚାଉଛନ୍ତି । ଏହି ଭିଡ଼ିଓ ଏବେ ଦେଶରେ ଖୁବ୍ ଭାଇରାଲ୍ ହୋଇଥିବା ଦେଖାଯାଇଛି ।
ଯେ କେହି ଶିଖ୍ ଭାଇଙ୍କ ଏହି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ବରିଷ୍ଠ ସାମ୍ବାଦିକ ରଜତ ଶର୍ମା ଶିଖ୍ ଭାଇଙ୍କର ଏହି କାର୍ଯ୍ୟକୁ ତାଙ୍କ ଟ୍ଵିଟରରେ ପ୍ରଶଂସା କରି ‘ଶିଖ୍ ଭାଇଙ୍କର କାର୍ଯ୍ୟକୁ ଦେଶ ସବୁବେଳେ ମନେ ରଖିବ’ ବୋଲି କହିଛନ୍ତି ।