ଆଗ୍ରାର ଫାଇଭ୍ ଷ୍ଟାର୍ ହୋଟେଲରୁ ଗାଏବ ହେଲା ପୋଷା କୁକୁର, ଖୋଜି ଆଣିଲେ ଦମ୍ପତି ଦେବେ ୫୦,୦୦୦ ଟଙ୍କା

ଉତ୍ତର ପ୍ରଦେଶର ଆଗ୍ରାରେ ଏକ କୁକୁର ନିଖୋଜ ହେବା ଖବର ଚର୍ଚ୍ଚାର ବିଷୟ ହୋଇଛି । ଖାସ୍ କଥା ହେଉଛି, ନିଖୋଜ କୁକୁରକୁ ଖୋଜି ଆଣିଲେ ୫୦ ହଜାର ଟଙ୍କା ନଗଦ ପୁରସ୍କାର ରାଶି ଦିଆଯିବ ବୋଲି ଘୋଷଣା କରାଯାଇଛି । ଖବରରୁ ପ୍ରକାଶ ଯେ ଆଗ୍ରା ବୁଲିବାକୁ ଆସିଥିବା ଜଣେ ପର୍ଯ୍ୟଟକ ଦମ୍ପତିଙ୍କ କୁକୁର ହୋଟେଲରୁ କେଉଁଆଡ଼େ ନିଖୋଜ ହୋଇଯାଇଛି । ବହୁ ଖୋଜାଖୋଜି ପରେ ବି କୁକୁର କେଉଁଠାରେ ମିଳୁନାହିଁ ।

ଦମ୍ପତି ଏବେ ହୋଟେଲ ପ୍ରଶାସନ ବିରୋଧରେ ତାଜଗଞ୍ଜ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ମାମଲା ରୁଜୁ କରିଛି । କେବଳ ଏତିକି ନୁହେଁ, ନିଖୋଜ ପୋଷା କୁକୁରକୁ ଖୋଜି ଆଣିବା ପାଇଁ ଦମ୍ପତି ଆଗ୍ରାର ବିଭିନ୍ନ ସ୍ଥାନରେ ପୋଷ୍ଟର ମଧ୍ୟ ଲଗାଇଛନ୍ତି ।

ଗୁରୁଗ୍ରାମର ଏହି ଦମ୍ପତି ଆଗ୍ରାର ଏକ ଫାଇଭ୍ ଷ୍ଟାର୍ ହୋଟେଲରେ ନଭେମ୍ବର ୧ରେ ରହିଥିଲେ । ତାଜମହଲ ବୁଲିବାକୁ ଆସିଥିବା ଦମ୍ପତିଙ୍କ ସହ ତାଙ୍କର ଦୁଇ ପୋଷା କୁକୁର ମଧ୍ୟ ଥିଲେ । ହୋଟେଲରେ କୁକୁରମାନଙ୍କ ଯତ୍ନ ନେବା ପାଇଁ ପେଟ୍ ସିଟିଙ୍ଗର ସୁବିଧା ଉପଲବ୍ଧ ଥିଲା, ଯେଉଁଥିପାଇଁ ଦମ୍ପତି ହୋଟେଲ ପ୍ରଶାସନକୁ ୩ ଘଣ୍ଟା ପାଇଁ ୨ ହଜାର ଟଙ୍କା ହିସାବରେ ପେମେଣ୍ଟ କରିଥିଲେ । ନଭେମ୍ବର ୩ ତାରିଖ ସକାଳେ ଦମ୍ପତି ତାଙ୍କର ଗୋଟିଏ କୁକୁର ଗ୍ରେ ହାଉଣ୍ଡକୁ ହୋଟେଲର ପେଟ୍ ସିଟିଙ୍ଗ ସେବାକୁ ହସ୍ତାନ୍ତର କରି ଫତେପୁର ସିକ୍ରି ବୁଲିବାକୁ ଚାଲିଯାଇଥିଲେ ।

ଯେତେବେଳେ ସେମାନେ ଫେରିଥିଲେ, ସେମାନଙ୍କୁ ଏକ ଆଶ୍ଚର୍ଯ୍ୟଜନକ ଖବର ମିଳିଥିଲା । ସେମାନେ ଜାଣିବାକୁ ପାଇଥିଲେ କି, ତାଙ୍କ କୁକୁର କେଉଁଆଡ଼େ ଗାଏବ ହୋଇଯାଇଛି । ହୋଟେଲ ଏବଂ ଆଖପାଖ ଅଞ୍ଚଳରେ ସେମାନେ କୁକୁରକୁ ବହୁତ ଖୋଜାଖୋଜି କରିଥିଲେ । ସିସିଟିଭି ଫୁଟେଜ୍ ମଧ୍ୟ ଯାଞ୍ଚ କରିଥିଲେ, ତଥାପି କିଛି ସନ୍ଧାନ ମିଳି ନ ଥିଲା ।

ଏବେ ସେମାନେ ସହର ସାରା କାନ୍ଥରେ କୁକୁରର ନିଖୋଜ ପୋଷ୍ଟର ଲଗାଇଛନ୍ତି । ଏହା ସହିତ ଖୋଜି ଆଣିଲେ ୫୦ ହଜାର ଟଙ୍କା ପୁରସ୍କାର ଦେବାକୁ ଘୋଷଣା କରିଛନ୍ତି । କପଲ ହୋଟେଲ କର୍ତ୍ତୃପକ୍ଷଙ୍କ ଅବହେଳା ନେଇ ଥାନାରେ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଛି ।

You might also like