ୟୁପିରେ ଅସଦୁଦ୍ଦିନ ଓବେସୀଙ୍କ ଗାଡ଼ିକୁ ଫାୟାରିଂ ମାମଲା: ୨ ଅଭିଯୁକ୍ତଙ୍କୁ କୋର୍ଟରୁ ଜାମିନ୍
୨ ବର୍ଷ ପୂର୍ବେ ଅଲ୍ ଇଣ୍ଡିଆ ମଜଲିସ୍-ଏ-ଇତେହାଦୁଲ୍ ମୁସଲିମେନ (AIMIM) ମୁଖ୍ୟ ଅସଦୁଦ୍ଦିନ ଓବେସୀଙ୍କ ଗାଡ଼ିକୁ ଫାୟାରିଂ ମାମଲାରେ ଆହ୍ଲାବାଦ ହାଇକୋର୍ଟ ବଡ଼ ନିଷ୍ପତ୍ତି ନେଇଛନ୍ତି । ଅଭିଯୁକ୍ତ ସଚିନ ଶର୍ମା ଓ ଶୁଭମ୍ ଗୁଜରଙ୍କୁ କୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ।
୨ ବର୍ଷ ପୂର୍ବେ ଅଲ୍ ଇଣ୍ଡିଆ ମଜଲିସ୍-ଏ-ଇତେହାଦୁଲ୍ ମୁସଲିମେନ (AIMIM) ମୁଖ୍ୟ ଅସଦୁଦ୍ଦିନ ଓବେସୀଙ୍କ ଗାଡ଼ିକୁ ଫାୟାରିଂ ମାମଲାରେ ଆହ୍ଲାବାଦ ହାଇକୋର୍ଟ ବଡ଼ ନିଷ୍ପତ୍ତି ନେଇଛନ୍ତି । ଅଭିଯୁକ୍ତ ସଚିନ ଶର୍ମା ଓ ଶୁଭମ୍ ଗୁଜରଙ୍କୁ କୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ଆହ୍ଲାବାଦ ହାଇକୋର୍ଟ ବ୍ୟକ୍ତିଗତ ବଣ୍ଡ୍ ଏବଂ ଦୁଇଟି ସୁନିଶ୍ଚିତତା ନେଇ ଉଭୟଙ୍କୁ ମୁକ୍ତ କରିବାକୁ ଆଦେଶ ଦେଇଛନ୍ତି ।
ଜଷ୍ଟିସ୍ ପଙ୍କଜ ଭାଟିଆଙ୍କ ଏକକ ବେଞ୍ଚ ଏହି ନିର୍ଦ୍ଦେଶ ଜାରି କରିଛନ୍ତି । ସଚିନ ଶର୍ମା ଓ ଶୁଭମ୍ ଗୁଜରଙ୍କ ଜାମିନ୍ ପିଟିସନ ଉପରେ ଶୁଣାଣି କରି ବେଞ୍ଚ୍ ଏହି ଆଦେଶ ଦେଇଛନ୍ତି । ଜାମିନ ସର୍ତ୍ତରେ ଉଭୟଙ୍କୁ ମୁକ୍ତ କରିବାକୁ କୋର୍ଟ କହିଛନ୍ତି । କହି ରଖୁଛୁ, ଓବେସୀଙ୍କ ଗାଡ଼ି ଉପରକୁ ଫାୟାରିଂ ମାମଲାରେ ୨୦୨୨ ଫେବୃୟାରୀ ୩ରେ ହାପୁଡ଼ର ପିଲଖୁଓ୍ଵା ଥାନାରେ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ଏଫ୍ଆଇଆର୍ ଦାଖଲ କରାଯାଇଥିଲା । ଉଭୟ ଅଭିଯୁକ୍ତ ଫେବୃୟାରୀରୁ ଜେଲରେ ଅଛନ୍ତି । ଏଥିପୂର୍ବରୁ ଅନ୍ୟ ଜଣେ ଅଭିଯୁକ୍ତ ଆଲିମଙ୍କ ଜାମିନ ମଞ୍ଜୁର କରାଯାଇଥିଲା ।
ଜାମିନ ପାଇଁ ପକ୍ଷ ରଖୁଥିବା ବେଳେ ଅଭିଯୁକ୍ତଦ୍ୱୟଙ୍କ ଅଧିବକ୍ତା କହିଥିଲେ ଯେ ଉଭୟଙ୍କ ନାମ ଏଫ୍ଆଇଆର୍ରେ ଦର୍ଶାଯାଇ ନ ଥିଲା । ସିସିଟିଭି ଫୁଟେଜ ଆଧାରରେ ଅନୁସନ୍ଧାନକାରୀ ଉଭୟଙ୍କ ନାମ ଅନ୍ତର୍ଭୁକ୍ତ କରିଥିଲେ । ଏପରି କି, ଓବେସୀଙ୍କ କାର୍କେଡରେ ସାମିଲ ଲୋକମାନେ ମଧ୍ୟ ଅଭିଯୁକ୍ତମାନଙ୍କୁ ଚିହ୍ନନ୍ତି ନାହିଁ । ଏ ପର୍ଯ୍ୟନ୍ତ ଯେଉଁ ତିନି ଜଣଙ୍କ ବୟାନ ରେକର୍ଡ କରାଯାଇଛି, ସେମାନଙ୍କ ମଧ୍ୟରୁ କେହି ବି ସେମାନଙ୍କ ନାମ ନେଇ ନାହାନ୍ତି । ଏଥିସହ ସିସିଟିଭି ଫୁଟେଜରେ ଦେଖାଯାଇଥିବା ବ୍ୟକ୍ତିଙ୍କର ଅଭିଯୁକ୍ତଙ୍କ ଫଟୋ ଏବଂ ପରିଚୟ ସହିତ ମେଳ ଖାଇବାର କୌଣସି ପ୍ରମାଣ କେସ୍ ଡାଏରୀରେ ଉପଲବ୍ଧ ନାହିଁ ।
ମାମଲାରେ ଶୁଣାଣି ବେଳେ କୋର୍ଟ କହିଥିଲେ, ଅଭିଯୁକ୍ତମାନଙ୍କ ବିରୋଧରେ କୌଣସି ଠୋସ୍ ପ୍ରମାଣ ନାହିଁ । ସେମାନେ ୨୦୨୨ ଫେବୃୟାରୀ ୪ରୁ ଜେଲରେ ଅଛନ୍ତି । ସେମାନଙ୍କର କୌଣସି ଅପରାଧିକ ଇତିହାସ ନାହିଁ । ଏହି ଆଧାରରେ କୋର୍ଟ ଉଭୟଙ୍କ ଜାମିନକୁ ଅନୁମୋଦନ କରିଛନ୍ତି ।
ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ସମୟରେ ୨୦୨୨ ଫେବୃୟାରୀ ୩ରେ ମେରଠରୁ ଦିଲ୍ଲୀ ଯାଉଥିବା ବେଳେ ଓବେସୀଙ୍କ କାରକେଡ୍ ଉପରକୁ ଗୁଳିମାଡ଼ ହୋଇଥିଲା । ଏହି ଆକ୍ରମଣରେ କେହି ଆହତ ହୋଇ ନ ଥିଲେ । ହତ୍ୟା ଉଦ୍ୟମ ଅଭିଯୋଗରେ ଆଇପିସି ଧାରା ୩୦୭ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଥିଲା ।