ଦିଲ୍ଲୀ ହିଟ୍ ଆଣ୍ଡ ରନ୍ ମାମଲାରେ ଅଭିଯୁକ୍ତ ଆଶୁତୋଷ ଭରଦ୍ୱାଜଙ୍କୁ କୋର୍ଟରୁ ଜାମିନ; ୫୦ ହଜାର ଟଙ୍କା ବଣ୍ଡରେ ମିଳିଲା ବେଲ୍

ଦିଲ୍ଲୀର କଂଝାୱାଲା ହିଟ୍ ଆଣ୍ଡ ରନ୍ ମାମଲାରେ ଅଭିଯୁକ୍ତ ଅଶୁତୋଷ ଭରଦ୍ୱାଜଙ୍କୁ ଦିଲ୍ଲୀର ଏକ କୋର୍ଟ ମଙ୍ଗଳବାର ଜାମିନ ପ୍ରଦାନ କରିଛନ୍ତି। ଅତିରିକ୍ତ ସେସନ ବିଚାରପତି ସୁଶୀଲ ବାଲା ଡାଗର ସୋମବାର ଭରଦ୍ୱାଜଙ୍କ ଜାମିନ ସମ୍ପର୍କରେ ନିଜର ଆଦେଶକୁ ସୁରକ୍ଷିତ ରଖିଥିଲେ। ବିଚାରପତି କହିଛନ୍ତି, ‘ତାଙ୍କୁ ୫୦,୦୦୦ ଟଙ୍କାର ଜାମିନ୍ ବଣ୍ଡରେ ଜାମିନ ପ୍ରଦାନ କରାଯାଇଛି। ବିଚାରପତି ମୌଖିକ ରୂପେ କହିଥିଲେ ଯେ ଭରଦ୍ୱାଜଙ୍କ ଭୂମିକା ଅପରାଧ ପରେ ଆରମ୍ଭ ହୋଇଥିଲା।
ଦିଲ୍ଲୀର ସୁଲତାନପୁରୀ ଦୁର୍ଘଟଣା ପୂରା ଦେଶକୁ ଥରାଇ ଦେଇଥିଲା। ଦୁର୍ଘଟଣା ସମୟରେ କାରରେ ଫସିରହି ଅଞ୍ଜଳି ସିଂ ଯନ୍ତ୍ରଣାରେ ଛଟପଟ ହେଉଥିଲେ। କିନ୍ତୁ ୫ ଜଣ ବ୍ୟକ୍ତି କାର ନ ଅଟକାଲି ଚଳାଇ ଚାଲିଥିଲେ। ଅଭିଯୁକ୍ତମାନେ ଜାଣିଥିଲେ ଯେ ସେମାନେ ସ୍କୁଟି ଆରୋହୀ ଅଞ୍ଜଳିଙ୍କୁ ଧକ୍କା ଦେଇଛନ୍ତି। ଆହୁରି ବି ସେମାନଙ୍କୁ ଜଣାଥିଲା କି, କାରରେ ଯୁବତୀ ଫସି ରହିଛନ୍ତି। ତେବେ ଯୁବତୀଙ୍କୁ ତଳକୁ ଖସାଇବା ପାଇଁ ଜାଣିଶୁଣି ସେମାନେ ଦୁଇଥର ୟୁ-ଟର୍ନ ବି ନେଇଥିଲେ। ଯେତେବେଳେ ଅଞ୍ଜଳି ତଳେ ପଡ଼ି ଯାଇଥିଲେ, ତ ସେତେବେଳେ ସେମାନେ ସେଠାରୁ ଫେରାର ହୋଇ ଯାଇଥିଲେ।
ଅଞ୍ଜଳିଙ୍କୁ ୧୩ କିଲୋମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିବା ଅଭିଯୁକ୍ତମାନେ ପୋଲିସ ପଚରାଉଚରାରେ ଏହି କଥା ସ୍ୱୀକାର କରିଛନ୍ତି। ଅଭିଯୁକ୍ତମାନେ କହିଛନ୍ତି କି, ସ୍କୁଟିକୁ ଧକ୍କା ମାରିବାର ଅଢ଼େଇ କିଲୋମିଟର ପରେ ସେମାନେ ଅନୁଭବ କରିଥିଲେ ଯେ ସେମାନଙ୍କ କାରରେ କିଛି ଅଟକି ରହିଛି।