ଦେଶରେ ୪୩ ଲକ୍ଷ ପାର ହେଲା କରୋନା ଆକ୍ରାନ୍ତ ସଂଖ୍ୟା, ୨୪ ଘଣ୍ଟାରେ ୧୧୧୫ ଜଣଙ୍କ ମୃତ୍ୟୁ
ଦେଶରେ ଯେମିତି ଥୟ ଧରିବାର ନାଁ ଧରୁନି ମାରାତ୍ମକ କରୋନା ଭାଇରସ । ମଙ୍ଗଳବାର ସଂକ୍ରମିତ ସଂଖ୍ୟା କିଛିଟା କମିଥିଲେ ମଧ୍ୟ ଆଜି ଏହି ସଂଖ୍ୟା ପୁଣି ଥରେ ବଢିଥିବା ଲକ୍ଷ କରାଯାଇଛି । ଗତ ୨୪ ଘଣ୍ଟା ଭିତରେ ଦେଶରେ ୮୯ ହଜାର ୭୦୬ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କୋଭିଡ ଆକ୍ରାନ୍ତ ସଂଖ୍ୟା ୪୩ ଲକ୍ଷ ୭୦ ହଜାର ପାର କରି ସାରିଲାଣି । କିନ୍ତୁ ଆଶ୍ବସ୍ତିକର ବିଷୟ ହେଉଛି ସୁସ୍ଥସଂଖ୍ୟା ବି ଦେଶରେ ବଢ଼ିବାରେ ଲାଗିଛି । ଜାରି ହୋଇଥିବା ତଥ୍ୟ ଅନୁଯାୟୀ, ଏଯାବତ ୩୪ ଲକ୍ଷରୁ ଅଧିକ ଜଣ ସୁସ୍ଥ ହୋଇ ସାରିଲେଣି | କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ ଦେଶବ୍ୟାପି ୧୧୧୫ ଜଣଙ୍କ ଜୀବନ ନେଇଛି ମାରାତ୍ମକ କରୋନା ଭାଇରସ । ଏହାକୁ ମିଶାଇ ମୃତକଙ୍କ ସଂଖ୍ୟା ୭୩୮୯୦ ଛୁଇଁଛି । ଦେଶରେ ମୋଟ ସଂକ୍ରମିତ ସଂଖ୍ୟା ୪୩ଲକ୍ଷ ୭୦ ହଜାର ୧୨୯ ଛୁଇଁଥିବା ବେଳେ ୩୩ ଲକ୍ଷ ୯୮ ହଜାର ୮୪୫ ଜଣ ସୁସ୍ଥ ହୋଇ ଫେରିଛନ୍ତି ।
ଯେବେକି ବର୍ତ୍ତମାନ ସମୟରେ ୮ ଲକ୍ଷ ୯୭ ହଜାର ୩୯୪ ଜଣଙ୍କ ଉପଚାର ଦେଶର ଵିଭିନ୍ନ ହସ୍ପିଟାଲରେ ଜାରି ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ଦେଶରେ ସୁସ୍ଥତା ହାର ବୃଦ୍ଧି ପାଇ ୭୭.୭୭ ପ୍ରତିଶତରେ ପହଁଚିଥିବା ବେଳେ ମୃତୁହାର କିନ୍ତୁ ହ୍ରାସ ପାଇ ୧.୬୯ ପ୍ରତିଶତରେ ପହଂଚିଛି । ଯେବେକି ବର୍ତ୍ତମାନ ସୁଦ୍ଧା ୨୦.୫୩ ପ୍ରତିଶତ ରୋଗୀଙ୍କର ଚିକିତ୍ସା ଜାରି ରହିଛି । ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ ଆଇସିଏମଆର ତରଫରୁ ଜାରି ରିପୋର୍ଟ ଅନୁଯାୟୀ ସେପ୍ଟେମ୍ବର ୮ ସୁଦ୍ଧା ଦେଶର ବିଭିନ୍ନ ପ୍ରାନ୍ତରେ ୫ କୋଟି ୧୮ ଲକ୍ଷ ୦୪ ହଜାର ୬୭୭ ନମୁନା ଯାଞ୍ଚ ସରିଥିବା ବେଳେ ମଙ୍ଗବାର ଗୋଟିଏ ଦିନରେ ହିଁ ୧୧ ଲକ୍ଷ ୫୪ ହଜାର ୫୪୯ ନମୁନା ଯାଞ୍ଚ ହୋଇଛି ।