ବିଦ୍ୟୁତ୍ ଆଘାତରେ ହେଡ୍ କନଷ୍ଟେବଳଙ୍କ ମୃତ୍ୟୁ, କରୋନା ବେଳେ ‘ଯମ’ ହୋଇ ଲୋକଙ୍କୁ କରୁଥିଲେ ସଚେତନ

ଇନ୍ଦୋର କ୍ରାଇମ୍ ବ୍ରାଞ୍ଚ ଥାନାର ହେଡ୍ କନଷ୍ଟେବଳ ଜବାହର ସିଂ ଜାଡୋନଙ୍କ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ଘଟିଛି । ଜବାହର ଜୁନି ଇନ୍ଦୋରସ୍ଥିତ ପୋଲିସ କ୍ଵାର୍ଟରରେ ରହୁଥିଲେ । ଶୁକ୍ରବାର ସେ ନିଜ ଘର ସଫାସୁତରା କରୁଥିବା ବେଳେ କରେଣ୍ଟ ସଂସ୍ପର୍ଶରେ ଆସିଥିଲେ । ଘଟଣା ଘଟିବା ସମୟରେ ସେ ଘରେ ଏକୁଟିଆ ଥିଲେ । ତାଙ୍କ ପରିବାର ଘର ବାହାରେ ଥିଲେ ।

ପଡ଼େଶୀମାନେ ଚିତ୍କାର ଶୁଣି ତାଙ୍କ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ । ଏହାପରେ ପରିବାର ଲୋକେ ତୁରନ୍ତ ପହଞ୍ଚି ଜବାହରଙ୍କୁ ହସ୍ପିଟାଲ ନେଇଯାଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ମୃତକ ଜବାହର ସିଂ ଜାଡୋନ କ୍ରାଇମ୍ ବ୍ରାଞ୍ଚରେ ହେଡ୍ କନଷ୍ଟେବଳ ପଦରେ ମୁତୟନ ଥିଲେ । ତାଙ୍କୁ ଇନ୍ଦୋରରେ ଏକ ସ୍ଵତନ୍ତ୍ର ପରିଚୟ ମିଳିଥିଲା । କାରୋନା ମହାମାରୀ ସମୟରେ ସେ ‘ଯମ’ ବେଶ ହୋଇ ଲୋକଙ୍କୁ ସଚେତନ କରୁଥିଲେ । ଲକଡାଉନ ନିୟମ ପାଳନ କରିବା ପାଇଁ ସେ ସଚେତନତା ସୃଷ୍ଟି କରୁଥିଲେ । ସେହି ସମୟରେ ତାଙ୍କର ଏହି ନିଆରା ପଦକ୍ଷେପ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା । ସେ ଜଣେ ଦାୟିତ୍ୱବାନ ପୋଲିସ କର୍ମୀ ଥିଲେ ।

କୁହାଯାଉଛି ଯେ ଶୁକ୍ରବାର ଘର ସଫାସୁତରା କରିବା ସମୟରେ ଜବାହର ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ । ଘରେ ଏକୁଟିଆ ଥିବା କାରଣରୁ ତାଙ୍କୁ କୌଣସି ପ୍ରକାର ସହାୟତା ମିଳି ନ ଥିଲା । ପଡ଼ୋଶୀଙ୍କଠାରୁ ସୂଚନା ପାଇ ପରିବାର ଲୋକେ ପହଞ୍ଚିଥିଲେ । ହେଲେ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା । ଜବାହର ସିଂଙ୍କ ମୃତ୍ୟୁରେ ତାଙ୍କ ପରିବାର ଏବଂ ବନ୍ଧୁବାନ୍ଧବଙ୍କ ସହ ପୋଲିସ ବିଭାଗରେ ମଧ୍ୟ ଶୋକର ଛାୟା ଖେଳିଯାଇଛି ।

ଅତିରିକ୍ତ ଡିସିପି ରାଜେଶ ଦଣ୍ଡୋତିୟା କହିଛନ୍ତି, ଜବାହର ସିଂ ଜଣେ ବିଶ୍ୱସ୍ତ ଏବଂ କର୍ତ୍ତବ୍ୟନିଷ୍ଠ ପୋଲିସ କର୍ମଚାରୀ ଥିଲେ । ତାଙ୍କ ନିଧନରେ ବିଭାଗ ଜଣେ ଭଲ ପୋଲିସ କର୍ମୀଙ୍କୁ ହରାଇଲା ।

You might also like