ଅଣକୋଭିଡ୍ ମୃତ୍ୟୁକୁ ଅଟକାଉଛି କୋଭିଡ୍ ଟିକା, ଗବେଷଣାରୁ ଜଣାପଡ଼ିଲା

ନୂଆଦିଲ୍ଲୀ : କେବଳ କରୋନା ନୁହେଁ, ଅନ୍ୟ ରୋଗରୁ ମଧ୍ୟ ସୁରକ୍ଷା ଦେଉଛି କୋଭିଡ ଟିକା । ଆମେରିକାରେ ଏକ ବୈଜ୍ଞାନିକ ଅନୁଧ୍ୟାନରୁ ଏହା ଜଣାପଡ଼ିଛି । କୋଭିଡ୍ ଟିକା ନେଇ ନଥିବା ଲୋକଙ୍କ ଠାରୁ ଟିକା ନେଇଥିବା ଲୋକଙ୍କର ଅନ୍ୟ ରୋଗରେ ମୃତ୍ୟୁ ହାର କମ୍ ରହିଛି। ଟିକା ନେଇ ନଥିବା ବ୍ୟକ୍ତିଙ୍କ ମୃତ୍ୟୁ ଆଶଙ୍କା ଟିକା ନେଇଥିବା ବ୍ୟକ୍ତିଙ୍କଠାରୁ ୧୧ ଗୁଣା ଅଧିକ।

ଅର୍ଥାତ୍ ଅଣକୋଭିଡ୍ ମୃତ୍ୟୁକୁ ମଧ୍ୟ ଅଟକାଉଛି କୋଭିଡ୍ ଟିକା । ଫାଇଜର, ମଡେର୍ଣ୍ଣା ଓ ଜନସନ୍ ଟିକା ନେଇଥିବା ଲୋକଙ୍କ ଉପରେ ଏହି ଅନୁଧ୍ୟାନ ହୋଇଥିଲା । ଆମେରିକାର ସେଣ୍ଟର ଫର ଡିଜିସ୍ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ୍ -CDCPର ସାପ୍ତାହିକ ରିପୋର୍ଟରେ ଗବେଷକମାନେ ଏ ସଂପର୍କରେ ଉଲ୍ଲେଖ କରିଛନ୍ତି ।

କରୋନା ଟିକା ନେଇଥିବା ୬୪ ଲକ୍ଷ ଲୋକ ଓ କେବଳ ଫ୍ଲୁ ଟିକା ନେଇଥିବା ୪୬ ଲକ୍ଷ ଲୋକଙ୍କ ଉପରେ ଏକ ତୁଳନାତ୍ମକ ଅନୁଧ୍ୟାନ ହୋଇଥିଲା । ଅନୁଧ୍ୟାନରେ କରୋନା ମୃତ୍ୟୁକୁ ବାଦ ଦିଆଯାଇଥିଲା । ଜଣା ପଡ଼ିଥିଲା, ଯେ କରୋନା ଟିକା ଅନ୍ୟ ରୋଗଠାରୁ ମଧ୍ୟ ସୁରକ୍ଷା ଦେଉଛି ।

ଅର୍ଥାତ, କରୋନା ଟିକା ନେଇଥିବା ବ୍ୟକ୍ତି ଅନ୍ୟ ରୋଗରେ ମୃତ୍ୟୁମୁଖରେ ପଡ଼ିବା ହାର କମ। ଡିସେମ୍ବର ୨୦୨୦ ରୁ ଜୁଲାଇ ୨୦୨୧ ମଧ୍ୟରେ ଏହି ଅନୁଧ୍ୟାନ ହୋଇଥିଲା। ରିପୋର୍ଟ ଅନୁଯାୟୀ ମଡେର୍ଣ୍ଣା ଟିକା ଅଣକୋଭିଡ୍ ରୋଗ ପାଇଁ ଅଧିକ ପ୍ରଭାବୀ ସାବ୍ୟସ୍ତ ହୋଇଛି । ଦୁଇ ଡୋଜ୍ ମଡେର୍ଣ୍ଣା ଟିକା ନେଇଥିଲେ ଅଣକୋଭିଡ୍ ରୋଗରେ ୩୧ ପ୍ରତିଶତ ମୃତ୍ୟୁ ଆଶଂକା ରହିଛି ।

ଯାହା ଫାଇଜର କ୍ଷେତ୍ରରେ ୩୪ ପ୍ରତିଶତ ଓ ଜନ୍ସନ୍ ଟିକା କ୍ଷେତ୍ରରେ ୫୪ ପ୍ରତିଶତ। ରିପୋର୍ଟରେ ଉଲ୍ଲେଖ କରାଯାଇଛି, କରୋନା ଟିକା ନେଇଥିବା ଲୋକେ ଟିକା ନେଇନଥିବା ଲୋକଙ୍କ ତୁଳନାରେ ଅଧିକ ସୁସ୍ଥ । ତେଣୁ ୧୨ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତଙ୍କୁ କୋଭିଡ୍ ଟିକା ନେବାକୁ ଗବେଷକ ଟିମ୍ ପରାମର୍ଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.