ଘରୋଇ ହସ୍ପିଟାଲ ଓ କ୍ଲିନିକରେ ବିକ୍ରି ହେବ କୋଭିସିଲ୍ଡ ଓ କୋଭାକ୍ସିନ୍ ଟିକା,ସର୍ତ୍ତମୂଳକ ଅନୁମତି ଦେଲା DCGI
କେନ୍ୟୁଜ୍(ବ୍ୟୁରୋ): ଖୋଲା ବଜାରରେ ମିଳିବ କରୋନା ଟିକା । ଏଣିକି ମାର୍କେଟରେ ଉପଲବ୍ଧ ହେବ କୋଭାକ୍ସିନ୍ ଓ କୋଭିସିଲ୍ଡ ଟିକା । ବଜାରରେ ବିକ୍ରି ପାଇଁ ସର୍ତ୍ତମୂଳକ ଅନୁମତି ଦେଇଛି ଡ୍ରଗ୍ସ କଣ୍ଟ୍ରୋଲର ଅଫ ଇଣ୍ଡିଆ ବା ଡିସିଜିଆଇ । କିନ୍ତୁ ମେଡିସିନ୍ ଷ୍ଟୋରରେ ମିଳିବ ନାହିଁ କରୋନା ଟିକା । ଘରୋଇ ହସ୍ପିଟାଲ ଓ କ୍ଲିନିକ କୋଭିସିଲ୍ଡ ଓ କୋଭାକ୍ସିନ୍ କିଣିପାରିବେ । ତାଙ୍କ ପାଖରୁ ଟିକା କିଣି ଉପଭୋକ୍ତା ସେହିଠାରେ ନେଇପାରିବେ । ପ୍ରତି ୬ ମାସରେ DCGIଙ୍କୁ ଦେବେ ଟିକାକରଣ ଡାଟା । ନିରାପତ୍ତା ସମ୍ପର୍କିତ ତଥ୍ୟ ଦେବେ ଟିକା ଉତ୍ପାଦନକାରୀ କମ୍ପାନୀ । କୋ-ଓ୍ଵିନ୍ ଆପ୍ରେ ରହିବ ସବୁ ତଥ୍ୟ । ଏବେ କୋଭାକ୍ସିନ୍ର ଗୋଟିଏ ଡୋଜ୍ ଟିକା ଦାମ୍ ୧୨ ଶହ ଟଙ୍କା ରହିଛି । ସେହିପରି କୋଭିସିଲ୍ଡ ଟିକା ଦାମ୍ ରହିଛି ୭୮୦ ଟଙ୍କା । ଏହି ଦୁଇଟି ଟିକାକୁ ଦେଶରେ ଜରୁରିକାଳୀନ ବ୍ୟବହାର ପାଇଁ ବ୍ୟବହାର କରାଯାଉଛି । ଖୋଲା ବଜରାରେ ଉପଲବ୍ଧ ହେଲେ ଶସ୍ତା ହେବ କୋଭିସିଲ୍ଡ ଓ କୋଭାକ୍ସିନ୍ ଟିକା ।
ଏବେ ଦେଶରେ ଦୈନିକ ସଂକ୍ରମଣ ଅଢ଼େଇ ଲକ୍ଷ ଉପରେ ରହୁଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨ଲକ୍ଷ ୮୬ହଜାର ଆକ୍ରାନ୍ତ । ଆଉ ୫୭୩ ଜଣଙ୍କର ଜୀବନ ନେଇଛି କରୋନା । ପଜିଟିଭ୍ ହାର ରହିଛି ୧୯.୫୯ ପ୍ରତିଶତ । ଦେଶରେ ୫୫୧ଟି ଜିଲ୍ଲାରେ ୫ ପ୍ରତିଶତ ଉପରେ ରହିଛି ସଂକ୍ରମଣ ହାର । ୧୧ ରାଜ୍ୟରେ ୫୦ହଜାରରୁ ଅଧିକ ରହିଛି ଆକ୍ଟିଭ୍ କେସ୍ । ଦିଲ୍ଲୀରେ ସଂକ୍ରମଣ କମୁଥିବାରୁ ହଟିଲା ସପ୍ତାହାନ୍ତ କର୍ଫ୍ୟୁ । ଦୋକାନ ଖୋଲିବା ନେଇ ଯୁଗ୍ମ-ଅଯୁଗ୍ମ ନିୟମ ହଟାଇ ଦିଆଯାଇଛି । ସ୍କୁଲ ଖୋଲିବା ନେଇ ଆଗାମୀ ବୈଠକରେ ନିଷ୍ପତ୍ତି ନିଆଯିବ । ଦିଲ୍ଲୀରେ ଏବେ ସଂକ୍ରମଣ ହାର ୧୦ ପ୍ରତିଶତ ତଳେ ରହିଛି ।
ଓଡ଼ିଶାରେ ଦୈନିକ ସଂକ୍ରମଣ ଏବେ ୫ରୁ ୭ ହଜାର ଭିତରେ ରହୁଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୫ହଜାର ୯୦୧ ଆକ୍ରାନ୍ତ । ୧୦ ପ୍ରତିଶତ ତଳକୁ ଖସିଛି ପଜିଟିଭ୍ ହାର । ଏବେ ରାଜ୍ୟରେ ସଂକ୍ରମଣ ହାର ରହିଛି ୯.୩୩ ପ୍ରତିଶତ । ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, କରୋନା ସଂକ୍ରମଣ ପିକ୍ ଛୁଇଁ ସାରିଥିବା ଜଣାପଡୁଛି । ଦୈନିକ ସଂକ୍ରମଣ କମୁଛି । ତଳମୁହାଁ ରହିଛି ଆକ୍ସିଭ କେସ୍ । କିନ୍ତୁ ବେସ୍ ଲାଇନ୍ ଆସିବା ଦରକାର । ଟ୍ରାନ୍ସମିଶନ ବହୁତ ଅଧିକ ରହିଛି ।