କରୋନା ଭାଇରସ୍ ସଂକ୍ରମଣକୁ ରୋକି ପାରିବ ଗାଈ କ୍ଷୀର! ଏଥିରୁ ମିଳିଲା ବୋଭାଇନ୍ ଲାକ୍ଟୋଫିରେନ୍ ପ୍ରୋଟିନ୍…; ଏମିତି ପରାମର୍ଶ ଦେଲେ ଗବେଷକ

ମହାମାରୀ ସମୟରେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ଅତ୍ୟନ୍ତ ଜରୁରୀ। ଏଥିପାଇଁ ଡାକ୍ତରମାନେ ମଧ୍ୟ ପରାମର୍ଶ ଦିଅନ୍ତି ଯେ ରୋଗ ପ୍ରତିରୋଧକ ଶକ୍ତି ଅର୍ଥାତ୍ ଇମ୍ୟୁନିଟି ବଢ଼ାଇବାର ଡାଏଟ୍ ନିଅନ୍ତୁ। ଏହି ତାଲିକାରେ ଦୁଗ୍ଧ ସବୁବେଳେ ଆମ ହେଲ୍ଦି ଡାଏଟ୍ର ଗୁରୁତ୍ୱପୂର୍ଣ୍ଣ ଅଂଶ ରହି ଆସିଛି। କିନ୍ତୁ କିଛି ବିଶେଷଜ୍ଞ କୁହନ୍ତି, ଗାଈ କ୍ଷୀର ଆମ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ, ହାଡକୁ ମଜଭୁତ କରିଥାଏ, ମସ୍ତିଷ୍କ ବିକାଶ କରିଥାଏ ଏବଂ ଓ୍ଵାର୍କିଂ କାପାସିଟି ଅର୍ଥାତ୍ କାର୍ଯ୍ୟ କ୍ଷମତାକୁ ମଧ୍ୟ ବଢ଼ାଇଥାଏ।
ବର୍ତ୍ତମାନ ଏକ ସଦ୍ୟତମ ଅଧ୍ୟୟନରୁ ଜଣାପଡିଛି ଯେ ଗାଈ କ୍ଷୀର କରୋନା ଭାଇରସ୍ ସଂକ୍ରମଣ ସହ ଲଢ଼ିବାରେ ସହାୟକ ହୋଇଥାଏ। ଆମେରିକାର ମିଶିଗନ୍ ୟୁନିଭର୍ସିଟିର ଅନୁସନ୍ଧାନକାରୀ ନିକଟରେ ଏକ ଅଧ୍ୟୟନରୁ ଜାଣିବାକୁ ପାଇଛନ୍ତି କି, ଗାଈ କ୍ଷୀରରେ ଏକ ଏମିତି ପ୍ରୋଟିନ୍ ରହିଛି, ଯେଉଁ ଥିରେ ଭାଇରସ୍ ରୋକିବାର ଗୁଣ ରହିଛି। ଏହି ପ୍ରୋଟିନ୍ କୌଣସି ବ୍ୟକ୍ତିଙ୍କ ଶରୀରରେ କରୋନା ସଂକ୍ରମଣ ବିସ୍ତାରକୁ ରୋକି ପାରିବ। ଅଧ୍ୟୟନର ନିଷ୍କର୍ଷ ‘ଜର୍ଣ୍ଣାଲ ଅଫ୍ ଡାଏରୀ ସାଇନ୍ସ’ରେ ପ୍ରକାଶ ପାଇଛି।
କହି ରଖୁଛୁ, ଅଧିକାଂଶ ସ୍ତନ୍ୟପାୟୀ ପ୍ରାଣୀଙ୍କ କ୍ଷୀରରେ ଲାକ୍ଟୋଫିରେନ୍ ନାମକ ପ୍ରୋଟିନ୍ ମିଳିଥାଏ। ଅନୁସନ୍ଧାନକାରୀ ସେମାନଙ୍କ ଅଧ୍ୟୟନରେ ଜାଣିବାକୁ ପାଇଥିଲେ ଯେ ଗାଈ କ୍ଷୀରରୁ ବୋଭାଇନ୍ ଲାକ୍ଟୋଫିରେନ୍ ନାମକ ପ୍ରୋଟିନ୍ ମିଳି ଥାଏ, ଯାହା କୌଣସି ରୋଗାଣୁ ବା ମାଇକ୍ରୋବେସ୍, ଭାଇରସ୍ ଏବଂ ଅନ୍ୟାନ୍ୟ ଜୀବାଣୁ ସହ ଲଢ଼ିବାରେ ସକ୍ଷମ। ଏହି ପ୍ରୋଟିନ୍ SARS-CoV-2 ଭାଇରସକୁ ଟାର୍ଗେଟ୍ ସେଲ୍ସ ଅର୍ଥାତ୍ କୋଶିକା ଗୁଡ଼ିକରେ ପ୍ରବେଶ କରିବାକୁ ଦେଇ ନ ଥାଏ। ସେପଟେ କୋଶିକାଗୁଡ଼ିକୁ ଭାଇରସ୍ ବିରୋଧରେ ଲଢ଼ିବାରେ ସାହାଯ୍ୟ ମଧ୍ୟ କରିଥାଏ।
ବୋଭାଇନ୍ ଲାକ୍ଟୋଫିରେନ୍ର ବ୍ୟାପକ ଆଣ୍ଟିଭାଇରାଲ୍ ପ୍ରଭାବ, ସୁରକ୍ଷା, ନ୍ୟୂନତମ ପାର୍ଶ୍ୱ ପ୍ରତିକ୍ରିୟା ଏବଂ ବ୍ୟବସାୟିକ ଉପଲବ୍ଧତାକୁ ଦୃଷ୍ଟିରେ ରଖି ଅନେକ ରିସର୍ଚ୍ଚ ପେପର୍ରେ SARS-CoV-2 ସଂକ୍ରମଣର ଚିକିତ୍ସା ଏବଂ ରୋଗର ପରବର୍ତ୍ତୀ ଚିକିତ୍ସାରେ ଏହାକୁ ବ୍ୟବହାର ପାଇଁ ପରାମର୍ଶ ଦିଆଯାଇଛି।