ବରିଷ୍ଠ କମ୍ୟୁନିଷ୍ଟ ନେତା ସୀତାରାମ ୟେଚୁରୀଙ୍କ ପରଲୋକ, ଫୁସଫୁସ ସଂକ୍ରମଣରେ ଥିଲେ ପୀଡିତ

ସିପିଆଇଏମ ନେତା ତଥା ବରିଷ୍ଠ କମ୍ୟୁନିଷ୍ଟ ନେତା ସୀତାରାମ ୟେଚୁରୀଙ୍କ ପରଲୋକ ହୋଇଛି । ନୂଆଦିଲ୍ଲୀ ଏମ୍ସରେ ୭୨ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଦୀର୍ଘଦିନରୁ ନିମୋନିଆରେ ପୀଡିତ ହୋଇ ଦିଲ୍ଲୀ ଏମ୍ସ ଆଇସିୟୁରେ ଚିକିତ୍ସିତ ହେଉଥିଲେ ।

ବରିଷ୍ଠ ନେତା ଏମ୍ସର ଆଇସିୟୁରେ ଫୁସଫୁସ ସଂକ୍ରମଣରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ୟେଚୁରୀ ଗତ କିଛି ଦିନ ହେବ ଭେଣ୍ଟିଲେଟରରେ ଥିଲେ ଏବଂ ଡାକ୍ତରଙ୍କ ଏକ ଟିମ୍ ତାଙ୍କ ଚିକିତ୍ସା କରୁଥିଲେ ।

୭୨ ବର୍ଷୀୟ ୟେଚୁରୀଙ୍କୁ ପୂର୍ବରୁ ଅଗଷ୍ଟ ୧୯ରେ ନିମୋନିଆ ସହ ଛାତିରେ ସଂକ୍ରମଣ ହେତୁ ଏମ୍‌ସ ନିଆଯାଇଥିଲା । ସେ  ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ । ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଏହାପୂର୍ବରୁ ସେ ନିଜର ମୋତିଆବିନ୍ଦୁ ଅସ୍ତ୍ରୋପଚାର କରାଇଥିଲେ ।

ସେ ୧୯୭୫ରେ ଇନ୍ଦିରା ଗାନ୍ଧି ଏମର୍ଜେନ୍ସି ଲାଗୁ କରିବା ବେଳେ ସେ ଜେଏନୟୁରେ ଅର୍ଥନୀତିରେ ଡକ୍ଟରେଟ କରୁଥିଲେ । ସେ ଗୋଟିଏ ବର୍ଷରେ ୩ ଥର ଜେଏନୟୁର ସଭାପତି ଭାବେ ନିର୍ବାଚିତ ହୋଇଥିଲେ ।  ୧୯୯୬ ମସିହାରେ ୟୁନାଇଟେଡ୍ ଫ୍ରଣ୍ଟ ସରକାର ପାଇଁ କମନ୍ ମିନିମମ୍ ପ୍ରୋଗ୍ରାମ୍ ପ୍ରସ୍ତୁତ କରିବାରେ ପି ଚିଦାମ୍ବରମଙ୍କ ସହ ସହଯୋଗ କରିଥିଲେ । ୨୦୦୪ରେ UPA ଗଠନ ସମୟରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ୟେଚୁରୀ ୨୦୦୫ରୁ ୨୦୧୭ ଯାଏ ରାଜ୍ୟସଭାର ସାଂସଦ ଭାବେ କାର୍ଯ୍ୟ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like