ତାମିଲନାଡ଼ୁର ମଣ୍ଡିୟାମ୍ମନ ମନ୍ଦିରରେ ଭୟଙ୍କର ଦୁର୍ଘଟଣା; କ୍ରେନ୍‌ ଓଲଟି ୪ ଶ୍ରଦ୍ଧାଳୁ ମୃତ

ତାମିଲନାଡ଼ୁର ଅରକ୍କୋଣମ୍‌ସ୍ଥିତ ମଣ୍ଡିୟାମ୍ମନ ମନ୍ଦିରରେ ରବିବାର ରାତିରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ଏଠାରେ ଚାଲିଥିବା ଏକ ଉତ୍ସବରେ କ୍ରେନ୍‌ ଓଲଟି ପଡ଼ିବାରୁ ୪ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି ଏବଂ ୯ ଜଣ ଏଥିରେ ଆହତ ହୋଇଥିବା ଜଣାପଡ଼ିଛି। ଏହି ଘଟଣାରେ କ୍ରେନ୍‌ ଡ୍ରାଇଭରଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। ପୋଲିସ ଅଧିକାରୀଙ୍କ ମୁତାବକ, ଉତ୍ସବରେ କ୍ରେନ୍‌ ବ୍ୟବହାର କରିବାକୁ ଅନୁମତି ନ ଥିଲା।

ତେବେ ଏହି ଭୟଙ୍କର ଦୁର୍ଘଟଣାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି, ଯେଉଁଥିରେ କ୍ରେନ୍‌ଟି ହଠାତ୍‌ ଓଲଟି ପଡ଼ୁଥିବା ଦେଖିବାକୁ ମିଳୁଛି। ସୂଚନା ଅନୁସାରେ, ରବିବାର ରାତିରେ ମଣ୍ଡିୟାମ୍ମନ ମନ୍ଦିରରେ ଉତ୍ସବ ଚାଲିଥିଲା। ଏହି ସମୟରେ ୩ ଜଣ ଶ୍ରଦ୍ଧାଳୁ କ୍ରେନ୍‌ରେ ଲଟକି ଭଗବାନଙ୍କ ମୂର୍ତ୍ତିରେ ମାଳା ଚଢ଼ାଉଥିଲେ। ସେତିକି ବେଳେ ହଠାତ୍‌ କ୍ରେନ୍‌ର ସନ୍ତୁଳନ ବିଗିଡ଼ି ଯାଇଥିଲା ଏବଂ ତାହା ସେହିଠାରେ ହିଁ ଓଲଟି ପଡ଼ିଥିଲା।

ଦୁର୍ଘଟଣାର ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଦେଖିବାକୁ ମିଳୁଛି ଯେ କେତେଜଣ ଶ୍ରଦ୍ଧାଳୁ କ୍ରେନ୍‌ରେ ଲଟକି ରହିଛନ୍ତି। ସେମାନଙ୍କ ହାତରେ ମାଳା ରହିଛି, ଯାହାକୁ ସେମାନେ ଭଗବାନଙ୍କ ମୂର୍ତ୍ତିରେ ଚଢ଼ାଇବାକୁ ଚେଷ୍ଟା କରୁଛନ୍ତି। ଏହି ସମୟରେ ଭାରସାମ୍ୟ ବିଗିଡ଼ି ଯିବାରୁ କ୍ରେନ୍‌ଟି ଘଟଣାସ୍ଥଳରେ ଓଲଟି ପଡ଼ୁଛି। ଦୁର୍ଘଟଣା ପରେ ମନ୍ଦିରରେ ଲୋକମାନେ ଏଣେତେଣେ ଧାଁ ଦୌଡ଼ କରୁଥିବା ଦେଖାଯାଉଛି। କିଛି ଲୋକ କ୍ରେନ୍‌ ତଳେ ଦବି ରହିଥିବା ଶ୍ରଦ୍ଧାଳୁଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.