ଅନୁସୂଚିତ ଜାତି ଓ ଜନଜାତିର ସଂରକ୍ଷଣରୁ ସ୍ବଚ୍ଛଳ ବର୍ଗଙ୍କୁ ବାଦ୍ ଦିଆଯିବ ଉଚିତ :ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଅନୁସୂଚିତ ଜାତି ଓ ଜନଜାତିର ସଂରକ୍ଷଣରୁ ସ୍ବଚ୍ଛଳ ବର୍ଗଙ୍କୁ ବାଦ୍ ଦିଆଯିବ ଉଚିତ । ଅନୁସୂଚିତ ଜାତି ଓ ଜନଜାତି ସଂରକ୍ଷଣରେ କୋଟାକୁ ମାନ୍ୟତା ପ୍ରଦାନ କରି ଏହି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ସିଜେଆଇ ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ୭ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ, ସଂରକ୍ଷଣରେ ଉପବର୍ଗୀକରଣ ମାମଲାର ଶୁଣାଣି କରିଥିଲେ ।
ଏଥିରେ ୬ ଜଣ ବିଚାରପତି କୋଟା ଭିତରେ କୋଟାକୁ ସମର୍ଥନ କରିଥିଲେ, ଜଣେ ଭିନ୍ନ ମତ ରଖିଥିଲେ । କୋଟା ଭିତରେ କୋଟାକୁ ସମର୍ଥନ କରିଥିବା ବିଚାରପତିଙ୍କୁ ମଧ୍ୟରୁ ୪ ଜଣ ବିଚାରପତି ସଂରକ୍ଷଣରୁ ସ୍ବଚ୍ଛଳବର୍ଗଙ୍କୁ ବାଦ୍ ଦେବା ଲାଗି ମତ ରଖିଛନ୍ତି । ଜଷ୍ଟିସ ବିଆର ଗଭାଇ କହିଛନ୍ତି, ଅନୁସୂଚିତ ଜାତି ଓ ଜନଜାତିଙ୍କ ମଧ୍ୟରେ କ୍ରିମି ଲେୟାରକୁ ଚିହ୍ନଟ କରିବାକୁ ରାଜ୍ୟଗୁଡିକ ଏକ ନୀତି ପ୍ରସ୍ତୁତ କରିବା ଦରକାର ।
ସ୍ବଚ୍ଛଳ ବର୍ଗଙ୍କୁ ସଂରକ୍ଷଣରୁ ବାଦ ଦେବାକୁ ପଦକ୍ଷେପ ନେବା ଦରକାର ବୋଲି କହିଥିଲେ ଜଷ୍ଟିସ ଗଭାଇ । ବର୍ତ୍ତମାନ କେବଳ ପଛୁଆ ବର୍ଗ ସଂରକ୍ଷଣରେ କ୍ରିମି ଲେୟାର ଲାଗୁ ହେଉଛି । ରାୟ ଶୁଣାଣି କରି ଜଷ୍ଟିସ ବିକ୍ରମ ନାଥ କହିଛନ୍ତି, କ୍ରିମି ଲେୟାର ଓବିସି କ୍ଷେତ୍ରରେ ଲାଗୁ ହେଉଛି ତାହା ଅନୁସୂଚିତ ଜାତି କ୍ଷେତ୍ରରେ ମଧ୍ୟ ଲାଗୁ ହୋଇ ପାରିବ ।
ଜଷ୍ଟିସ ପଙ୍କଜ ମିଥଲ କହିଥିଲେ, ସଂରକ୍ଷଣ କେବଳ ପ୍ରଥମ ପିଢ଼ିକୁ ମିଳିବାକୁ ଦରକାର । ଯଦି ପ୍ରଥମ ପିଢ଼ିର କେହି ସଂରକ୍ଷଣ ଜରିଆରେ ଉଚ୍ଚ ସ୍ତରରେ ପହଞ୍ଚୁଛି ତେବେ ଦ୍ବିତୀୟ ପିଢ଼ିକୁ ସଂରକ୍ଷଣ ମଳିବା ଆବଶ୍ୟକ ନୁହଁ । ସ୍ବଚ୍ଛଳ ବର୍ଗକୁ ନେଇ ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ ମନୋଜ ମିଶ୍ର କୌଣସି ପ୍ରତିକ୍ରିୟା ରଖି ନାହାଁନ୍ତି । ଜଷ୍ଟିସ ବେଲା ତ୍ରିବେଦୀ ସଂରକ୍ଷଣରେ ସଂରକ୍ଷଣ ବିରୋଧରେ ରାୟ ରଖିଛନ୍ତି ।