ମହମ୍ମଦ ଶାମିଙ୍କ ଭଉଣୀ ଏବଂ ଭିଣୋଇଙ୍କୁ ମିଳୁଛି ମନରେଗା ଯୋଜନାରେ ପାରିଶ୍ରମିକ, ଯାଞ୍ଚ ପାଇଁ ନିର୍ଦ୍ଦେଶ

ଉତ୍ତରପ୍ରଦେଶ ଅମରୋହାରେ ମନରେଗା ଯୋଜନା ଜରିଆରେ ହୋଇଥିବା ଦୁର୍ନୀତିର ପର୍ଦ୍ଦାଫାସ ହୋଇଛି । ଏହି ଖୁଲାସା ପରେ କିଛି ଅଧିକାରୀଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଥର କିନ୍ତୁ କ୍ରିକେଟ ମହମ୍ମଦ ଶାମିଙ୍କ ଭଉଣୀ ଏବଂ ଭିଣୋଇଙ୍କ ନାମ ସାମ୍ନାକୁ ଆସିଛି । ଏମାନଙ୍କୁ ଗତ ୩ ବର୍ଷ ହେଲାଣି ଲଗାତାର ମନରେଗା ଯୋଜନାରେ ପାରିଶ୍ରମିକ ମିଳୁଛି ।

ଟିମ ଇଣ୍ଡିଆର ଷ୍ଟାର ବୋଲର ମହମ୍ମଦ ଶାମିଙ୍କ ଭଉଣୀ ଏବଂ ଭିଣୋଇଙ୍କୁ ମନରେଗା ଯୋଜନାରେ ପାରିଶ୍ରମିକ ମିଳୁଛି । ଶାମିଙ୍କ ଭଉଣୀ ଶବିନା ଡକ୍ୟୁମେଣ୍ଟରେ ମନରେଗାରେ ଶ୍ରମିକ ରହିଛନ୍ତି । ଶାମିଙ୍କ ଭଉଣୀଙ୍କ ଖାତାକୁ ୨୦୨୧ରୁ ୨୦୨୪ ପର୍ଯ୍ୟନ୍ତ ଲଗାତାର ଟଙ୍କା ଆସୁଛି । ହେଲେ  ଶବିନା ୨୦୨୧ ରୁ ୨୦୨୪ ମଧ୍ୟରେ ମନରେଗା ଯୋଜନାରେ ୩ ଶହ ଦିନ କାମ କରିଛନ୍ତି । ଏ ବାବଦରେ ତାଙ୍କ ବ୍ୟାଙ୍କ ଖାତାକୁ ୬୬ ହଜାର ଟଙ୍କା ସରକାର ଦେଇଛନ୍ତି । ଏହାସହ ଶବିନାଙ୍କ ପୁଅ ତଥା ଶାମିଙ୍କ ଭଣଜା ମେଡିକାଲ ପଢୁଥିବା ବେଳେ ତାଙ୍କ ନାମରେ ମଧ୍ୟ ଜବ୍ କାର୍ଡ ରହିଛି ।

ଶାମିଙ୍କ ଭଉଣୀ ଏବଂ ଭିଣୋଇ କରିଥିବା ଦୁର୍ନୀତି ବିଷୟରେ ଅମରୋହାର ଜିଲ୍ଲାପାଳ ନିଧି ଗୁପ୍ତା ବତ୍ସ ଯାଞ୍ଚ ପାଇଁ ଆଦେଶ ଦେଇଛନ୍ତି । ଏହା ବିଷୟରେ ମନରେଗାରେ ଯାଞ୍ଚ କରାଯିବ । ଯଦି ମନରେଗା ଯୋଜନାରେ ଦୁର୍ନୀତି ହୋଇଥାଏ, ତେବେ ଯିଏ ବି ଦୋଷୀ ହେଉଥାଉ ନା କାହିଁକି ସେମାନେ ଜରିମାନା ଦେବା ସହିତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସୂଚନାଯୋଗ୍ୟ, ମହମ୍ମଦ ଶାମିଙ୍କ ଗାଁ ଅମରୋହାର ସହସପୁର ଅଲୀନଗରରେ । ଉତ୍ତରପ୍ରଦେଶର ଅମରୋହାରେ ରହୁଥିବା ଶବିନାଙ୍କ ଶାଶୂ ସରପଞ୍ଚ । ଆଲିଶାନ ବଙ୍ଗଳାରେ ରହୁଥିବା ଶବିନା ଓ ଶାମିଙ୍କ ଭିଣୋଇ କୋଟିପତି । ତେଣୁ ଦୁର୍ନୀତି ବିଷୟରେ ଜଣାପଡିବା ପରେ ତାଙ୍କ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯଦି ସରପଞ୍ଚ ଏଥିରେ ସମ୍ପୃକ୍ତ ଥାନ୍ତି, ତେବେ ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Also Read : ଅମରନାଥ ଯିବାକୁ ଥିବା ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର, ଏପ୍ରିଲ ୧୪ରୁ ପ୍ରି-ରେଜିଷ୍ଟ୍ରେସନ ଆରମ୍ଭ