ସେଲ୍‌ଫି ପାଇଁ ମନା କରିବାରୁ ମୁମ୍ବାଇରେ କ୍ରିକେଟର ପୃଥ୍ଵୀ ଶ’ଙ୍କ ଉପରେ ଆକ୍ରମଣ

ପୃଥ୍ଵୀ ନିଜ ବନ୍ଧୁଙ୍କ ସହ ସାନ୍ତାକ୍ରୁଜର ଏକ ଫାଇଭ ଷ୍ଟାର ହୋଟେଲକୁ ଡିନର ପାଇଁ ଯାଇଥିବା ବେଳେ ସେଠାରେ ଉପସ୍ଥିତ ଥିବା ୨ଜଣ ସେଲ୍‌ଫି ନେବାକୁ ତାଙ୍କ ନିକଟକୁ ଆସିଥିଲେ।

କେନ୍ୟୁଜ୍(ବ୍ୟୁରୋ): ମୁମ୍ବାଇରେ କ୍ରିକେଟର ପୃଥ୍ଵୀ ଶ’ଙ୍କ ଉପରେ ଆକ୍ରମଣ। ସେଲ୍‌ଫି ପାଇଁ ମନା କରିବାରୁ ପୃଥ୍ଵୀ ଓ ତାଙ୍କ ବନ୍ଧୁଙ୍କ ଉପରେ ହୋଇଛି ଆକ୍ରମଣ। ଏନେଇ ୮ଜଣଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ଓଶିୱାରା ପୋଲିସ। ୨ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଜଣଙ୍କୁ ଗିରଫ କରାଯାଇଥିବା କହିଛନ୍ତି ଡିସିପି ଅନିଲ ପରାଶକର। ପୃଥ୍ଵୀ ନିଜ ବନ୍ଧୁଙ୍କ ସହ ସାନ୍ତାକ୍ରୁଜର ଏକ ଫାଇଭ ଷ୍ଟାର ହୋଟେଲକୁ ଡିନର ପାଇଁ ଯାଇଥିବା ବେଳେ ସେଠାରେ ଉପସ୍ଥିତ ଥିବା ୨ଜଣ ସେଲ୍‌ଫି ନେବାକୁ ତାଙ୍କ ନିକଟକୁ ଆସିଥିଲେ। ଏହାର କିଛି ସମୟ ପରେ ପୁଣି କିଛି ଅଜଣାବ୍ୟକ୍ତି ସେଲ୍‌ଫି ନେବାକୁ ଆସିବାରୁ ପୃଥ୍ଵୀ ମନା କରିଦେଇଥିଲେ।

ସେଠାରୁ ଅଜଣା ବ୍ୟକ୍ତି ମାନେ ଚାଲିଯାଇ କିଛି ସମୟ ପରେ ପୁଣି ଆସି ସେଲ୍‌ଫି ପାଇଁ ଦାବି କରିଥିଲେ। ଏନେଇ ସେ ହୋଟେଲ ମ୍ୟାନେଜରଙ୍କୁ ଅଭିଯୋଗ କରିବା ସହ ସେଠାରୁ ଚାଲିଆସିଥିଲେ। ପରେ ଅଜଣା ବ୍ୟକ୍ତିମାନେ ସଂଘବଦ୍ଧ ଭାବେ ପୃଥ୍ଵୀଙ୍କ କାରକୁ ପିଛା କରିବା ସହ ବେସବଲ ବ୍ୟାଟରେ ତାଙ୍କୁ ପିଟିଥିଲେ। ଏଥିରେ କାରର କାଚ ଭାଙ୍ଗିବା ସହ ଗାଳିଗୁଳଜ କରିଥିଲେ। ସେମାନଙ୍କ ମଧ୍ୟରେ ଥିବା ଜଣେ ମହିଳା ୫୦ ହଜାର ଟଙ୍କା ଦାବି କରିବା ତାଙ୍କୁ ମିଥ୍ୟା ମାମଲାରେ ଫସାଇବାକୁ ଧମକାଇଥିଲେ। ପରେ ପୋଲିସ ପୃଥ୍ଵୀ ଓ ତାଙ୍କ ବନ୍ଧୁଙ୍କୁ ଉଦ୍ଧାର କରିଥିଲା। ଧମକାଇଥିବା ଦୁଇଜଣ ସପ୍‌ନା ଗିଲ୍‌ ଓ ଶୋଭିତ ଠାକୁର ବୋଲି ଚିହ୍ନଟ ହୋଇଛି। ବର୍ତ୍ତମାନ ସୁଦ୍ଧା ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟମାନଙ୍କୁ ଖୋଜୁଛି ପୋଲିସ।