ଦକ୍ଷିଣ ନାଇଜେରିଆର ଚର୍ଚ୍ଚ ଭିତରେ ଠେଲାପେଲା: ୩୧ ମୃତ, ୭ ଆହତ; ଘଟଣାକୁ ନେଇ ପୁରା ଅଞ୍ଚଳ ସିଲ୍‌ କଲା ପୋଲିସ

ନୂଆଦିଲ୍ଲୀ : ଦକ୍ଷିଣ ନାଇଜେରିଆର ଏକ ଗିର୍ଜାଘରେ ଶନିବାର ବଡ ଧରଣର ଅଘଟଣ ଘଟିଛି। ଏଠାରେ ଚର୍ଚ୍ଚକୁ ଭୋଜନ ନେବାକୁ ଆସିଥିବା ବେଳେ ଲୋକଙ୍କ ମଧ୍ୟରେ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ୩୧ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ମିକିଛି। ଏଥିରେ ୭ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ମୁତାବକ, ‘ଅଭାବୀ ଲୋକଙ୍କୁ ସହାୟତା’ ପାଇଁ ଚର୍ଚ୍ଚ ଭିତରେ ଶନିବାର ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ସମୟରେ ଚର୍ଚ୍ଚ ଭିତରେ ପ୍ରବଳ ଭିଡ ଜମି ଥିଲା। ପରେ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା। ଜଣେ ପ୍ରତ୍ୟକ୍ଷଦର୍ଶୀ କହିବା ମୁତାବକ, ମୃତକଙ୍କ ମଧ୍ୟରେ ଜଣେ ଗର୍ଭବତୀ ମହିଳା ଏବଂ ଅନେକ ଛୋଟ ଛୁଆ ଥିଲେ। ସେପଟେ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ରିଓ୍ବର ଷ୍ଟେଟ୍‌ ପୋଲିସ ପ୍ରବକ୍ତା ଗ୍ରେସ୍‌ ହେରେଙ୍ଗ କୋକୋ କହିଛନ୍ତି ଯେ, ଅନେକ ଲୋକ ‘ସପ୍‌ ଫର ଫ୍ରି’ରୁ ଲାଭ ନେବା ପାଇଁ ଆସିଥିଲେ। ଆଉ ଏହି ସମୟରେ ଲୋକେ ଚର୍ଚ୍ଚର ଗେଟ୍‌କୁ ଭାଙ୍ଗି ଦେଇଥିଲେ। ଫଳରେ ଲୋକେ ଦୌଡ଼ାଦୌଡ଼ି ଆରମ୍ଭ କରିଥିଲେ। ମୃତକ ଏବଂ ଆହତଙ୍କୁ ପୋର୍ଟ ହରକୋର୍ଟ ହସ୍ପିଟାଲ ନିଆ ଯାଇଥିବା ସେ କହିଛନ୍ତି।

ସକାଳ ୯ଟାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଥିବା ବେଳେ ଭୋର ୫ଟାରୁ ଲୋକେ ଚର୍ଚ୍ଚରେ ପହଞ୍ଚି ଯାଇଥିଲେ। ତେବେ ଚର୍ଚ୍ଚର ମୁଖ୍ୟ ଫାଠକରେ ତାଲା ପଡିଥିଲା। ପରେ ଲୋକମାନେ ଏହି ଫାଟକୁ ଭାଙ୍ଗି ଦେଇଥିଲେ। ଚର୍ଚ୍ଚ ଭିତରେ ପ୍ରବେଶ କରିବା ବେଳେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଘଟଣା ପରେ ପୁରା ଅଞ୍ଚଲକୁ ସିଲ୍‌ କରାଯାଇଛି। ବ୍ୟାପକ ସୁରକ୍ଷାକର୍ମୀଙ୍କୁ ମଧ୍ୟ ମୁତୟନ କରାଯାଇଛି।