ଆଜି ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟିଂ ଜାରି ରହିଛି । ଏହା ମଧ୍ୟରେ ପଶ୍ଚିମବଙ୍ଗରେ ପୁଣି ଦେଖିବାକୁ ମିଳିଛି ନିର୍ବାଚନୀ ହିଂସା । ବୋମା ମାଡ ସାଙ୍ଗକୁ ଭିଭିପାଟ୍ ଓ ଇଭିଏମ୍କୁ ଟେକି ନେଇ ଲୋକେ ପୋଖରୀରେ ଫିଙ୍ଗି ଦେଇଛନ୍ତି। ଏଭଳି ଘଟଣା ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣାରେ ଘଟିଛି ।
ଖବର ମୁତାବକ, ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପ୍ରଗଣାରେ ଭୋଟିଂ ବେଳେ ଜୋରଦାର ହଙ୍ଗାମା ହୋଇଛି । କଲତାଇ ବୁଥ ନମ୍ବର ୪୦, ୪୧ରେ ଲୋକେ ଇଭିଏମ୍ ଓ ଭିଭିପାଟ୍ ମେସିନକୁ ପୋଲିଂ ବୁଥ ଭିତରୁ ଟେକି ନେଇ ପୋଖରୀକୁ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଯାହାର ଭିଡିଓ ସାମ୍ନାକୁ ଆସିଛି ।
ସେହିପରି ଦକ୍ଷିଣ ଚବିଶ ପ୍ରଗଣାର ଭଙ୍ଗର ଅଞ୍ଚଳରେ ବୋମା ମାଡ ହୋଇଥିବା ଅଭିଯୋଗ ହୋଇଛି । ଯାଦବପୁର ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଭଙ୍ଗର ସତୁଲିଆ ଅଞ୍ଚଳରେ ଘଟିଥିବା ଏହି ସଂଘର୍ଷରେ ପ୍ରାୟ ୧୦ ଆଇଏସଏଫ ଏବଂ ଟିଏମସି କର୍ମୀ ଆହତ ହୋଇଛନ୍ତି ।
ଆଜି ଲୋକସଭା ନିର୍ବାଚନ୨୦୨୪ର ସପ୍ତମ ପର୍ଯ୍ୟାୟ ମତଦାନ ଜରି ରହିଛି । ୭ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୫୭ଟି ଆସନରେ ଚାଲିଛି ଭୋଟିଂ। ସକାଳ ୭ଟାରୁ ଆରମ୍ଭ ହୋଇଥିବା ଏହି ଭୋଟିଂ ସନ୍ଧ୍ୟା ୬ଟା ଯାଏ ଚାଲିବ । ଏହି ପର୍ଯ୍ୟାୟ ଭୋଟ୍ ସହିତ ଏପ୍ରିଲ୍ ୧୯ରୁ ଆରମ୍ଭ ହୋଇଥିବା ନିର୍ବାଚନର ସମସ୍ତ ପର୍ଯ୍ୟାୟ ପାଇଁ ଭୋଟ୍ ସମାପ୍ତ ହେବ ।
ତେବେ ଶେଷ ପର୍ଯ୍ୟାୟରେ ଯେଉଁ ସବୁ ସିଟରୁ ଭୋଟିଂ ହେଉଛି, ସେଥିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାରାଣସୀ ସିଟ୍ ରହିଛି । ଏହାଛଡା ପଞ୍ଜାବ, ୟୁପିର ୧୩-୧୩ ସିଟ, ପଶ୍ଚିମବଙ୍ଗର ୯ଟି ସିଟ୍, ବିହାରର ୮ଟି ସିଟ୍, ଓଡିଶାର ୬ଟି ସିଟ୍, ହିମାଚଳର ୪ଟି ସିଟ୍, ଝାରଖଣ୍ଡର ୩ଟି ସିଟ୍ ରହିଛି ।
ସୂଚନାଯୋଗ୍ୟ, ବିହାର ସାରଣ ଲୋକସଭା ଆସନରେ ପ୍ରବଳ ହଙ୍ଗମା ହୋଇଥିଲା । ଦୁଇ ଗୋଷ୍ଠୀ ମଧ୍ୟରେ ଗୁଳିମାଡ ହେବା ସହିତ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇ ଜଣ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ଦୁଇ ଗୋଷ୍ଠୀ ତରଫରୁ ଲୋକମାନେ ଲାଠି-ଠେଙ୍ଗା ନେଇ ଆସିଥିଲେ । ଗୁଳିମାଡ ମଧ୍ୟ ହୋଇଥିଲା । ୩ ଜଣଙ୍କର ଉପରେ ଗୁଳିମାଡ ହୋଇଥିଲା । ତେବେ ରୋହିଣୀ ଆଚାର୍ଯ୍ୟ ବୁଥରେ ପହଞ୍ଚି ଲୋକମାନଙ୍କ ସହିତ ଖରାପ ବ୍ୟବହାର କରିଥିଲେ ।