ମଣିପୁରରେ ପୁଣି ହିଂସା : ସୁରକ୍ଷାକର୍ମୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ, ଜଣେ ସିଆରପିଏଫ ଯବାନ ସହିଦ

ପୁଣିଥରେ ମଣିପୁରରେ ଅଶାନ୍ତି । ସୁରକ୍ଷାକର୍ମୀଙ୍କ ମିଳିତ ଟିମ ଉପରେ ଆକ୍ରମଣ କରିଛି ସନ୍ଦିଗ୍ଧ କୁକି ଆତଙ୍କବାଦୀ । ଏହି ଘଟଣାରେ ଜଣେ ସିଆରପିଏଫ ଯବାନ ସହିଦ ହୋଇଥିବା ବେଳେ ଜଣେ ପୋଲିସ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ଆଜି ସକାଳ ୯.୪୦ରେ ମଣିପୁରର ଜିରିବାମ ଠାରେ ଏପରି ଘଟଣା ଘଟିଛି । ଏବେ ଘଟଣା ସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।

ଖବର ମୁତାବକ, ସକାଳେ ସିଆରପିଏଫର ୨୦ ବାଟାଲିୟନ ଓ ଜିରିବାମ ଜିଲ୍ଲା ପୋଲିସ ମିଳିତ ଟିମ ୧୩ ଜୁଲାଇରେ ଘଟିଥିବା ଗୁଳିମାଡ଼ ଘଟଣାରେ ସର୍ଚ୍ଚ ଅପରେସନ କରୁଥିଲେ । ଏହି ସମୟରେ ଜଙ୍ଗଲ ଓ ପାହାଡ଼ ଉପରେ ଲୁଚି ରହିଥିବା କୁକି ଆତଙ୍କବାଦୀମାନେ ସେମାନଙ୍କୁ ଘେରି ଯାଇ ଗୁଳିମାଡ଼ କରିଥିଲେ । ଘଟଣାରେ ଜଣେ ସିଆରପିଏଫ ଯବାନ ଓ ଜିରିବାମ ପୋଲିସ ଷ୍ଟେସନର ଏସ୍ଆଇ ଆହତ ହୋଇଥିଲେ । ଉଭୟଙ୍କୁ ହସ୍ପିଟାଲରେ ଭିର୍ତ୍ତି କରାଯାଇଥିଲା । କିନ୍ତୁ ସିଆରପିଏଫ ଯବାନଙ୍କ ମୁଣ୍ଡରେ ଗୁଳି ବାଜି ଥିବାରୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ତେବେ ଏହି ଘଟଣାକୁ ନେଇ ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ନିଜର ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ଆଜି ଜିରିବାମ ଜିଲ୍ଲାରେ କୁକି ସଂପ୍ରଦାୟର ସନ୍ଦିଗ୍ଧ ସଶସ୍ତ୍ର ସମୂହ ଦ୍ୱାରା କରାଯାଇଥିବା ଆକ୍ରମଣରେ ସିଆରପିଏଫ ଯବାନଙ୍କ ହତ୍ୟାକୁ କଡା ନିନ୍ଦା କରୁଛି । କର୍ତ୍ତବ୍ୟ କରିଥିବା ଯବାନଙ୍କ ସର୍ବୋଚ୍ଚ ବଳିଦାନ ବେକାର ଯିବ ନାହିଁ । ମୁଖ୍ୟମନ୍ତ୍ରୀ ସହିଦ ଯବାନଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ଆହତଙ୍କ ଶୀଘ୍ର ସୁସ୍ଥତା କାମନା କରିଛନ୍ତି ।

ସୂଚନାଯୋଗ୍ୟ, ମଣିପରୁରେ କିଛି ଦିନ ହେଲା ହିଂସାର ମାହୋଲ ଜାରି ରହିଛି । ରାଜ୍ୟରେ ହିଂସା ଥମିବାର ନାଁ ଥରୁନାହିଁ । କୁକି ଏବଂ ମୈତେଇ ସମୁଦାୟ ମଧ୍ୟରେ ସଂର୍ଘଷ ଲଗାତାର ଭାବେ ଜାରି ରହିଛି । ଗତ ବର୍ଷ ମେ’ ୩ରୁ ମଣିପୁରରେ ମେତେଇ ଏବଂ କୁକି ସମ୍ପ୍ରଦାୟ ମଧ୍ୟରେ ଲଗାତାର ସଂଘର୍ଷ ଚାଲିଛି । ଏହି ହିଂସାକାଣ୍ଡରେ ଏ ପର୍ଯ୍ୟନ୍ତ ୧୬୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ।