ପୋଲିସକୁ କୋଟିପତି ସାଇବର ଠକ ଦେଲା ଏମିତି ଜବାବ

ସାଇବର ଠକଙ୍କ କବଳରେ ଦେଶ, ବିଶ୍ବ ଆଉ ପ୍ରଦେଶ । ପ୍ରତ୍ୟେକ ମୁହୂର୍ତ୍ତରେ ଠକ ଆପଣାଉଛନ୍ତି ନୂଆ ନୂଆ ତରିକା । ଟିକିଏ ଭୁଲ୍ ପାଇଁ କେବେବେଳେ ବି ଆକାଉଣ୍ଟ ହୋଇଯାଉଛି ଗୋଲ୍ । କିନ୍ତୁ ଏମିତି ଜଣେ ସାଇବର ଠକର କାରନାମା ଶୁଣିଲେ ଆପଣ ବି ହୋଇଯିବେ ଚକିତ । ତା’ର ଜବାବ ତାର ବହପପଣିଆକୁ ଜଳଜଳ କରି ଦେଖାଉଛି । କେତେ ନିଡର ହୋଇ ସେମାନେ ତାଙ୍କ ଧନ୍ଦା ଚଳାଇଛନ୍ତି ତାହା ବି ପ୍ରମାଣିତ କରୁଛି ।

ସାଇବର ଥାନାର ଲଗାତର ନୋଟିସ ସତ୍ତ୍ବେ ବି ପୋଲିସ ଷ୍ଟେସନରେ ହାଜର ହେଲାନି କୋଟିପତି ସାଇବର ଠକ ଆନନ୍ଦ ରକ୍ଷିତ । କିନ୍ତୁ ଡାକ ଜରିଆରେ ଥାନାକୁ ଯେଉଁ ଉତ୍ତର ପଠାଇଛି ତାହା ଜାଣିଲେ ଆପଣ ବି ହୋଇଯିବେ ଚକିତ । ଏହାପରେ କୁଖ୍ୟାତ ସାଇବର ଅପରାଧି ଆନନ୍ଦର ଜାମିନ ଖାରଜ ଓ ସଂପତ୍ତି ଆଟାଚ୍ ପାଇଁ ନ୍ୟାୟଳୟ ସଜବାଜ ହେଉଛି ଜାମତଡା ସାଇବର ଥାନା ପୋଲିସ ।

ପୋଲିସର କହିବା ଅନୁସାରେ ଯାଞ୍ଚରେ ସହଯୋଗ କରୁନି ଆନନ୍ଦ । ଗତ ୨୭ ଅଗଷ୍ଟରେ ପ୍ରଥମ ନୋଟିସ୍ ପଠାଇଥିଲା ପୋଲିସ । ଏହାପରେ ପରେ ଡିସେମ୍ବର ଓ ଜାନୁଆରୀ ୧୧ରେ ପୁନର୍ବାର ନୋଟିସ ପଠାଇଥିଲା । ତିନିଟି ଯାକ ନୋଟିସ ପାଇଥିଲା ଆନନ୍ଦର ପତ୍ନୀ । ଏହାପରେ ୧୨ ଜାନୁଆରୀରେ ଡାକ ଜରିଆରେ ଆନନ୍ଦ ପୋଲିସ ଷ୍ଟେସନକୁ ପଠାଇଥିଲା ତାର ଜବାବ ।

‘ସେ ଥାନାରେ ପହଁଚି ତାର ଜବାବ ରଖିବ । କିନ୍ତୁ ବାରମ୍ବାର ନୋଟିସ୍ ପଠାଇଲେ ସେ ପହଁଚିପାରିବନି । କାହିଁକିନା ସେ ବିଜନେସ୍ରେ ବହୁତ ବିଜି ଅଛି । ଦରକାର ପଡ଼ିଲେ ଥାନାରେ ଲିଖିତ ବୟାନ ରଖିବ । କିନ୍ତୁ ତାକୁ ଯଥେଷ୍ଟ ସମୟ ଦେବାକୁ ହେବ ।’ ଏହା ଥିଲା ଆନନ୍ଦର ବୟାନ । ଜଣେ ଅପରାଧିର ମୁହଁଟାଣ ଜବାବ ପୋଲିସକୁ ବି ଚକିତ କରିଛି ।

ଗିରଫଦାରୀ ସମୟରେ ପୋଲିସ ଆନନ୍ଦର ଘରୁ ଜବତ କରିଛି ୨୧ଲକ୍ଷ ୮ହଜାର ୮୪ ଟଙ୍କା । ଏହା ବ୍ୟତୀତ ଏକ ସ୍ବିଫ୍ଟ ଡିଜାୟାର କାର୍, ଗୋଟିଏ ବାଇକ୍, ସ୍କୁଟି, ଏଲ୍ଇଡି, ୮ ମୋବାଇଲ୍ ଫୋନ୍, ୯ ସିମ୍ କାର୍ଡ, ୧୨ ବ୍ୟାଙ୍କ ପାସ୍ବୁକ୍, ୬ ଲକ୍ଷ ୮୪ ହଜାରର ଫିକ୍ସ ଡିପୋଜିଟ୍, ୨୩ ଲକ୍ଷ ୬୫ହଜାରର ଜମିଜମା କାଗଜପତ୍ର ଜବତ ହୋଇଥିଲା । ଏ ସମସ୍ତ ସଂପତି ସାଇବର ଅପରାଧ ଜରିଆରେ କମାଇଛି ରକ୍ଷିତ । ପାଖପାଖି ୫୦ ଲକ୍ଷର ଦୃଶ୍ୟମାନ ସଂପତ୍ତିର ସନ୍ଧାନ ପାଇଛି ପୋଲିସ ।

ଗତ ୨୭ ଅଗଷ୍ଟ ୨୦୨୧ରେ ଚଢ଼ାଉ ବେଳେ ଆହୁରୀ କିଛି ଆଶ୍ଚର‌୍ୟ୍ୟ କଲା ଭଳି ତଥ୍ୟ ପାଇଛି ପୋଲିସ । ଆନନ୍ଦର ବାପା ବୀରେନ ପୁରୁଣା ଭଙ୍ଗାଲୁହା ବେପାର କରି ପରିବାର ଚଳାଉଥିଲା । ବିପିଏଲ୍ ତାଲିକାରେ ଥିଲା ପରିବାରର । କିନ୍ତୁ କିଛି ବର୍ଷ ଭିତରେ ସାଇବର ଠକେଇ ଜରିଆରେ ପୁଅ ବନିଥିଲା କୋଟିପତି । ଆଖି ଖୋସିହେଲା ଭଳି ସଂପତି ଠିଆ କରାଇଥିଲା । ଆନନ୍ଦ ବିରୋଧରେ ପଶ୍ଚିମବଙ୍ଗରେ ୬ ବର୍ଷ ପୂର୍ବେ ଦାୟର ହୋଇଥିଲା ମାମଲା । ଲାଲବଜାର ନ୍ୟାୟଳୟରୁ ଜାମିନରେ ଆସିବା ପରେ ବି ସାଇବର ଅପରାଧରେ ଲିପ୍ତ ଅଛି ଆନନ୍ଦ ।

Leave A Reply

Your email address will not be published.