ଦିଲ୍ଲୀରେ ଛାତ ଭୁଶୁଡ଼ି ଫାଟିଲା ଗ୍ୟାସ୍ ସିଲିଣ୍ଡର, ପରିବାରର ୬ ଆହତ

ଦିଲ୍ଲୀର ନରେଲା ଅଞ୍ଚଳରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ୩ ପିଲାଙ୍କ ସମେତ ପରିବାରର ୬ ଜଣ ପୋଡ଼ି ହୋଇ ଆହତ ହୋଇଛନ୍ତି । ସୂଚନା ରହିଛି, ଏଠାରେ ଏକ ଦୁଇ ମହଲା ବିଲ୍ଡିଂର ଛାତ ଭୁଶୁଡ଼ି ପଡ଼ିବାରୁ ଏହି ଦୁର୍ଘଟଣା ଘଟିଛି । ଆହତମାନେ ହେଲେ, ୪୦ ବର୍ଷୀୟ ରାଜୁ, ୩୫ ବର୍ଷୀୟା ରାଜୁଙ୍କ ପତ୍ନୀ ରାଜେଶ୍ୱରୀ, ୧୮ ବର୍ଷୀୟ ରାହୁଲ ଏବଂ ୩ ଝିଅ ।

ପଡ଼ୋଶୀମାନେ କହିଛନ୍ତି ଯେ ଏହି ପରିବାର ଘରେ ଖାଦ୍ୟ ତିଆରି କରୁଥିବା ବେଳେ ହଠାତ୍ ଘରର ଛାତ ଭୁଶୁଡ଼ି ପଡ଼ିଥିଲା । ଫଳରେ ଗ୍ୟାସ ସିଲିଣ୍ଡର ଫାଟିଯିବାରୁ ସେମାନେ ପୋଡ଼ି ହୋଇ ଯାଇଥିଲେ ।

ନରେଲାର ପଞ୍ଜାବୀ କଲୋନୀରେ ସକାଳ ପ୍ରାୟ ୭ଟାରେ ଏହି ଦୁର୍ଘଟଣା ଘଟିଥିଲା । ଦିଲ୍ଲୀ ଅଗ୍ନିଶମ ସେବା ଅଧିକାରୀଙ୍କ ମୁତାବକ, ପିସିଆର୍ କଲ୍ ମାଧ୍ୟମରେ ସିଲିଣ୍ଡର ବିସ୍ଫୋରଣ ସମ୍ପର୍କରେ ସୂଚନା ମିଳିଥିଲା । ନିଆଁକୁ ଆୟତ୍ତ କରିବା ପାଇଁ ଦୁଇଟି ଦମକଳ ଗାଡ଼ି ପଠାଯାଇଥିଲା । ବର୍ତ୍ତମାନ ନିଆଁକୁ ଆୟତ୍ତ କରି ନିଆଯାଇଛି ।

ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ପରିବାର ସଦସ୍ୟ ୪୦ରୁ ୪୫ ପ୍ରତିଶତ ପୋଡ଼ି ହୋଇଯାଇଛନ୍ତି । ତେବେ ପୀଡ଼ିତମାନେ ଏବେ ବିପଦମୁକ୍ତ ଥିବା ଜଣାଯାଇଛି ।

ଗତ ଦୁଇ ଦିନ ତଳେ ମଧ୍ୟ ନରେଲାର ଏକ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟରେ ଭୟାବହ ଅଗ୍ନିକାଣ୍ଡ ଘଟି ୩ ଜଣଙ୍କ ମୃତ୍ୟୁ ହୋଇଥିଲା । ଏଥିରେ ୬ ଜଣ ଆହତ ହୋଇଥିଲେ । ନିଆଁକୁ ଆୟତ୍ତ କରିବା ପାଇଁ ୧୪ରୁ ଅଧିକ ଅଗ୍ନିଶମ ଗାଡ଼ି ନିୟୋଜିତ ହୋଇଥିଲା । ମୃତକମାନେ ସମସ୍ତେ କାରଖାନାର କର୍ମଚାରୀ ଥିଲେ ।