ପୁଣିଥରେ ବଦଳିଲା କରୋନାର ନାଁ, ଏବେ ଏହି ନୂଆ ଭାଇରସ୍କୁ କୁହାଯିବ COVID-19, ଜାଣନ୍ତୁ ଏହାର ଅର୍ଥ
କରୋନାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବଡ଼ ଘୋଷଣା। ଏବେ ପୁଣିଥରେ କରୋନାର ନାଁ ପରିବର୍ତ୍ତନ କରାଯାଇଛି। କରୋନା ଭାଇରସ୍ ଯୋଗୁ ବଢ଼ୁଥିବା ମୃତ୍ୟୁହାରକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାର ନାମ ରଖିଛି COVID-19 (କୋଭିଡ୍-୧୯)। କୋଭିଡ୍-୧୯ର ଅର୍ଥ ହେଉଛି କରୋନାଭାଇରସ୍ ଡିଜିସ୍ ୨୦୧୯। କରୋନାକୁ ପ୍ରଥମେ ୨୦୧୯ ମସିହା ଶେଷ ଆଡ଼କୁ ଚିହ୍ନଟ କରାଯାଇଥିବାରୁ ଏହାର ଏପରି ନାମକରଣ କରାଯାଇଛି।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଡାଇରେକ୍ଟର ଜେନେରାଲ ଟେଡ୍ରସ୍ ଆଧାନୋମ୍ ଘିବ୍ରେୟେସସ୍ କହିଛନ୍ତି ଯେ ଏହି ନୂଆ ନାଁ କୌଣସି ବ୍ୟକ୍ତିବିଶେଷ, ସ୍ଥାନ କିମ୍ବା ପଶୁପକ୍ଷୀଙ୍କୁ ଦର୍ଶାଉନାହିଁ। କରୋନଙ୍କୁ ନେଇ ସଚେତନତା ପାଇଁ ଏହି ନୂଆ ନାମକରଣ କରାଯାଇଛି।
ଅନ୍ତର୍ଜାତୀୟ ଗାଇଡ୍ଲାଇନ୍ ଅନୁସାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ରୋଗର ନାମକରଣ କରିବାକୁ ପଡ଼ିଥାଏ, ଯାହା ସ୍ୱତନ୍ତ୍ର ହୋଇଥାଏ। ଏହି ନାଁ କୌଣସି ଭୌଗୋଳିକ ସ୍ଥାନ, ଜୀବଜନ୍ତୁ, ମନୁଷ୍ୟ କିମ୍ବା ବ୍ୟକ୍ତିବିଶେଷକୁ ବୁଝାନଥିବା ଆବଶ୍ୟକ ବୋଲି ସେ ଟ୍ଵିଟରରେ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଯେ ବର୍ତ୍ତମାନ ପର୍ଯ୍ୟନ୍ତ କରୋନାରେ ଚୀନ୍ରେ ୧୧୦୦ ଜଣଙ୍କର ମୃତ୍ୟୁ ଘଟିସାରିଲାଣି ଓ ପ୍ରାୟ ୨୫ ହଜାର ଲୋକ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି।