ରାଫେଲ୍‌ ଡିଲ୍‌ ନେଇ ରାଜନୈତିକ ବାକ୍‌ଯୁଦ୍ଧ, ମୁହଁ ଖୋଲିଲେ ଦାସୋଲ୍ଟ କମ୍ପାନୀ ସିଇଓ

ଦିଲ୍ଲୀ(କେନ୍ଯୁଜ୍) : ରାଫେଲ୍‌ ଡିଲ୍‌କୁ ନେଇ ରାଜନୈତିକ ବାକ୍‌ଯୁଦ୍ଧ ତେଜିଥିବା ବେଳେ ମୁହଁ ଖୋଲିଛନ୍ତି ଲଢୁଆ ଯୁଦ୍ଧ ବିମାନ ନିର୍ମାଣକାରୀ କମ୍ପାନୀ ଦାସୋଲ୍ଟର ସିଇଓ ଏରିକ୍‌ ଟ୍ରପିୟର୍‌ । ରାହୁଲ ଗାନ୍ଧି ଆଣିଥିବା ଅଭିଯୋଗକୁ ସେ ଅସ୍ୱୀକାର କରିଛନ୍ତି । ଏରିକ୍‌ ଟ୍ରପିୟର ଏକ ସମ୍ବାଦ ସରବରାହ ସଂସ୍ଥାକୁ ଦେଇଥିବା ସାକ୍ଷାତକାରରେ ରାଫେଲ୍‌ ଡିଲ୍‌ ସମ୍ପର୍କରେ ସ୍ପଷ୍ଟୀକରଣ ରଖିଛନ୍ତି । ସେ କହିଛନ୍ତି, ରାଫେଲ୍‌ ବିମାନ କିଣା ନେଇ ତାଙ୍କ କମ୍ପାନୀ ଅନୀଲ ଅମ୍ବାନୀଙ୍କ ରିଲାଏନ୍ସ ଡିଫେନ୍ସକୁ ବାଛିଥିଲା । ମିଳିତ ଉଦ୍ୟୋଗରେ ପୁଞ୍ଜି ନିବେଶ ପ୍ରସ୍ତାବ ରହିଛି । ନିବେଶ ହେବାକୁ ଥିବା ପୁଞ୍ଜି ପ୍ରତ୍ୟକ୍ଷ ଭାବରେ କେବଳ ରିଲାଏନ୍ସକୁ ଯିବ ନାହିଁ । ଜଏଣ୍ଟ ଭେନଚରକୁ ଯିବ ଟଙ୍କା । ରିଲାଏନ୍ସ ସହ ଅନ୍ୟ ୩୦ଟି କମ୍ପାନୀ ସହ ବୁଝାମଣା ବି ହୋଇଥିବା ଏରିକ୍‌ ଟ୍ରପିୟର କହିଛନ୍ତି । ରାଫେଲ୍‌ ଡିଲ୍‌ ସମ୍ପର୍କରେ ପୂର୍ବରୁ ଯାହା କହିଥିଲେ ଠିକ୍‌ କହିଥିଲେ ଓ ଏବେ ଯାହା କହୁଛନ୍ତି ସେସବୁ ସତ । ରାଫେଲ୍‌ ଡିଲ୍‌ ସମ୍ପର୍କରେ ମିଛ କହୁ ନାହାନ୍ତି ବୋଲି କହିଛନ୍ତି ଟ୍ରପିୟର ।

rafaleଏହା ବ୍ୟତୀତ ସେ କହିଛନ୍ତି, କଂଗ୍ରେସ ସହ ତାଙ୍କ କମ୍ପାନୀ ମଧ୍ୟରେ ସୁସମ୍ପର୍କ ରହିଛି । ୧୯୫୩ରେ ଜବାହାରଲାଲ ନେହେରୁଙ୍କ ସମୟରେ ତାଙ୍କ କମ୍ପାନୀ ଭାରତ ସହ ପ୍ରଥମ ଡିଲ୍‌ କରିଥିଲା । ସେହିପରି ଡିଲ୍‌ କୌଣସି ବ୍ୟକ୍ତି ସହ ନୁହେଁ, ଦେଶ ସହ ହୋଇଥାଏ । ରାଫେଲ୍‌ ଡିଲ୍‌ରେ ତାଙ୍କ କମ୍ପାନୀ ଦାସୋଲ୍ଟର ୪୯ ପ୍ରତିଶତ ଓ ରିଲାୟନ୍ସର ୫୧ ପ୍ରତିଶତ ଅଂଶଧନ ରହିଛି । ଏଥିରେ ପାଖାପାଖି ୮ଶହ କୋଟି ଟଙ୍କା ପୁଞ୍ଜି ନିବେଶ ହେବ । ଯେଉଁଥିରେ ଉଭୟ କମ୍ପାନୀର ୫୦ ପ୍ରତିଶତ ଲେଖାଏଁ ଭାଗିଦାରୀ ରହିବ । ଦାସୋଲ୍ଟ କମ୍ପାନୀଠାରୁ ୩୬ଟି ଲଢୁଆ ଯୁଦ୍ଧ ବିମାନ କିଣିବା ପାଇଁ ଭାରତ ସରକାର ଚୁକ୍ତି କରିଥିଲେ । ଏଥିରେ ରିଲାୟନ୍ସ କମ୍ପାନୀକୁ ସରକାର ଅହେତୁକ ଅନୁକମ୍ପା ଦେଖାଇଥିବା ଅଭିଯୋଗ କରୁଛନ୍ତି ବିରୋଧୀ ।