କାଫେରେ କୋଲ୍ଡ ଡ୍ରିଙ୍କର ବିଲ୍ ୧୬,୪୦୦ ! ସାମ୍ନାକୁ ଆସିଲା ଗାଜିଆବାଦର ଡେଟିଂ ଠକେଇ; ୫ ଯୁବତୀ, ୩ ଯୁବକ ଗିରଫ

ଉତ୍ତର ପ୍ରଦେଶ ପୋଲିସ ଗାଜିଆବାଦରେ ଏମିତି ଏକ ଗ୍ୟାଙ୍ଗକୁ ଧରିଛି, ଯିଏ ଡେଟିଂ ନାଁରେ ଯୁବକମାନଙ୍କୁ ଠକୁଥିଲା । ଏହି ଗ୍ୟାଙ୍ଗ କୌଶାମ୍ବି ଅଞ୍ଚଳରେ ଏକ ନକଲି କାଫେ ଚଳାଉଥିଲା ଏବଂ ଏଠାରେ କାମ କରୁଥିବା ଯୁବତୀମାନେ ଯୁବକମାନଙ୍କୁ ଡେଟ୍ ନାମରେ ଡକାଉଥିଲେ । ଏହାପରେ ସେମାନେ କାଫେରୁ ଖାଇବା ପାଇଁ ଅନେକ ମହଙ୍ଗା ଖାଦ୍ୟ ଜିନିଷ ଅର୍ଡର କରୁଥିଲେ ।

ଏପରିକି, ବିଲ୍ ନ ଭରିଲେ ଯୁବକମାନଙ୍କୁ ବନ୍ଧକ ରଖାଯାଇ ଜୋର୍ ଜବରଦସ୍ତି ସେମାନଙ୍କଠାରୁ ଟଙ୍କା ଛଡ଼ାଇ ନିଆଯାଉଥିଲା । ପୋଲିସ ଏହି ଗ୍ୟାଙ୍ଗର ମୋଟ ୮ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରେ ଅଛନ୍ତି ୩ ଜଣ ପୁରୁଷ ଏବଂ ୫ ଜଣ ଯୁବତୀ ।

ପୋଲିସ ସୂଚନା ମୁତାବକ, ଅକ୍ଟୋବର ୨୧ରେ ଜଣେ ବ୍ୟକ୍ତିଙ୍କୁ ହ୍ୱାଟସଆପ ଜରିଆରେ ଡେଟ୍ ପାଇଁ ନିମନ୍ତ୍ରଣ ମିଳିଥିଲା । କିନ୍ତୁ ଏହା ଏକ ସୁନିଶ୍ଚିତ ଠକେଇ ବୋଲି ତାଙ୍କୁ ଜଣା ନ ଥିଲା । ସାକ୍ଷାତର ସ୍ଥାନ ଥିଲା କୌଶାମ୍ବି ମେଟ୍ରୋ ଷ୍ଟେସନ । ଏଠାରୁ ପରେ କୌଶାମ୍ବି ହୋଟେଲର ପ୍ରଥମ ମହଲାରେ ଥିବା ଟାଇଗର କାଫେକୁ ବ୍ୟକ୍ତିଙ୍କୁ ନିଆଯାଇଥିଲା ।

ତେବେ କାଫେରେ ପହଞ୍ଚିବା ପରେ ବ୍ୟକ୍ତିଙ୍କ ମନରେ ସନ୍ଦେହ ଜାତ ହୋଇଥିଲା । କାରଣ, ସେଠାକାର ଅନଲାଇନ ଉପସ୍ଥିତି ନ ଥିଲା ଏବଂ କୌଣସି ସାଇନବୋର୍ଡ ମଧ୍ୟ ଲାଗି ନ ଥିଲା । ତେଣୁ କିଛି ଗଡ଼ବଡ଼ ଆଶଙ୍କା କରି ସେ ନିଜ ସାଙ୍ଗଙ୍କୁ ଲାଇଭ୍ ଲୋକେସନ ସେୟାର କରିଥିଲେ ଏବଂ ନିଜର ସ୍ଥିତି ବିଷୟରେ ମେସେଜରେ ଜଣାଇଥିଲେ ।

ଯେତେବେଳେ ସେ କାଫେରୁ ବାହାରିବାକୁ ଚେଷ୍ଟା କରିଥିଲେ, ସେତିକି ବେଳେ ଯୁବତୀଙ୍କ ଦ୍ୱାରା ଅର୍ଡର କରାଯାଇଥିବା କୋଲ୍ଡ ଡ୍ରିଙ୍କ ଗ୍ଲାସର ବିଲ୍ ୧୬,୪୦୦ ଟଙ୍କା ଦେଖାଯାଇଥିଲା । ଏଥିରେ ତାଙ୍କର ସନ୍ଦେହ ଆହୁରି ଘନୀଭୂତ ହୋଇଥିଲା । ଏହାକୁ ବିରୋଧ କରିବାରୁ ତାଙ୍କୁ ୫୦,୦୦୦ ଟଙ୍କା ଦାବି କରାଯାଇଥିଲା ଏବଂ ତାଙ୍କୁ ଜବରଦସ୍ତି ଅଟକାଇ ରଖାଯାଇଥିଲା ।

ସୌଭାଗବଶତଃ, ତାଙ୍କ ପରିସ୍ଥିତି ସମ୍ପର୍କରେ ସାଙ୍ଗ ଜଣକ ଜାଣିଥିଲେ । ତେଣୁ ସେ ପୋଲିସକୁ ଘଟଣା ସମ୍ପର୍କରେ ଜଣାଇ ଦେଇଥିଲେ । ପୋଲିସ ଯାଞ୍ଚ କରିବା ପରେ ଏହି ଡେଟିଂ ଘୋଟାଲା ବିଷୟରେ ଜଣାପଡ଼ିଥିଲା । ଏଥିରେ ସମ୍ପୃକ୍ତ ୫ ଯୁବତୀ ଏବଂ ୩ ପୁରୁଷଙ୍କୁ ପୋଲିସ ଗିରଫ କରିଛି ।

You might also like