ପ୍ରେମିକ କଥାରେ ପଡ଼ି ବଂଶ ଉଜାଡ଼ି ଦେଲା ଝିଅ

ନୂଆଦିଲ୍ଲୀ : ନାଁଟି ତାର ଶବନମ୍‌ । ନାଁରୁ ଅନ୍ତତଃ ମନେ ହେବ ଯେ ଝିଅଟି ସୁନ୍ଦର ଓ ସୁଶୀଳ ହୋଇଥିବ । କିନ୍ତୁ ଏଭଳି ଭାବନାକୁ ଭୁଲ ପ୍ରମାଣିତ କରିଛି ଉତ୍ତର ପ୍ରଦେଶ ଆମରୋହ ଜିଲ୍ଲା ବାବନଖେଡ଼ି ଗାଁର ଝିଅ ଶବନମ୍‌ । ସେ ଏଭଳି କାମ କରିଛି ଯେ ତା ଗାଁର କୌଣସି ପରିବାର ଗତ ଦଶ ବର୍ଷ ହେଲା ତା ଡ଼ାଁ ଧରିବାକୁ ବି ଡରୁଛନ୍ତି ।

କାହିଁକି ଶବନମ୍‌ ପ୍ରତି ଏତେ ଘୃଣା

ଶବନମ ଏଭଳି ଏକ ଘୃଣ୍ୟ କାଣ୍ଡ ଘଟାଇଛି ଯେ ତାକୁ କେବଳ ଗାଳି ଏବଂ ଅଭିଶାପ ଛଡ଼ା ଆଉ କିଛି ମିଳୁ ନାହିଁ ଗାଁ ଲୋକଙ୍କ ଠାରୁ । ସେ ନିଜ ପରିବାରର ୭ ଜଣଙ୍କୁ ହତ୍ୟା କରିଛି । ବିଶ୍ୱାସ ନହେଲେ ବି ଏକଥା ସତ । ଏଥିପାଇଁ ଶବନମ୍‌କୁ ଫାଶି ଦଣ୍ଡ ମିଳିଛି । ଏମିତିକି ସେ କରିଥିବା କ୍ଷମା ପ୍ରାର୍ଥନାକୁ ରାଷ୍ଟ୍ରପତି ମଧ୍ୟ ଅଗ୍ରାହ୍ୟ କରି ଦେଇଛନ୍ତି । ଗଲା ଦଶ ବର୍ଷ ହେଲା ଜେଲ୍‌ରେ ଅଛି ଶବନମ୍‌ । ନିକଟରେ ତା ପାଇଁ ସୁପ୍ରିମ କୋର୍ଟରେ ଏକ ରିଭ୍ୟୁ ପିଟିସନ୍‌ ଦାୟର ହୋଇଛି । ଏହାର ଶୁଣାଣି କରାଯିବ ।

କଣ ଥିଲା ପୂରା ଘଟଣା

ଶବନମର କ୍ରୁରତା ଏଭଳି ଥିଲା ଯେ ସେ ନିଜ ପରିବାରର ୭ ଜଣ ସଦସ୍ୟଙ୍କୁ ହତ୍ୟା କରିପାରିଲା । ତା ଭିତରେ ଜଣେ ୮ ମାସର ନବଜାତ ଶିଶୁକୁ ମଧ୍ୟ ସେ ଛାଡ଼ି ନଥିଲା । ଆମରୋହ ଠାରୁ ପ୍ରାୟ ୨୦ କିଲୋମିଟର ଦୂର ବାବନଖେଡ଼ି ଗାଁ’ର ଘଟଣା । ଦଶ ବର୍ଷ ତଳେ ଅର୍ଥାତ୍‌ ୨୦୦୮ ମସିହା ଏପ୍ରିଲ ୧୪ ଓ ୧୫ ତାରିଖ ଦିନ ଘଟିଥିଲା ଏଇ ଲୋମ ଟାଙ୍କୁରା ହତ୍ୟାକାଣ୍ଡ । ପ୍ରେମରେ ପାଗଳ ଶବନମ ନିଜ ପ୍ରେମିକ ସଲିମ ସହିତ ମିଶି ଏହି ଜଘନ୍ୟ କାଣ୍ଡ ଘଟାଇଥିଲା । ସେତେବେଳକୁ ଶବନମ ନିଜେ ୭ ମାସର ଗର୍ଭବତୀ ଥିଲା । ହେଲେ ତା ମନରେ ଟିକେ ଦୟା ବି ହେଲାନି ଯେ ସେ ନିଜ ହାତରେ ପରିବାରର ସବୁଠୁ କୁନି ସଦସ୍ୟ ଆଠ ମାସର ନିଜ ପୁତୁରାକୁ ମାରି ଦେଲା ।

ଜାତି, ଶିକ୍ଷା ଓ ଦାରିଦ୍ର୍ୟ ଥିଲା ପ୍ରତିବନ୍ଧକ

ସଲିମ ପଠାଣ ଜାତିର ଓ ଶବନମ ଥିଲା ସୁଫି ସମ୍ପ୍ରଦାୟର । ତେଣୁ ପରିବାର ଲୋକେ ସେମାନଙ୍କ ବିବାହକୁ ବିରୋଧ କରୁଥିଲେ । ଖାଲି ସେତିକି ନୁହେଁ, ପାଠରେ ଶବନମ୍‌ ଡବଲ୍‌ ଏମ୍‌ଏ ଓ ଜଣେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିଲା । ଅନ୍ୟପକ୍ଷରେ ସଲିମ ମାତ୍ର ପଞ୍ଚମ ଶ୍ରେଣୀ ପାଠ ପଢ଼ିଥିଲା ଓ ଗରିବ ପରିବାରର ଥିଲା । ତେବେ ସଲିମର ପ୍ରେମରେ ପୂରା ପାଗଳ ହୋଇ ସାରିଥିଲା ଶବନମ୍‌ । ଏମିତିକି ସେମାନଙ୍କର ଶାରୀରକ ସମ୍ପର୍କ ମଧ୍ୟ ଗଢ଼ି ଉଠିଥିଲା । ତେଣୁ ଘରେ ବିରୋଧ ପରେ ପ୍ରେମିକ ସଲିମ ସହ ଷଡ଼ଯନ୍ତ୍ର କରି ପରିବାର ଲୋକଙ୍କୁ ରାସ୍ତାରୁ ହଟାଇଥିଲା । ଘର ଲୋକ ସବୁ ରାତିରେ ଶୋଇ ପଡ଼ିବା ପରେ ଗୋଟିଏ କୁରାଢ଼ୀ ଧରି ସେ ନିଜର ଅତି ଭଲ ପାଉଥିବା ବାପାଙ୍କ ସମେତ ସାତ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲା ସଲିମ ସହାୟତାରେ । ବାପା ମାଆ, ଦୁଇ ଭାଇ, ଭାଉଜ ଓ ଦୁଇ ଜଣ ପିଲାଙ୍କୁ ଶବନମ୍‌ ଓ ସଲିମ ମାରି ଦେଇଥିଲେ । ଲକ୍ଷ୍ୟ ଥିଲା, ପ୍ରେମ ରାସ୍ତାରୁ କଣ୍ଟା ଯିବ ଓ ପୂରା ସମ୍ପତ୍ତି ମଧ୍ୟ ତାର ହୋଇଯିବ । ହେଲେ ଏବେ ଦୁଇ ଜଣଯାକ ଜେଲ୍‌ରେ ଫାଶିଦଣ୍ଡକୁ ଅପେକ୍ଷା କରିଛନ୍ତି ।

ପୋଲିସ୍‌ ଧରିଲା କେମିତି

୨୦୦୮ ମସିହା ଏପ୍ରିଲ ୧୫ ତାରିଖ ଦିନ ଘଟଣା ଜାଣିବା ପରେ ପୋଲିସ୍‌ ଯେତେବେଳେ ଘରକୁ ଆସିଲା ସେତେବେଳେ ଶବନମ ବୟାନ ଦେଇଥିଲା ଯେ ସେ ବାଥ୍‌ରୁମ୍‌ରେ ଥିବା ବେଳେ ଚୋରମାନେ ଆସି ଏଭଳି କାଣ୍ଡ ଘଟାଇଛନ୍ତି ବୋଲି । ହେଲେ ଶବନମ ଓ ସଲିମଙ୍କ ଫୋନ୍‌ କଲ୍‌ ଯାଞ୍ଚ କରି ପ୍ରକୃତ ଘଟଣା ଜେରା ବେଳେ ଆଦାୟ କରିଥିଲା ପୋଲିସ୍‌ ।

ଶବନମ୍‌ର ପୁଅ

ଜେଲ୍‌ରେ ଥିବା ବେଳେ ଶବନମ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲା । ତାକୁ ଏବେ ତାଙ୍କ ଗାଁର ବନ୍ଧୁ ଉସମାନ ପାଳିତ ପୁତ୍ର ଭାବେ ରଖିଛନ୍ତି । ଉସମାନଙ୍କ କହିବା କଥା, କଲେଜରେ ପଢ଼ିବା ବେଳେ ଶବନମ ତାଙ୍କର ସିନିୟର ଥିଲା । ତାଙ୍କ ପାଖରେ ଟଙ୍କା ନଥିବା ବେଳେ ଅନେକ ଥର ଶବନମ ତାଙ୍କ ପାଇଁ କଲେଜ ଫି ପଇଠ କରିଥିଲା । ତେଣୁ ଉପକାର ଶୁଝିବା ପାଇଁ ସେ ଶବନମର ପୁଅକୁ ପାଳୁଛନ୍ତି । ଅବଶ୍ୟ ଆଇନ୍‌ ଦୃଷ୍ଟିରୁ ସେ ତାକୁ ପୋଷ୍ୟ ଭାବେ ଗ୍ରହଣ କରି ପାରିବେ ନାହିଁ ।

ଏଇ ଦଶ ବର୍ଷ ଭିତରେ ଅନେକ ପଶ୍ଚତାପ କରିଛି ଓ ଆଖିଲୁହରେ ପାପ ଧୋଇବାକୁ ଚେଷ୍ଟା କରିଛି ଶବନମ୍‌ । ହେଲେ ବହିଗଲା ପାଣି କଣ ଆଉ ଫେରେ ? ବାରମ୍ବାର ଶବନମ ଓ ସଲିମ ଫାଶି ଦଣ୍ଡରୁ ମୁକ୍ତି ପାଇଁ କ୍ଷମା ପ୍ରାର୍ଥନା କରି ସାରିଲେଣି । ହେଲେ ପ୍ରତିଥର ଏହା ଖାରଜ ହୋଇ ଯାଉଛି । ଏବେ ପୁଣି ରିଭ୍ୟୁ ପିଟିସନ୍‌ ଦାଖଲ ହୋଇଛି । ଦେଖିବାର କଥା ଏଥର ସୁପ୍ରିମ କୋର୍ଟଙ୍କ ନିଷ୍ପତ୍ତି କଣ ହେଉଛି ।

KNews Bureau

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

22 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

41 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

49 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

2 hours ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

2 hours ago