କ୍ଲାସ୍‌ ରୁମ୍‌ରେ ଝୁଲନ୍ତା ଅବସ୍ଥାରେ ମିଳିଲା ସ୍କୁଲ ପ୍ରିନ୍ସିପାଲଙ୍କ ମୃତଦେହ; ସକାଳୁ ସକାଳୁ ଏପରି ଦୃଶ୍ୟ ଦେଖି ଚିଲ୍ଲାଇଲେ ପିଲା

ଉତ୍ତର ପ୍ରଦେଶର ହମୀରପୁରରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ବୁଧବାର ସକାଳେ ଏକ ସରକାରୀ ପ୍ରାଇମେରୀ ସ୍କୁଲର ଗେଟ୍‌ ଖୋଲିବା କ୍ଷଣି ସ୍କୁଲ କର୍ମଚାରୀ ଏବଂ ପିଲାମାନଙ୍କର ଚିଲ୍ଲାଇବା ଶବ୍ଦ ଶୁଣିବାକୁ ମିଳିଥିଲା। ସ୍କୁଲ ଶ୍ରେଣୀଗୃହରେ ପ୍ରଧାନ ଶିକ୍ଷକଙ୍କ ମୃତଦେହ ଫ୍ୟାନ୍‌ରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ସାମ୍ନାରେ ଏପରି ଦୃଶ୍ୟ ଦେଖି ସମସ୍ତେ ଭୟଭୀତ ହୋଇ ପଡ଼ିଥିଲେ। ତୁରନ୍ତ ଏ ନେଇ ପୋଲିସକୁ ସୂଚନା ଦିଆଯାଇଥିଲା।

ଖବର ପାଇ ସିଓ ପ୍ରମୋଦ କୁମାର ଓ ଡଗ୍‌ ସ୍କ୍ଵାଡ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସ ପ୍ରାଥମିକ ତଦନ୍ତରୁ ଏହା ପାରିବାରିକ ଝଗଡ଼ାରୁ ଆତ୍ମହତ୍ୟା ବୋଲି କହିଛି। ପୋଲିସ ସୂଚନା ମୁତାବକ, ସ୍ଥାନୀୟ କନ୍ଧୌଲି ଗାଁର ସୁଗ୍ରୀବ ଶ୍ରୀବାସ (୫୫) ଏକ ପ୍ରାଇମେରୀ ସ୍କୁଲର ପ୍ରଧାନ ଶିକ୍ଷକ ଥିଲେ। ସ୍କୁଲର ସହାୟକ ଅଧ୍ୟାପକ ରବିନ୍ଦ୍ରଙ୍କ ଅନୁସାରେ, ପ୍ରଧାନ ଶିକ୍ଷକ ନିଜ ପାରିବାରିକ ସମସ୍ୟାକୁ ନେଇ ବହୁତ ଚିନ୍ତିତ ରହୁଥିଲେ ଏବଂ ଗତ ସୋମବାର ସେ ସ୍କୁଲରେ କାନ୍ଦୁଥିଲେ। ଏଠାରେ ତାଙ୍କୁ ବୁଝାଶୁଝା କରାଯାଇ ଘରକୁ ପଠାଯାଇଥିଲା।

ମଙ୍ଗଳବାର ସେ ଡ୍ୟୁଟିକୁ ଆସିଥିଲେ, ହେଲେ ପୂରା ଦିନ କାହା ସହିତ କଥାବାର୍ତ୍ତା କରି ନ ଥିଲେ। ସେ ସ୍କୁଲ ଖେଳପଡ଼ିଆରେ ଏକୁଟିଆ ବସି ରହିଥିଲେ। ସ୍କୁଲ ଛୁଟି ପରେ ସମସ୍ତେ ଘରକୁ ପଳାଇ ଯାଇଥିଲେ, କିନ୍ତୁ ପ୍ରଧାନ ଶିକ୍ଷକ ଘରକୁ ଯାଇ ନ ଥିଲେ। ସନ୍ଧ୍ୟାରେ ତାଙ୍କ ପୁଅ ଭାନୁପ୍ରତାପ ଶିକ୍ଷାମିତ୍ର ବଲଓ୍ଵାନ ମହେନ୍ଦ୍ରଙ୍କୁ ଏ ନେଇ ଜଣାଇଥିଲେ। ଏପରି କି, ତାଙ୍କ ବାପା ଫୋନ୍‌ ଉଠାଉ ନ ଥିବା ମଧ୍ୟ କହିଥିଲେ। ଅନେକ ଜାଗାରେ ଖୋଜାଖୋଜି ପରେ ତାଙ୍କର କୌଣସି ସନ୍ଧାନ ମିଳି ନ ଥିଲା। ବୁଧବାର ସକାଳେ ସ୍କୁଲ ଖୋଲିବା ପରେ ତାଙ୍କ ମୃତଦେହ ଶ୍ରେଣୀଗୃହ ଫ୍ୟାନ୍‌ରେ ଝୁଲୁଥିବାର ଦେଖିବାକୁ ମିଳିଥିଲା।

ଏହି ମାମଲାରେ ସିଓ ପ୍ରମୋଦ କୁମାର ସିଂ କହିଛନ୍ତି, ପ୍ରଧାନ ଶିକ୍ଷକ ନିଜ ପାରିବାରିକ ସମସ୍ୟାକୁ ନେଇ ଚିନ୍ତିତ ଥିଲେ, ଯେଉଁ କାରଣରୁ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି। ପୋଲିସ ଘଟଣାର ତଦନ୍ତ କରୁଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି।