ଦିଲ୍ଲୀରେ ପୁଣି ଚାଞ୍ଚଲ୍ୟ, ଶ୍ରଦ୍ଧା ଓ୍ଵାକର ହତ୍ୟା ପରେ ସୁଟକେସରୁ ମିଳିଲା ମହିଳାଙ୍କ ମୃତଦେହ

ପୁଣି ରାଜଧାନୀ ଦିଲ୍ଲୀରେ ଘଟିଛି ଚାଞ୍ଚଲ୍ୟକର ଘଟଣା । ୱେଷ୍ଟ ଦିଲ୍ଲୀର ପଞ୍ଜାବୀ ବାଗ ଅଞ୍ଚଳରେ ଏକ ସୁଟକେସରୁ ଜଣେ ଅଜଣା ମହିଳାଙ୍କ ମୃତଦେହ ମିଳିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଘଟଣା ସ୍ଥଳରେ ପୋଲିସ ଏବଂ କ୍ରାଇମ ଟିମ୍‌ ପହଞ୍ଚିଛି । ଏପର୍ଯ୍ୟନ୍ତ ମହିଳାଙ୍କ ପରିଚୟ ମିଳିନାହିଁ । ମୃତଦେହଟି ଧୀରେ ଧୀରେ ପଚିବାକୁ ଆରମ୍ଭ କଲାଣି ବୋଲି ପୋଲିସ କହିଛି। ମୃତ ମହିଳାଙ୍କ ବୟସ ୨୮ ରୁ ୩୦ ବର୍ଷ ବୋଲି ଜଣାପଡିଛି। ସୁଟକେସରେ ମୃତଦେହ ରହିବା ଯୋଗୁଁ ହତ୍ୟା ହୋଇଥିବା ଅନୁମାନ କରାଯାଉଛି। ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ସୂଚନା ମୁତାବକ, ପଞ୍ଜାବୀ ବାଗ ଅଞ୍ଚଳରେ ରିଙ୍ଗ ରୋଡରେ ଏକ ନଳା ନିକଟରୁ ସୁଟକେସରେ ମୃତଦେହ ମିଳିଛି । ଏହି ନଳାଟି ନଜଫଗଢ ଡ୍ରେନ ସହିତ ଲାଗିଛି। ଏହା କଡରେ ସୁଟକେସ ଭିତରେ ମୃତଦେହ ମିଳିଛି। ପୋଲିସ ମୃତଦେହକୁ ଦେଖି ହତ୍ୟା ୮ରୁ ୧୦ ଦିନ ପୂର୍ବରୁ ହୋଇଥିବା ଅନୁମାନ କରୁଛି ।

ଏଠାରେ ସୁଟକେସ୍‌ ପଡିଥିବା ଦେଖି ରାସ୍ତାରେ ଯାଉଥିବା ଜଣେ ବ୍ୟକ୍ତି ପିସିଆରକୁ ଫୋନ କରିଥିଲେ ।ଏହା ପରେ ପଞ୍ଜାବୀ ବାଗ ଥାନାର ପୋଲିସ ଘଟଣାସ୍ଥଳେରେ ପହଞ୍ଚି ସୁଟକେସକୁ ଜବତ କରି ଖୋଲି ଦେଖିବା ପରେ ମହିଳାଙ୍କର ମୃତଦେହ ଥିବା ଜାଣିବାକୁ ପାଇଥିଲା । ସୁଟକେସରେ ମହିଳାଙ୍କ ମୃତଦେହ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ପୋଲିସ କହିବାନୁସାରେ, ମୃତଦେହର ଅବସ୍ଥା ବହୁତ ଖରାପ ହୋଇଯାଇଛି ।୮ରୁ ୧୦ ଦିନ ପୂର୍ବରୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ଏପର୍ଯ୍ୟନ୍ତ ପୋଲିସ ମୃତଦେହର ପରିଚୟ ପାଇନାହିଁ । ମହିଳାଙ୍କୁ ହତ୍ୟା କରାଯାଇ ସୁଟକେସରେ ଭର୍ତ୍ତି କରାଯାଇ ଡ୍ରେନରେ ପକାଇ ଦିଆଯାଇଥିବା ପୋଲିସ ଅନୁମାନ କରୁଛି। ତେବେ ଏହି ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଦେଇଛି ।

Leave A Reply

Your email address will not be published.