ପଶ୍ଚିମବଙ୍ଗ: ଅଙ୍ଗନୱାଡି କେନ୍ଦ୍ରରେ ମଧ୍ୟାହ୍ନ ଭୋଜନ ଖାଦ୍ୟରୁ ବାହାରିଲା ମଲା ଝିଟିପିଟି, ୩୦ ପିଲା ଅସୁସ୍ଥ
ପଶ୍ଚିମବଙ୍ଗରେ ଏକ ଅଙ୍ଗନୱାଡି କେନ୍ଦ୍ରରେ ମଧ୍ୟାହ୍ନ ଭୋଜନ ପାଇଁ ରନ୍ଧାଯାଇଥିବା ଖେଚୁଡ଼ିରୁ ଏକ ମଲା ଝିଟିପିଟି ବାହାରିଛି।
ପଶ୍ଚିମବଙ୍ଗରେ ମଧ୍ୟାହ୍ନ ଭୋଜନ ଖାଦ୍ୟରୁ ପୁଣି ମଲା ଝିଟିପିଟି ବାହାରିବା ନେଇ ଅଭିଯୋଗ ହୋଇଛି। ରାଜ୍ୟର ବାଙ୍କୁଡ଼ା ଜିଲ୍ଲାର ଏକ ଅଙ୍ଗନୱାଡି କେନ୍ଦ୍ରରେ ମଧ୍ୟାହ୍ନ ଭୋଜନ ପାଇଁ ରନ୍ଧାଯାଇଥିବା ଖେଚୁଡ଼ିରେ ଏକ ମଲା ଝିଟିପିଟି ପଡ଼ିଥିବାର ଦେଖିବାକୁ ମିଳିଥିଲା।
ତେବେ ଏହି ଖେଚୁଡ଼ି ଖାଇ ପ୍ରାୟ ୩୦ ପିଲା ଅସୁସ୍ଥ ହୋଇପଡିଛନ୍ତି। ସେମାନଙ୍କୁ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଘଟଣା ବାଙ୍କୁଡ଼ା ଜିଲ୍ଲାର ହାଟଗ୍ରାମ ଉପରପାଡ଼ା ଆଇସିଡିଏସ୍ କେନ୍ଦ୍ରର ବୋଲି ଜଣାପଡ଼ିଛି।
ସ୍ଥାନୀୟ ସୂତ୍ର ଅନୁସାରେ, ଅଙ୍ଗନୱାଡି କେନ୍ଦ୍ରରେ ପାଖାପାଖି ୬୦ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ରହିଛି। ପ୍ରତ୍ୟେକ ଦିନ ଭଳି ଶୁକ୍ରବାର ସକାଳେ ମଧ୍ୟ ରନ୍ଧା ହୋଇଥିବା ଖେଚୁଡ଼ି ଧରି ପିଲାମାନେ ଘରକୁ ଫେରିଥିଲେ। ଘରେ ଖାଦ୍ୟ ଖାଇବା ସମୟରେ ଜଣେ ପିଲାର ମା’ ଖାଦ୍ୟରେ ଏକ ଝିଟିପିଟି ପଡ଼ିଥିବାର ଦେଖିବାକୁ ପାଇଥିଲେ। ଝିଟିପିଟି ଖାଦ୍ୟରେ ପଡ଼ିଲେ ଖାଦ୍ୟ ବିଷାକ୍ତ ହେବାର ସମ୍ଭାବନା ରହିଛି।
ତେବେ ଏହି ଖାଦ୍ୟ ଖାଇ ଅନେକ ପିଲା ବାନ୍ତି ମଧ୍ୟ କରିଥିବା ଅଭିଯୋଗ ହୋଇଛି। ଖାଦ୍ୟ ଖାଇଥିବା ପାଖାପାଖି ୩୦ ପିଲାଙ୍କୁ ସ୍ଥାନୀୟ ହାଟଗ୍ରାମ ସ୍ୱାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା। ଏହା ପୂର୍ବରୁ ବି ମଧ୍ୟାହ୍ନ ଭୋଜନରେ ଝିଟିପିଟି, ଅସରପା, କୀଟପତଙ୍ଗ ଆଦି ପଡ଼ିଥିବାର ଅଭିଯୋଗ ଆସିଛି।