ସଙ୍ଗୀନ ରହିଛି ଆସାମ ବନ୍ୟା ପରିସ୍ଥିତି: ମୃତ୍ୟୁ ସଂଖ୍ୟା ୫୨କୁ ବୃଦ୍ଧି

ଆସାମ: ସଙ୍ଗୀନ ରହିଛି ଆସାମ ବନ୍ୟା ପରିସ୍ଥିତି । ବ୍ରହ୍ମପୁତ୍ର ଓ ଏହାର ଶାଖା ନଦୀଗୁଡିକର ଜଳସ୍ତର କମୁନଥିବାରୁ ପରିସ୍ଥିତି ଗୁରୁତର ହେବାରେ ଲାଗିଛି । ବନ୍ୟା ଯୋଗୁଁ ଗତ ୨୪ ଘଣ୍ଟାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସମୁଦାୟ ମୃତ୍ୟୁ ସଂଖ୍ୟା ୫୨ରେ ପହଞ୍ଚିଛି । ରାଜ୍ୟର ୨୯ଟି ଜିଲ୍ଲା ବନ୍ୟା ଯୋଗୁଁ ପ୍ରଭାବିତ ହୋଇଥିବା ବେଳେ ୨୧ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି ।

ବନ୍ୟା ଯୋଗୁ ନଗାଓଁ ଜିଲ୍ଲାରେ ସର୍ବାଧିକ ୪ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ବନ୍ୟା ଯୋଗୁଁ ନଗାଓଁ ଜିଲ୍ଲାର ଏକ ଗାଁ ଭିତରକୁ ବାଘ ପଶି ଆସି ଦୁଇ ଜଣଙ୍କୁ ଆକ୍ରମଣ କରି ଆହତ କରିଛି । ତେବେ ବନ ବିଭାଗ କର୍ମଚାରୀମାନେ ବାଘଟିକୁ ଘଉଡାଇ ଦେଇଛନ୍ତି ।

ସେପଟେ ଉପରମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ବନ୍ୟା ଜଳ ବଢୁଛି । ତେଣୁ ଆଉ କିଛି ଜିଲ୍ଲା ପ୍ରଭାବିତ ହେବାର ଆଶଙ୍କା ରହିଛି । ବନ୍ୟା ପ୍ରଭାବିତ ଜିଲ୍ଲାଗୁଡିକରେ ୫ ଶହରୁ ଅଧିକ ରିଲିଫ କ୍ୟାମ୍ପ ସ୍ଥାପନ କରାଯାଇଛି । ଆସାମ ମୁଖ୍ୟମନ୍ତ୍ରୀ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ବନ୍ୟା ସ୍ଥିତି ସମୀକ୍ଷା କରୁଛନ୍ତି ।

କାଜିରଙ୍ଗା ଅଭୟାରଣ୍ୟରେ ବନ୍ୟା ପାଣି ପ୍ରବେଶ କରିବାରୁ ଲକ୍ଷାଧିକ ପଶୁ ପ୍ରଭାବିତ ହୋଇଛନ୍ତି । ୧୭ଟି ପଶୁଙ୍କର ମୃତ୍ୟୁ ହୋଇଥିବା ବେଳେ ୭୨ଟି ପଶୁଙ୍କୁ ଉଦ୍ଧାର କରାଯାଇଛି । ବନ୍ୟା ପାଣିରେ ଗଣ୍ଡା ଛୁଆ, ହରିଣ ସହିତ ୧୭ ଜଣ ଜଙ୍ଗଲୀ ଜନ୍ତୁ ବୁଡିଯାଇଛନ୍ତି । ୭୨ ଜନ୍ତୁରୁ ୩୨ଟି ଜନ୍ତୁଙ୍କ ଚିକିତ୍ସା ଚାଲିଛି ଏବଂ ଅନ୍ୟ ୨୫ ଜନ୍ତୁଙ୍କୁ ଅନ୍ୟ ସ୍ଥାନରେ ଛଡାଯାଇଛି । ଏସଡିଆରଏଫ, ଏନଡିଆରଏଫ, ଜରୁରୀକାଳିନ ସେବା କର୍ମଚାରୀଙ୍କୁ ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ମୁତୟନ କରାଯାଇଛି ।