ବିହାରରେ ୨୦୧୩ ଗାନ୍ଧି ମୈଦାନ ବିସ୍ଫୋରଣ ମାମଲାରେ ପାଟନା ହାଇକୋର୍ଟ ବୁଧବାର ଚାରି ଜଣ ଦୋଷୀଙ୍କ ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡରେ ବଦଳାଇଛନ୍ତି । ସମସ୍ତ ଦୋଷୀଙ୍କୁ ପୂର୍ବରୁ ସିଭିଲ କୋର୍ଟ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିଲେ । ଏହି ୪ ଜଣ ଦୋଷୀ ହେଲେ, ହାଇଦର ଅଲି, ମୋଜିବୁଲ୍ଲା, ନୋମାନ ଓ ଇମତିଆଜ ।
ହାଇକୋର୍ଟ ଏହି ସମସ୍ତ ଦୋଷୀଙ୍କ ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡରେ ବଦଳାଇଛନ୍ତି । ଏହା ସହିତ ଉମର ଓ ଅଜହରୁଦ୍ଦିନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବାର ନିମ୍ନ ଅଦାଲତଙ୍କ ନିଷ୍ପତ୍ତିକୁ ବଳବତ୍ତର ରଖିଛନ୍ତି । ନିମ୍ନ ଅଦାଲତ ଏହି ଘଟଣାକୁ ‘ରେୟାର ଅଫ୍ ଦି ରେୟାରେଷ୍ଟ’ ବୋଲି କହିଥିଲେ ।
୨୦୧୩ ଅକ୍ଟୋବର ୨୭ରେ ପାଟନା ଗାନ୍ଧି ମୈଦାନରେ ଏହି ବୋମା ବିସ୍ଫୋରଣ ଘଟଣା ଘଟିଥିଲା । ସେତେ ବେଳେ ଲୋକସଭା ନିର୍ବାଚନ ୨୦୧୪ ପାଇଁ ପ୍ରଚାର କରିବାରେ ସମସ୍ତ ଦଳ ବ୍ୟସ୍ତ ଥିଲେ । ଏହି ସମୟ ମଧ୍ୟରେ ନରେନ୍ଦ୍ର ମୋଦି ପାଟନାରେ ପହଞ୍ଚିଥିଲେ । ଗାନ୍ଧି ମୈଦାନରେ ବିଜେପି ଏକ ରାଲି ଆୟୋଜନ କରିଥିଲା । ମୋଦି ଏହି ରାଲିକୁ ସମ୍ବୋଧିତ କରୁଥିଲେ । ସେହି ସମୟରେ ପାଟନା ଜଙ୍କସନର ୧୦ ନମ୍ବର ପ୍ଲାଟଫର୍ମରେ ଥିବା ସୁଲଭ ଶୌଚାଳୟ ନିକଟରେ ପ୍ରଥମ ବୋମା ବିସ୍ଫୋରଣ ଘଟିଥିଲା । ଏହା ପରେ ଗାନ୍ଧି ମୈଦାନ ଏବଂ ଏହାର ଆଖପାଖ ୬ଟି ସ୍ଥାନରେ ସିରିଏଲ୍ ବୋମା ବିସ୍ଫୋରଣ ଘଟିଥିଲା ।
ଏହି ବିସ୍ଫୋରଣରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮୯ ଜଣ ଆହତ ହୋଇଥିଲେ । ଘଟଣା ପରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତତ୍କାଳୀନ ଗୃହମନ୍ତ୍ରୀ ସୁଶୀଲ କୁମାର ସିଂଦେଙ୍କ ଠାରୁ ଏନ୍ଆଇଏ ତଦନ୍ତ ଦାବି କରିଥିଲେ । ଏନ୍ଆଇଏ ୨୦୧୪ରେ ଏହି ମାମଲାରେ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଏକ ଚାର୍ଜସିଟ୍ ଦାଖଲ କରିଥିଲା । ୧୮୭ ଜଣ ଲୋକଙ୍କୁ ଏହି ବିସ୍ଫୋରଣ ମାମଲାରେ କୋର୍ଟରେ ସାକ୍ଷୀ କରାଯାଇଥିଲା ।