ଦିଲ୍ଲୀ ମେଟ୍ରୋରେ ସିଏମ୍‌ କେଜ୍ରିଓ୍ଵାଲଙ୍କୁ ଧମକ ଦେଇଥିବା ଯୁବକ ଗିରଫ, ଅଛନ୍ତି ନାମୀ ବ୍ୟାଙ୍କ୍‌ର କର୍ମଚାରୀ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଧମକ । ସିଏମ୍‌ କେଜ୍ରିଓ୍ଵାଲଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଛନ୍ତି ଜଣେ ବ୍ୟାଙ୍କ୍‌ କର୍ମଚାରୀ । ଦିଲ୍ଲୀ ମେଟ୍ରୋ ଷ୍ଟେସନ ଏବଂ ଟ୍ରେନ୍‌ରେ ଏହି ଯୁବକ ଜଣକ ନିଜ ହାତରେ ଧମକପୂର୍ଣ୍ଣ ମେସେଜ ଲେଖିଥିଲେ ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଧମକ । ସିଏମ୍‌ କେଜ୍ରିଓ୍ଵାଲଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଛନ୍ତି ଜଣେ ବ୍ୟାଙ୍କ୍‌ କର୍ମଚାରୀ । ଦିଲ୍ଲୀ ମେଟ୍ରୋ ଷ୍ଟେସନ ଏବଂ ଟ୍ରେନ୍‌ରେ ଏହି ଯୁବକ ଜଣକ ନିଜ ହାତରେ ଧମକପୂର୍ଣ୍ଣ ମେସେଜ ଲେଖିଥିଲେ । ଅଭିଯୋଗ ଆଧାରରେ ମାମଲା ରୁଜୁ ପରେ ପୋଲିସ ଉକ୍ତ ଯୁବକଙ୍କୁ ଗିରଫ କରି ନେଇଛି । ସେପଟେ ମେସେଜ ଲେଖୁଥିବା ସମୟର ଅଭିଯୁକ୍ତଙ୍କ ସିସିଟିଭି ଫୁଟେଜ୍‌ ମଧ୍ୟ ସାମ୍ନାକୁ ଆସିଛି ।

ପୋଲିସ ସୂତ୍ରରୁ ଜଣାପଡ଼ିଛି, ଅଭିଯୁକ୍ତଙ୍କ ନାମ ଅଙ୍କିତ ଗୋଏଲ୍‌ (୩୨), ସେ ବରେଲିର ବାସିନ୍ଦା । ଗ୍ରେଟର ନୋଏଡାରେ ଥିବା ତାଙ୍କ ଘର ପଞ୍ଜିକୃତ କରାଇବାକୁ ସେ ବରେଲିରୁ ଆସିଥିଲେ । ଅଙ୍କିତ ଏଠାରେ ଏକ ପଞ୍ଚତାରକା ହୋଟେଲରେ ରହିଥିଲେ । ସେ ଦିଲ୍ଲୀ ମେଟ୍ରୋରେ ଯାତ୍ରା କରିବା ବେଳେ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ନାଁରେ ଧମକପୂର୍ଣ୍ଣ ମେସେଜ ଲେଖିଥିଲେ ।

ଅଙ୍କିତ ବହୁତ ଉଚ୍ଚଶିକ୍ଷିତ ଏବଂ ଏକ ନାମୀ ବ୍ୟାଙ୍କରେ ମଧ୍ୟ କାମ କରନ୍ତି । ସେ କୌଣସି ରାଜନୈତିକ ଦଳ ସହିତ ଜଡ଼ିତ ନାହାନ୍ତି । ପୋଲିସ ମୁତାବକ, ଅଭିଯୁକ୍ତଙ୍କ ମାନସିକ ଅବସ୍ଥା ଠିକ୍‌ ନ ଥିବା ପରି ଲାଗୁଛି । କିନ୍ତୁ ଡାକ୍ତରୀ ଯାଞ୍ଚ ପରେ ହିଁ ଏ କଥା ସ୍ପଷ୍ଟ ହୋଇପାରିବ ।

କହି ରଖୁଛୁ ଯେ ଏହି ଘଟଣା ମେ’ ୧୯ ତାରିଖର । ପଟେଲ ନଗର ଏବଂ ରାଜୀବ ଚୌକ ମେଟ୍ରୋ ଷ୍ଟେସନ ସହ ଏକ ଟ୍ରେନ୍‌ର ବଗିରେ ସିଏମ୍‌ କେଜ୍ରିଓ୍ଵାଲଙ୍କୁ ନେଇ ଇଂଲିଶରେ ଧମକପୂର୍ଣ୍ଣ ମେସେଜ୍‌ ଲେଖାଯାଇଥିଲା । ଆମ୍‌ ଆଦ୍‌ମୀ ପାର୍ଟି ଏହା ବିଷୟରେ ସାମ୍ବାଦିକ ସମ୍ମିଳନୀ କରି କେଜ୍ରିଓ୍ଵାଲଙ୍କୁ ହତ୍ୟା ଷଡ଼ଯନ୍ତ୍ର ରଚିଥିବା ନେଇ ବିଜେପି ଏବଂ ପିଏମ୍‌ଓ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲା ।

ଅଭିଯୋଗକୁ ଭିତ୍ତି କରି ଦିଲ୍ଲୀ ପୋଲିସର ମେଟ୍ରୋ ୟୁନିଟ୍‌ ଏହି ମାମଲାରେ ଏଫ୍‌ଆଇଆର୍‌ ପଞ୍ଜିକୃତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ପୋଲିସ ସିସିଟିଭି ଫୁଟେଜ୍‌ ଜରିଆରେ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲା । ପୋଲିସ ପଟେଲ ନଗର, ରମେଶ ନଗର ଏବଂ ରାଜୀବ ଚୌକ ମେଟ୍ରୋ ଷ୍ଟେସନର ସିସିଟିଭି ଫୁଟେଜ୍‌ ସଂଗ୍ରହ କରିଥିଲା । ଏଥିରୁ ଅଭିଯୁକ୍ତ ଯୁବକଙ୍କୁ ଚିହ୍ନଟ କରାଯାଇଥିଲା ।

Leave A Reply

Your email address will not be published.