ତୁର୍କୀର ରିସୋର୍ଟରେ ଭୟାବହ ଅଗ୍ନିକାଣ୍ଡ ଘଟଣା : ମୃତ୍ୟୁ ସଂଖ୍ୟା ୭୬କୁ ବୃଦ୍ଧି, ୫୧ ଆହତ

ଉତ୍ତର-ପଶ୍ଚିମ ତୁର୍କୀର ସ୍କି ରିସୋର୍ଟ ହୋଟେଲରେ ଭୟାବହ ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ୭୬କୁ ବୃଦ୍ଧି ଘଟିଛି । ବର୍ତ୍ତମାନ ୫୧ ଜଣ ଆହତ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ବୋଲୁରେ ଥିବା ୧୨ ମହଲା ବିଶିଷ୍ଟ ଗ୍ରାଣ୍ଡ କର୍ତ୍ତାଲ ହୋଟେଲରେ ୨୩୪ ଜଣ ଅତିଥି ଥିଲେ । ନିଆଁ ଲାଗିବାରୁ ଲୋକମାନେ ଭୟରେ ଝରକା ଦେଇ ଡେଇଁ ପଡ଼ିଥିଲେ । କିଛି ଲୋକ ଚାଦର ଓ କମ୍ବଳ ଘୋଡ଼େଇ ହୋଇ ହୋଟେଲରୁ ସୁରକ୍ଷିତ ଭାବେ ବାହାରକୁ ଆସିବାରେ ସକ୍ଷମ ହୋଇଥିଲେ । ତେବେ ପ୍ରବଳ ଧୂଆଁ ଯୋଗୁଁ ବାହାରକୁ ଆସିବାର ରାସ୍ତା ଖୋଜିବା ଅନେକଙ୍କ ପକ୍ଷେ ସମ୍ଭବ ହୋଇନଥିଲା ।
ଅନ୍ୟପଟେ ଘଟଣା ସମୟରେ ହୋଟେଲରେ ରହୁଥିବା ସ୍କି ପ୍ରଶିକ୍ଷକ ହୋଟେଲରୁ ପ୍ରାୟ ୨୦ ଜଣଙ୍କୁ ସୁରକ୍ଷିତ ବାହାର କରିବାରେ ସାହାଯ୍ୟ କରିଥିଲେ । ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଏନେଇ ତଦନ୍ତ ଜାରି ରହିଛି । ନିଆଁ ଲିଭାଇବାକୁ ପ୍ରାୟ ୧୨ ଘଣ୍ଟା ଲାଗିଥିଲା । ଏହି ଘଟଣାରେ ହୋଟେଲ ମାଲିକଙ୍କ ସମେତ ୯ ଜଣଙ୍କୁ ଗିରଫ କରାଯାଇଛି । ଇସ୍ତାନବୁଲରୁ ପ୍ରାୟ ୩୦୦ କିଲୋମିଟର ଦୂର କାର୍ତାଲକାୟା ହେଉଛି କୋରୋଗ୍ଲୁ ପର୍ବତମାଳାରେ ଏକ ଲୋକପ୍ରିୟ ସ୍କି ରିସର୍ଟ । ସ୍କୁଲ ସେମିଷ୍ଟର ଶେଷ ହେବାପରେ ବର୍ତ୍ତମାନ ଏହି ଅଞ୍ଚଳର ହୋଟେଲଗୁଡ଼ିକରେ ଭିଡ଼ ଦେଖିବାକୁ ମିଳିଛି । ତେବେ ଏହି ଅଗ୍ନିକାଣ୍ଡ ପରେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଅନ୍ୟ ହୋଟେଲଗୁଡ଼ିକୁ ମଧ୍ୟ ଖାଲି କରିଦିଆଯାଇଛି ।
ଆହୁରି ପଢ଼ନ୍ତୁ: ତୁର୍କୀର ରିସୋର୍ଟରେ ଭୟାବହ ଅଗ୍ନିକାଣ୍ଡ, ୧୦ ଜଣଙ୍କ ମୃତ୍ୟୁ, ୩୨ ଆହତ