ହାଥରସ୍ ଦଳାଚକଟା ଘଟଣା : ମୃତ୍ୟୁ ସଂଖ୍ୟା ୧୨୧ କୁ ବୃଦ୍ଧି, ୧୫୦ରୁ ଅଧିକ ଆହତ
ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ଦଳାଚକଟାରେ ବଢୁଛି ମୃତ୍ୟୁ ସଂଖ୍ୟା । ୧୨୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫୦ରୁ ଅଧିକ ଆହତ ହୋଇଛନ୍ତି । ହାଥରସ୍ ଜିଲ୍ଲାର ରତିବାନୁର ଠାରେ ଏକ ସତସଙ୍ଗର ଉଦଯାପନୀ ଉତ୍ସବ ବେଳେ ପ୍ରବଳ ସଂଖ୍ୟାରେ ଭକ୍ତଙ୍କ ସମାଗମରୁ ଦଳାଚକଟା ହୋଇଥିଲା । ଧର୍ମଗୁରୁ ଭୋଲେବାବା ଓରଫ୍ ନାରାୟଣ ସାକାରଙ୍କ ସତସଙ୍ଗରେ ଥିଲେ ୫୦ ହଜାର ଲୋକ । ପ୍ରବଳ ସଂଖ୍ୟାରେ ଶ୍ରଦ୍ଧାଳୁ ବାବାଙ୍କ ପାଦ ଛୁଇଁବାକୁ ଏବଂ ବାହାରିବାକୁ ଉଦ୍ୟମ କରିବା ବେଳେ ଦଳାଚକଟା ହୋଇ ସତସଙ୍ଗ୍ ପାଲିଟିଗଲା ଶ୍ମଶାନ। ଦଳାଚକଟାରେ ୧୨୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫୦ରୁ ଅଧିକ ଆହତ ହୋଇଥିଲେ। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ରହିଛନ୍ତି। ସମସ୍ତ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ମେଡିକାଲ କଲେଜରେ ଏକ ତ୍ର ଶତାଧିକ ମୃତଦେହ ଦେଖି ଡ୍ୟୁଟିରେ ମୁତୟନ ଜଣେ କନେଷ୍ଟବଳଙ୍କ ହୃଦଘାତରେ ମୃତ୍ୟୁ ହୋଇଛି ।
ଘଟଣା ପରେ ଭୋଲେବାବା ଫେରାର ଅଛନ୍ତି । ସତସଙ୍ଗ ଆୟୋଜକଙ୍କ ନାଁରେ ଏତଲା ରୁଜୁ ହୋଇଛି । ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ।ସଭାସ୍ଥଳରେ ଲୋକଙ୍କ ବାହାରିବା ପାଇଁ ରାସ୍ତା ନଥିଲା । ଏତେ ବଡ ଆୟୋଜନରେ SOP ପାଳନ କରାଯାଇନଥିବା ଜଣାପଡ଼ିଛି । ଅତ୍ୟଧିକ ଭିଡ ସହ ଆନୁଷଙ୍ଗିକ ବ୍ୟବସ୍ଥା ସଠିକ୍ ନଥିବା, ଅତ୍ୟଧିକ ଗରମ ଗୁଳୁଗୁଳିରେ ଅଣ ନିଶ୍ବାସୀ ହୋଇପଡ଼ିଥିଲେ ଶ୍ରଦ୍ଧାଳୁ। ପୋଲିସ ଅଧିକ ତଦନ୍ତ କରୁଛି ।
ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦି ହାଥରସ ମୃତକଙ୍କ ପରିଜନଙ୍କୁ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡରୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ୨ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି ।
ଏହି ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଏହା ଏକ ହୃଦୟ ବିଦାରକ ଘଟଣା । ନିଜ ପରିବାରଜନଙ୍କୁ ହରାଇଥିବା ଲୋକଙ୍କୁ ମୁଁ ସମବେଦନା ଜଣାଉଛି ତଥା ଆହତମାନଙ୍କର ଦ୍ରୁତ ଆରୋଗ୍ୟ କାମନା କରୁଛି । ବେଳେ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି । ଅମିତ ଶାହ ମୃତକଙ୍କ ପରିଜନଙ୍କ ପ୍ରତି ସମବେଦନା ଜଣାଇଛନ୍ତି । ଈଶ୍ୱର ତାଙ୍କୁ ସହିବାକୁ ଶକ୍ତି ଦିଅନ୍ତୁ । ଆହତ ଖୁବଶୀଘ୍ର ସୁସ୍ଥ ହୁଅନ୍ତୁ ।