ଭୀଷଣ ଗରମରେ ଅନେକ ବାଟ ଚାଲିଥିଲେ ତୀର୍ଥଯାତ୍ରୀ…୧୩୦୦ ଅତିକ୍ରମ କଲା ହଜ୍ ଯାତ୍ରୀଙ୍କ ମୃତ୍ୟୁ ସଂଖ୍ୟା

ସାଉଦି ଆରବରେ ଭୀଷଣ ଗରମ ମଧ୍ୟରେ ହଜ୍ ଯାତ୍ରୀଙ୍କ ମୃତ୍ୟୁ ସଂଖ୍ୟା ୧୩୦୦ ଅତିକ୍ରମ କରିଛି । ଆରବ ସରକାର କହିଛନ୍ତି ଯେ ଅତ୍ୟଧିକ ଗରମ ହେତୁ ତୀର୍ଥଯାତ୍ରୀମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା । କେତେକଙ୍କର ଚିକିତ୍ସା ଚାଲିଛି । ଦୁଃଖର କଥା ଯେ ଚଳିତ ବର୍ଷ ହଜ୍ ଯାତ୍ରାରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୧୩୦୧ରେ ପହଞ୍ଚିଛି ।
କୁହାଯାଇଛି ଯେ ମୃତକମାନଙ୍କ ମଧ୍ୟରୁ ୮୩ ପ୍ରତିଶତ ଲୋକ ହଜ୍ ଯାତ୍ରା ପାଇଁ ଅଣପଞ୍ଜିକୃତ ଥିଲେ । ଏମାନେ କୌଣସି ବିଶ୍ରାମ ନ ନେଇ ଟାଣ ଖରାରେ ବହୁ ଦୂର ପର୍ଯ୍ୟନ୍ତ ପାଦରେ ଚାଲି ଚାଲି ଯାଇଥିଲେ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମୁତାବକ, ମୃତକଙ୍କ ମଧ୍ୟରେ ଅନେକ ବୃଦ୍ଧି ବ୍ୟକ୍ତି ଏବଂ ଗୁରୁତର ଅସୁସ୍ଥ ବ୍ୟକ୍ତି ଥିଲେ । ରିପୋର୍ଟ ଅନୁସାରେ, ସମସ୍ତ ମୃତକଙ୍କ ପରିବାରକୁ ଚିହ୍ନଟ କରାଯାଇଛି । ଚଳିତ ବର୍ଷ ହଜ୍ ଯାତ୍ରା ସମୟରେ ଅତ୍ୟଧିକ ଗରମ ହିଁ ଶହ ଶହ ଲୋକଙ୍କ ମୃତ୍ୟୁ ଏବଂ ଆହତ ହେବା ପଛର ମୁଖ୍ୟ କାରଣ ବୋଲି କୁହାଯାଉଛି ।
ସୋମବାର ମକ୍କାରେ ରେକର୍ଡ ତାପମାତ୍ରା ୧୨୫ ଡିଗ୍ରୀ ଫାରେନ୍ହାଇଟ ପର୍ଯ୍ୟନ୍ତ ପହଞ୍ଚିଯାଇଛି । ସରକାରୀ ଅଧିକାରୀମାନେ କହିଛନ୍ତି ଯେ ଅଣପଞ୍ଜିକୃତ ତୀର୍ଥଯାତ୍ରୀମାନଙ୍କ ସଂଖ୍ୟା ବୃଦ୍ଧି ହେତୁ ସମସ୍ୟା ବଢ଼ିଛି ।
କିଛି ତୀର୍ଥଯାତ୍ରୀ ଚଳିତ ବର୍ଷ ହଜ୍ ଯାତ୍ରାର ଖରାପ ଭିତ୍ତିଭୂମି ଏବଂ ସଙ୍ଗଠନକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ତୀର୍ଥଯାତ୍ରୀମାନେ ପ୍ରବଳ ଗରମରେ ବାହାରେ ବୁଲି ସେମାନଙ୍କ ଅଧିକାଂଶ ଦିନ ବିତାଇଥିଲେ । କେତେଜଣ ତୀର୍ଥଯାତ୍ରୀ ଲୋକଙ୍କୁ ଆଖି ସାମ୍ନାରେ ବେହୋଶ୍ ହେଉଥିବାର ଦେଖିଥିଲେ ଏବଂ ଧଳା କପଡ଼ାରେ ଢଙ୍କାଯାଇଥିବା ମୃତଦେହ ଦେଇ ହିଁ ସେମାନଙ୍କୁ ଯିବାକୁ ପଡ଼ୁଥିଲା ।
ସେପଟେ ମୃତ ତୀର୍ଥଯାତ୍ରୀଙ୍କ ମଧ୍ୟରେ ଅନେକ ଭାରତୀୟ ମଧ୍ୟ ରହିଥିଲେ । ପ୍ରବଳ ଗରମ ହଜ୍ ଯାତ୍ରୀଙ୍କ ପାଇଁ କାଳ ସାଜିଥିଲା । ଚଳିତ ବର୍ଷ ଭାରତରୁ ୧,୭୫,୦୦୦ ତୀର୍ଥଯାତ୍ରୀ ହଜ ଯାତ୍ରା କରିଥିବା ବେଳେ ମୃତକଙ୍କ ମଧ୍ୟରେ ୬୮ ଜଣ ଭାରତୀୟ ଥିଲେ ।