କରୋନା ପଜିଟିଭ ପୁଷ୍ଟି ହେବାର ୩୦ ଦିନ ଭିତରେ ମୃତ୍ୟୁକୁ କୁହାଯିବ କୋଭିଡ୍‌ ମୃତ୍ୟୁ, ସରକାର ଜାରି କଲେ ନୂଆ ଗାଇଡ୍‌ଲାଇନ

ନିକଟରେ କେନ୍ଦ୍ର ସରକାର କରୋନା ମହାମାରୀଜନିତ ମୃତ୍ୟୁ ସମ୍ପର୍କରେ ଏକ ବଡ଼ କଥା କହିଛନ୍ତି। ସରକାର କହିଛନ୍ତି କି, କୋଭିଡ୍‌ ପଜିଟିଭ ପୁଷ୍ଟି ହେବାର ୩୦ ଦିନ ଭିତରେ ଯଦି କାହାର ମୃତ୍ୟୁ ହସ୍ପିଟାଲ କିମ୍ବା ଘରେ ହେଉଛି, ତା’ହେଲେ ଡେଥ୍‌ ସାର୍ଟିଫିକେଟରେ ମୃତ୍ୟୁର କାରଣ କୋଭିଡ୍‌-୧୯ ହିଁ ଦର୍ଶାଯିବ। ଶୁକ୍ରବାର କେନ୍ଦ୍ର ସରକାର, ସୁପ୍ରିମ୍‌ କୋର୍ଟରେ ଏକ ଶପଥ ପତ୍ର ଫାଇଲ୍‌ କରି ଏହା କହିଛନ୍ତି।

ସୂଚନା ମୁତାବକ, ସୁପ୍ରିମ୍‌ କୋର୍ଟ, କେନ୍ଦ୍ର ସରକାରଙ୍କୁ ୩୦ ଜୁନ୍‌ରେ ନିର୍ଦ୍ଦେଶ ଦେଇଥିଲେ କି, ଯେଉଁ ଲୋକଙ୍କ ମୃତ୍ୟୁ କରୋନା କାରଣରୁ ହସ୍ପିଟାଲ କିମ୍ବା ଅନ୍ୟ କେଉଁଠି ହୋଇଛି, ତା’ହେଲେ କୋଭିଡ୍‌ରେ ସେମାନଙ୍କ ମୃତ୍ୟୁ ଘଟିଥିବା ନେଇ ବିଚାରକୁ ନିଆଯିବ। ଏଥି ସହିତ ସରକାରଙ୍କୁ ଏହା ଉପରେ ସ୍ପଷ୍ଟ ଗାଇଡ୍‌ଲାଇନ ବନାଇବାକୁ ବି ନିର୍ଦ୍ଦେଶ ଦେଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ପରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏବଂ Indian Council for Medical Research (ICMR) ୩ ସେପ୍ଟେମ୍ବରରେ ନୂଆ ଗାଇଡ୍‌ଲାଇନ ଜାରି କରିଥିଲେ। ଏବେ ସରକାର କୋଭିଡ୍‌ରେ ହେଉଥିବା ମୃତ୍ୟୁ ପାଇଁ ସର୍କୁଲାର ଜାରି କରିଛନ୍ତି। ଏହା ଅନୁସାରେ, କରୋନା ପଜିଟିଭ ଚିହ୍ନଟ ହେବା ପରେ ଯଦି ବି କେହି ରୋଗୀ ହସ୍ପିଟାଲରୁ ଡିସ୍‌ଚାର୍ଜ ହେଉଛନ୍ତି, ତା’ହେଲେ ମଧ୍ୟ ଟେଷ୍ଟିଂର ୩୦ ଦିନ ଭିତରେ ମୃତ୍ୟୁ ଘଟିଲେ କୋଭିଡ୍‌ ଡେଥ୍‌ କୁହାଯିବ।

ନୂଆ କୋଭିଡ୍‌ ଡେଥ୍‌ର ଗାଇଡ୍‌ଲାଇନ ମୁତାବକ, RTPCR ଟେଷ୍ଟ, ଆଣ୍ଟିଜେନ୍‌ କିମ୍ବା ଅନ୍ୟ କ୍ଲିନିକାଲ୍‌ ଉପାୟରେ ଟେଷ୍ଟିଂରେ ପୁଷ୍ଟି ହୋଇଥିଲେ ତାହାକୁ କୋଭିଡ୍‌ ବୋଲି କୁହାଯିବ। ଏହାଛଡ଼ା ବ୍ୟକ୍ତି କୋଭିଡ୍‌ ଟେଷ୍ଟରେ ଚିହ୍ନଟ ହୋଇଥିଲେ ସୁଦ୍ଧା ମୃତ୍ୟୁର କାରଣ ଯଦି ବିଷପାନ, ଆତ୍ମହତ୍ୟା କିମ୍ବା ଦୁର୍ଘଟଣାଜନିତ ଅଛି, ତେବେ ତାହାକୁ କୋଭିଡ୍‌ ମୃତ୍ୟୁ କୁହାଯିବ ନାହିଁ।

Leave A Reply

Your email address will not be published.