ଓଡ଼ିଶା ଇତିହାସରେ ପ୍ରଥମ ଥର ଦୁଇ ଓଡ଼ିଆ ସହିଦଙ୍କୁ ମରଣୋତ୍ତର ଶୌର୍ଯ୍ୟଚକ୍ର ପ୍ରଦାନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ : ଆମ ପାଇଁ ଗର୍ବ ଓ ଗୌରବ ଦେଶ ପାଇଁ ଜୀବନ ଦେଇଥିବା ସହିଦ ବୀର ସୈନିକ । ସେଇ ବୀରଙ୍କ ବୀରତ୍ୱକୁ ସମ୍ମାନ ଜଣାଇ ପ୍ରଦାନ କରାଯାଇଛି ମରଣୋତ୍ତର ଶୌର୍ଯ୍ୟଚକ୍ର ପୁରସ୍କାର । ସେମାନେ ହେଲେ ସହିଦ ଦେବାଶିଷ ସେଠୀ ଓ ସୁଧିର କୁମାର ଟୁଡୁ। ସହିଦ ଦେବାଶିଷଙ୍କ ବାପା ସନାତନ ସେଠୀ ଓ ମା’ ଛାଇ ସେଠୀ ଏହି ସମ୍ମାନ ଗ୍ରହଣ କରିଛନ୍ତି। ସେହିପରି ସହିଦ ସୁଧିରଙ୍କ ପକ୍ଷରୁ ତାଙ୍କ ମା’ ଜଉନା ଟୁଡ଼ୁ ଏହି ସମ୍ମାନ ଗ୍ରହଣ କରିଥିଲେ। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ସମ୍ମାନ ପ୍ରଦାନ କରିଥିଲେ। ଗୋଟିଏ ବର୍ଷରେ (୨୦୨୧) ଦୁଇଜଣ ଓଡ଼ିଆ ବୀରଙ୍କୁ ସମ୍ମାନଜନକ ଶୌର୍ଯ୍ୟଚକ୍ର ପ୍ରଦାନ କରାଯିବା ଓଡ଼ିଶା ଇତିହାସରେ ପ୍ରଥମ। ଏହି ଦୁଇ ଓଡ଼ିଆ ବୀର ମାଓ ବି‌ରୋଧୀ ଲଢ଼େଇରେ ନିଜର ଅସୀମ ସାହସ, ପରାକାଷ୍ଠା ଓ ବୀରତ୍ବ ପ୍ରଦର୍ଶନ କରି ଦେଶ ପାଇଁ ପ୍ରାଣବଳି ଦେଇଥିଲେ। ଏହି ସମ୍ମାନ ମିଳିବା ନେଇ ଗତକାଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସେମାନଙ୍କ ନାଁ ଘୋଷଣା ହୋଇଥିଲା। ଶୌର୍ଯ୍ୟଚକ୍ର ପୁରସ୍କାର ଭାରତୀୟ ସାମରିକ ଶୃଙ୍ଖଳାର ଅତି ଉଚ୍ଚ ସମ୍ମାନ। ଯାହା ପାଇବାକୁ ସେମାନେ ହକଦାର ହୋଇଛନ୍ତି।

ସୂଚନା ମୁତାବକ, ଏହି ୨ ଯୋଦ୍ଧାଙ୍କ ସାହସିକତାର କାହାଣୀ ଖୁବ୍ ହୃଦୟସ୍ପର୍ଶୀ। ୨୦୨୦ ସେପ୍ଟେମ୍ବର ୯ରେ କଳାହାଣ୍ଡି ଜିଲ୍ଲାର କେ.ରାମପୁରର ସିକ୍ରି ଗାଁ’ ନିକଟରୁ ଦୁଇଜଣଙ୍କୁ ମାଓବାଦୀ ଅପହରଣ କରିନେଇଥିବା ଜିଲ୍ଲା ପୋଲିସ ନିକଟକୁ ଖବର ଆସିଥିଲା। ସୂଚନା ମିଳିବା ପରେ ତୁରନ୍ତ ଏସ୍‌ଓଜିର ୧୭ ଜଣିଆ ଟିମ ଘଞ୍ଚ ଜଙ୍ଗଲକୁ ଅପରେସନ ପାଇଁ ଯାଇଥିଲା। ମାଓବାଦୀମାନେ ଚାରିଆଡ଼ୁ ଏସ୍‌ଓଜି ଯବାନଙ୍କୁ ଘେରିଯାଇଥିଲେ। ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା। ଦେବାଶିଷଙ୍କ ଦେହରେ ତିନିଟି ଗୁଳି ବାଜିଥିଲା। ଏହାସତ୍ତ୍ବେ ଦେବାଶିଷଙ୍କ ଶରୀର ନିସ୍ତେଜ ହେବା ପର୍ଯ୍ୟନ୍ତ ସେ ଗୁଳି ଚଳାଇବା ଜାରି ରଖିଥିଲେ।

ଏପଟେ ସୁଧୀର ବି ଅସୀମ ସାହସ ଦେଖାଇ ମାଓ କ୍ୟାମ୍ପ୍ ପର୍ଯ୍ୟନ୍ତ ପହଞ୍ଚିବାରେ ସଫଳ ହୋଇଥିଲେ। ଯେଉଁଥି ପାଇଁ ଛତ୍ରଭଙ୍ଗ ଦେଇଥିଲା ନକ୍ସଲ ଦଳ। ଏହି ୨ ଯବାନଙ୍କ ଦୁଃସାହସିକ ଲଢ଼େଇ ଅନ୍ୟ ଯବାନଙ୍କୁ ସୁରକ୍ଷିତ ରଖିବାରେ ସହାୟକ ହୋଇଥିଲା। ଏମାନଙ୍କ ସାହସିକତା ପାଇଁ ୫ ମାଓବାଦୀ ବି ନିହତ ହୋଇଥିଲେ। ଏମାନଙ୍କ ବୀରତ୍ୱ କେବଳ ଓଡ଼ିଶା ନୁହେଁ ବରଂ ପୂରା ଦେଶରେ ବିରଳ ବୋଲି କହିଥିଲେ ସେତେବେଳର କଳାହାଣ୍ଡି ଜିଲ୍ଲାର ପୁଲିସ ଏସପି ବି. ଗଙ୍ଗାଧର।

ଏମିତି ଅଦିନରେ ରୋଜଗାରିଆ ପୁଅ ଦେବାଶିଷକୁ ହରାଇ ଆଜି ବି ତାଙ୍କ ଗରିବ ବାପା, ମା’ ଓ ଭଉଣୀଙ୍କ ଆଖିରୁ ଲୁହ ଶୁଖିନି। କିନ୍ତୁ ଦେଶ ପାଇଁ ପ୍ରାଣବଳି ଦେବା ପରେ ସରକାରଙ୍କ ଦ୍ୱାରା ପୁଅର ସାହାସିକତା ନିମନ୍ତେ ମିଳିଥିବା ଏହି ସର୍ବୋଚ୍ଚ ସମ୍ମାନ ସେମାନଙ୍କୁ ସାମାନ୍ୟ ଶାନ୍ତ୍ୱନା ସହ ଗୌରବ ଦେଇପାରିଛି। ଏଥିସହିତ ସହିଦ ଦେବାଶିଷଙ୍କ ପରିବାରକୁ ଜିଲ୍ଲା ପ୍ରଶାସନ ଭେଟି ଜାଗା ପଟ୍ଟା ପ୍ରଦାନ କରିଛନ୍ତି। ସେହିଭଳି ସୁଧିରଙ୍କୁ ଆଜି ବି ଝୁରୁଛନ୍ତି ପରିବାର, ସମ୍ପର୍କୀୟ ଓ ପାଖ ପଡ଼ୋଶୀ। ସେମାନଙ୍କ ମତରେ ପୁଅ ସିନା ଫେରିବନି। ହେଲେ ଗାଁ ଓ ମାଟି ମା’ ପାଇଁ ସେ ଏହି ସମ୍ମାନ ଆଣି ଚିର ଅମର ହୋଇଯାଇଛି।

ତେବେ ରାଷ୍ଟ୍ରପତି ୬ ଜଣଙ୍କୁ ମରଣୋତ୍ତର ସହ ମୋଟ ୧୩ ଜଣଙ୍କୁ ଶୌର୍ଯ୍ୟଚକ୍ର ପ୍ରଦାନ କରିଛନ୍ତି। ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ‌ଯୋଗଦେଇଥିଲେ।

Leave A Reply

Your email address will not be published.